ଢାକା: ଷ୍ଟ୍ରାଇକର୍ ଦିଲ୍ପ୍ରୀତ୍ ସିଂହଙ୍କ ହ୍ୟାଟ୍ରିକ୍ ଓ ଜର୍ମାନପ୍ରୀତ୍ଙ୍କ ଦୁଇଟି ଗୋଲ୍ ସହାୟତାରେ ଡିଫେଣ୍ଡିଂ ଚାମ୍ପିଅନ୍ ତଥା ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ଭାରତ ବୁଧବାର ଏଠାରେ ଆୟୋଜକ ବାଂଲାଦେଶକୁ ୯-୦ ଗୋଲ୍ରେ ହରାଇ ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍ରେ ପ୍ରଥମ ବିଜୟ ହାସଲ କରିଛି । ଦିଲ୍ପ୍ରୀତ୍ (୧୨ଶ, ୨୨ତମ ଓ ୪୫ତମ) ଭାରତ ପକ୍ଷରୁ ତିନିଟି ଫିଲ୍ଡ ଗୋଲ୍ ଦେଇଥିବା ବେଳେ ଜର୍ମନ୍ପ୍ରୀତ୍ ସିଂହ (୩୩ତମ ଓ ୪୩ତମ) ପେନାଲ୍ଟି କର୍ଣ୍ଣର୍ରୁ ଦୁଇଟି ଗୋଲ୍ କରିଥିଲେ । ଏହା ମଧ୍ୟରେ ପେନାଲ୍ଟି କର୍ଣ୍ଣର୍ରୁ ଉପଅଧିନାୟକ ହରମନପ୍ରୀତ୍ ସିଂହ କରିଥିବା ଫ୍ଲିକ୍କୁ ଲଳିତ ଉପାଧ୍ୟାୟ (୨୮ତମ) ଗୋଲ୍ରେ ପରିବର୍ତ୍ତନ କରିଥିଲେ । ଆକାଶଦୀପ ସିଂହ (୫୪ତମ) ଗୋଟିଏ ଫିଲ୍ଡ ଗୋଲ୍ ଦେଇଥିବା ବେଳେ ମନ୍ଦୀପ ମୋର୍ ୫୫ତମ ମିନିଟ୍ରେ ଦେଶ ପାଇଁ ନିଜର ପ୍ରଥମ ଗୋଲ୍ କରିଥିଲେ । ଏହାପରେ ହରମନ୍ପ୍ରୀତ୍ ମଧ୍ୟ ସ୍କୋର୍ଶିଟ୍ରେ ନିଜ ନାମ ଲେଖାଇଥିଲେ ।
୫୭ତମ ମିନିଟ୍ରେ ଟିମ୍କୁ ମିଳିଥିବା ୧୩ଶ ପେନାଲ୍ଟି କର୍ଣ୍ଣର୍କୁ ତ୍ରୁଟିଶୂନ୍ୟ ଭାବେ ଗୋଲ୍ରେ ପରିବର୍ତ୍ତିତ କରିଥିଲେ । ଟୋକିଓ ଅଲିମ୍ପିକ୍ରେ ଐତିହାସିକ ଅଭିଯାନ ପରେ ମନ୍ପ୍ରୀତ୍ ସିଂହଙ୍କ ନେତୃତ୍ୱରେ କେତେକ ନୂଆ ଖେଳାଳିଙ୍କୁ ନେଇ ପ୍ରଥମ ଟୁର୍ଣ୍ଣାମେଣ୍ଟ୍ ଖେଳୁଥିବା ଭାରତ ମଙ୍ଗଳବାର ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍କୁ କୋରିଆ ସହ ୨-୨ରେ ଡ୍ର’ ରଖିଥିଲା । ରାଉଣ୍ଡ ରବିନ୍ ପର୍ଯ୍ୟାୟରେ ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ରେ ଶୁକ୍ରବାର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ପ୍ରଥମ ମ୍ୟାଚ୍ରେ କୋରିଆ ସହ ଡ୍ର’ ଖେଳିବା ପରେ ଦୁର୍ବଳ ବାଂଲାଦେଶ ବିପକ୍ଷ ମ୍ୟାଚ୍ର ପ୍ରଥମ ଦୁଇଟି କ୍ୱାର୍ଟର୍ ଭାରତ ନିଜ ନିୟନ୍ତ୍ରଣରେ ରଖିଥିଲା ।
