ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ହିରୋ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ରେ ଆୟୋଜକ ଭାରତ ଫାଇନାଲ୍ ଖେଳିବା ସକାଶେ ଯୋଗ୍ୟତା ହାସଲ କରିଛି । ପ୍ରଥମ ମ୍ୟାଚ୍ରେ ଦଳ ମଙ୍ଗୋଲିଆକୁ ୨-୦ରେ ପରାସ୍ତ କରିଥିବା ବେଳେ ସୋମବାର ଖେଳିଥିବା ନିଜର ଦ୍ୱିତୀୟ ମ୍ୟାଚ୍ରେ ଭାନୁଆଟୁକୁ ୧-୦ ଗୋଲ୍ରେ ହରାଇ କ୍ରମାଗତ ବିଜୟ ହାସଲ ପୂର୍ବକ ମୋଟ ୬ ପଏଣ୍ଟ୍ ସହ ପୁଲ୍ରେ ଶୀର୍ଷରେ ରହିଛି । ଫିଫା ର୍ୟାଙ୍କିଙ୍ଗ୍ରେ ୧୬୪ତମ ସ୍ଥାନରେ ଥିବା ଭାନୁଆଟୁ ବିପକ୍ଷରେ ଭାରତ ପକ୍ଷରୁ ଏକମାତ୍ର ଗୋଲ୍ଟି ଅଧିନାୟକ ସୁନୀଲ ଛେତ୍ରୀ ଦେଇଥିଲେ ।
ଫିଫା ର୍ୟାଙ୍କିଙ୍ଗ୍ରେ ୧୦୧ତମ ସ୍ଥାନରେ ଥିବା ଭାରତ ମ୍ୟାଚ୍ର ପ୍ରଥମାର୍ଦ୍ଧରେ ୩୨ତମ ମିନିଟ୍ରେ ପ୍ରଥମ ଥର ଭାନୁଆଟୁ ଗୋଲ୍ପୋଷ୍ଟ୍କୁ ଟାର୍ଗେଟ୍ କରିଥିଲା । ତେବେ ଲିଷ୍ଟନ୍ କୋଲାକୋଙ୍କ ଏହି ଶଟ୍ଟିକୁ ଭାନୁଆଟୁ ଗୋଲ୍କିପର୍ କ୍ଲିୟର୍ କରିବା ସହ ବିପଦକୁ ଟାଳିଦେଇଥିଲେ । ୩୫ତମ ମିନିଟ୍ରେ ନନ୍ଦକୁମାର ସେକର୍ ଚମତ୍କାର ଢଙ୍ଗରେ ବଲ୍ ନେଇ ଭାନୁଆଟୁ ସର୍କଲ୍ ମଧ୍ୟରେ ପ୍ରବେଶ କରିଥିଲେ । କିନ୍ତୁ ତାଙ୍କ ଶଟ୍ଟି ଗୋଲ୍ପୋଷ୍ଟ୍ ବାହାରକୁ ଚାଲିଯିବା ଫଳରେ ତାଙ୍କ ଗୋଲ୍ ଉଦ୍ୟମ ପଣ୍ଡ ହୋଇଥିଲା ।
୪୦ତମ ମିନିଟ୍ରେ ଭାରତ ପାଇଁ ଆଉ ଏକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ମହେଶ । ସେ ଭାନୁଆଟୁ ଡିଫେଣ୍ଡର୍ଙ୍କୁ ପରାସ୍ତ କରି ବଲ୍କୁ ଅଧିନାୟକ ଛେତ୍ରୀଙ୍କୁ ପାସ୍ ଦେଇଥିଲେ । କିନ୍ତୁ ଛେତ୍ରୀ ହେଡର୍ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବଲ୍କୁ ଛୁଇଁପାରି ନ ଥିଲେ । ପ୍ରଥମ ୪୫ ମିନିଟ୍ର ଖେଳ ଶେଷ ହେବା ପରେ ୪ ମିନିଟ୍ର ଷ୍ଟପେଜ୍ ଟାଇମ୍ ମିଳିଥିଲା । କିନ୍ତୁ ଏଥିରେ କେହି ଗୋଲ୍ ନ ଦେବାରୁ ପ୍ରଥମାର୍ଦ୍ଧ ଖେଳ ଗୋଲ୍ଶୂନ୍ୟ ଭାବେ ଶେଷ ହୋଇଥିଲା । ପ୍ରଥମାର୍ଦ୍ଧ ପରି ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତ ଭାନୁଆଟୁ ଡିଫେନ୍ସ ଉପରେ ଚାପ ସୃଷ୍ଟି କରିଥିଲା । କିନ୍ତୁ ଭାନୁଆଟୁର ବ୍ୟାକ୍ଲାଇନ୍ କୌଣସି ପ୍ରକାର ତ୍ରୁଟି କରିନଥିଲା । ୫୫ତମ ମିନିଟ୍ରେ ଛେତ୍ରୀ ଟୁର୍ଣ୍ଣାମେଣ୍ଟ୍ରେ ତାଙ୍କର ପ୍ରଥମ ଗୋଲ୍ ପାଇଁ ଉଦ୍ୟମ କରିଥିଲେ । ଦ୍ରୁତ ଗତିରେ ବଲ୍ ନେଇ ଡେଞ୍ଜର୍ ଏରିଆରେ ପ୍ରବେଶ କରିଥିଲେ । କିନ୍ତୁ ଅନ୍ତିମ ମୁହୂର୍ତ୍ତରେ ତାଙ୍କଠାରୁ ଭାନୁଆଟୁର ଜଣେ ଡିଫେଣ୍ଡର୍ ବଲ୍ ଛଡ଼ାଇନେବାରେ ସକ୍ଷମ ହୋଇଥିଲେ । ପରବର୍ତ୍ତୀ ମିନିଟ୍ରେ ଛେତ୍ରୀଙ୍କ ପାସ୍ରୁ ଲିଷ୍ଟନ୍ ଗୋଲ୍ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଟିମ୍ର ଡିଫେଣ୍ଡର୍ ସାମ୍ନାକୁ ଆସିଯାଇଥିଲେ ।
୬୦ତମ ମିନିଟ୍ରେ ମହେଶ ଦେଇଥିବା ପାସ୍ ଛେତ୍ରୀ ସଂଗ୍ରହ କରିବା ପୂର୍ବରୁ ଭାନୁଆଟୁ ଗୋଲ୍କିପର୍ ଏହାକୁ କ୍ଲିୟର୍ କରିଦେଇଥିଲେ । କିନ୍ତୁ ୮୦ତମ ମିନିଟ୍ରେ ଛେତ୍ରୀ ଘରୋଇ ଦର୍ଶକଙ୍କ ପାଇଁ ଖୁସିର ମୁହୂର୍ତ୍ତ ଆଣିଦେଇଥିଲେ । ସେ ପାଇଥିବା ଏକ ପାସ୍କୁ ପ୍ରଥମେ ଛାତିରେ ଅଟକାଇଥିଲେ ଓ ପରେ ବାମ ଗୋଡ଼ରେ ଦ୍ରୁତ ଗତିରେ ଶଟ୍ ଲଗାଇଥିଲେ । ତାଙ୍କ ଶଟ୍ ଅନାୟାସରେ ଭାନୁଆଟୁ ଗୋଲ୍କିପର୍ଙ୍କୁ ପରାସ୍ତ କରିଥିଲା ଓ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ମିଳିଯାଇଥିଲା । ଏଥିସହ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲ୍ରେ ତାଙ୍କର ଗୋଲ୍ ସଂଖ୍ୟାକୁ ୮୬ରେ ପହଞ୍ଚାଇଥିଲେ । ଦ୍ୱିତୀୟାର୍ଦ୍ଧ ଖେଳର ଅବଶିଷ୍ଟ ସମୟରେ ବଲ୍କୁ ନିଜ କବ୍ଜାରେ ରଖି ଭାରତ ବିଜୟ ସହ ମ୍ୟାଚ୍ ଶେଷ କରିଥିଲା । ଏଥିସହ ଭାନୁଆଟୁ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିବା ସହ ପଏଣ୍ଟ୍ ଟେବଲ୍ରେ ଅନ୍ତିମ ସ୍ଥାନରେ ରହିଛି । ଛେତ୍ରୀ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଆସନ୍ତା ୧୫ରେ ଭାରତ ତା’ର ଅନ୍ତିମ ପୁଲ୍ ମ୍ୟାଚ୍ରେ ଲେବାନନ୍କୁ ଭେଟିବ ।