ନିୟମିତ ଭାବେ ଆକ୍ରମଣ ଜାରି ରଖିବାର ଫଳସ୍ୱରୂପ ଭାରତକୁ ଆଠଟି ପେନାଲ୍ଟି କର୍ଣ୍ଣର୍ ମିଳିଥିଲା । ମାତ୍ର ଟିମ୍ ଗୋଟିକର ସଦୁପଯୋଗ କରିବାରେ ସଫଳ ହୋଇଥିଲା । ଏହି ଅବସରରେ ବାଂଲାଦେଶ ସୁନ୍ଦର ଡିଫେଣ୍ଡ୍ କରିଥିଲା ଏବଂ ଗୋଲ୍କିପର୍ ନିପ୍ପୋନ୍ ଉନ୍ନତ ପ୍ରଦର୍ଶନ କରିଥିଲେ । ପ୍ରଥମ ୧୨ ମିନିଟ୍ରେ ଆଠଟି ପେନାଲ୍ଟି କର୍ଣ୍ଣର୍ ପାଇଥିବା ଭାରତ ପ୍ରତିପକ୍ଷ ବ୍ୟାକ୍ଲାଇନ୍ ଭେଦ କରିବାରେ ବିଫଳ ହୋଇଥିଲା । ତେବେ ଏହାର କିଛି ମୁହୂର୍ତ୍ତ ପରେ ସର୍କଲ୍ ବାହାରୁ ଅଧିନାୟକ ମନ୍ପ୍ରୀତ୍ଙ୍କଠାରୁ ପାଇଥିବା ଏକ ପାସ୍କୁ ଦିଲ୍ପ୍ରୀତ୍ ଫିଲ୍ଡ ଷ୍ଟ୍ରାଇକ୍ ଜରିଆରେ ଗୋଲ୍ କରି ଭାରତକୁ ଆଗୁଆ କରିଥିଲେ । ଦ୍ୱିତୀୟ କ୍ୱାର୍ଟର୍ ସମାନ ଢଙ୍ଗରେ ଚାଲିଥିବା ବେଳେ ବାଂଲାଦେଶର ଡିଫେନ୍ସ ତ୍ରୁଟିରୁ ଫାଇଦା ଉଠାଇ ୨-୦ରେ ଅଗ୍ରଣୀ ଲାଭ କରିଥିଲା ।
ବାଂଲା ଅଧିନାୟକଙ୍କ ତ୍ରୁଟି ଯୋଗୁଁ ତାଙ୍କର ଏକ ପାସ୍ ନିଜ ସର୍କଲ୍ ମଧ୍ୟକୁ ଚାଲିଯିବା ଫଳରେ ଭାରତକୁ ଫ୍ରି ହିଟ୍ ମିଳିଥିଲା । ସୁମିତ୍ ବାଲ୍ମୀକି ପ୍ରତିପକ୍ଷ ସର୍କଲ୍ରେ ଥିବା ଦିଲ୍ପ୍ରୀତ୍ ବଲ୍ଟିକୁ ତୁରନ୍ତ ପଠାଇ ଦେଇଥିଲେ । ଏବଂ ପୂର୍ବରୁ ପ୍ରସ୍ତୁତ ଥିବା ଦିଲ୍ପ୍ରୀତ୍ ଏକ ରିଭର୍ସ ହିଟ୍ ମାଧ୍ୟମରେ ବଲ୍କୁ ଗୋଲ୍ ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ । ୨୮ତମ ମିନିଟ୍ରେ ହରମନ୍ପ୍ରୀତ୍ଙ୍କଠାରୁ ପାଇଥିବା ଏକ ପେନାଲ୍ଟି କର୍ଣ୍ଣରୁ ପାଇଥିବା ପାସ୍କୁ ଡିପ୍ଲେକ୍ଟ କରି ଲଳିତ ଅଗ୍ରଣୀକୁ ୩-୦ କରିଥିଲେ । ହାଫ୍ଟାଇମ୍ ପରେ ୪୩ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର୍ରୁ ଜର୍ମାନ୍ପ୍ରୀତ୍ ଗୋଲ୍ କରିଥିଲେ । ଏହାର ଦୁଇ ମିନିଟ୍ ପରେ ଦିଲ୍୍ପ୍ରୀତ୍ ବ୍ୟକ୍ତିଗତ ତୃତୀୟ ଗୋଲ୍ ସ୍କୋର୍ କରିଥିଲେ । ବାଂଲାଦେଶ ଗୋଲ୍ପୋଷ୍ଟ ଉପରେ ଭାରତ ଲଗାତାର ଆକ୍ରମଣ କରିବା ଫଳରେ ମ୍ୟାଚ୍ଟି ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା । ଟୋକିଓ ଅଲିମ୍ପିକ୍ସ ଟିମ୍ରୁ ବାଦ୍ ପଡ଼ିଥିବା ଆକାଶଦୀପ ୫୪ତମ ମିନିଟ୍ରେ ଫିଲ୍ଡ ଷ୍ଟ୍ରାଇକ୍ ଜରିଆରେ ଗୋଲ୍ କରି ନିଜ ସମାଲୋଚକଙ୍କୁ ଜବାବ ଦେଇଥିଲେ। ଏକ ମିନିଟ୍ ପରେ ମନ୍ଦୀପ ଦେଶ ପକ୍ଷରୁ କ୍ୟାରିୟର୍ର ପ୍ରଥମ ଗୋଲ୍ କରିଥିଲେ । ଶେଷରେ ୫୭ତମ ମିନିଟ୍ରେ ଏକ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିବର୍ତ୍ତନ କରି ହରମନ୍ପ୍ରୀତ୍ ସ୍ଥିତି ୯-୦ କରିଥିଲେ ।