ନୂଆଦିଲ୍ଲୀ: ରୁଷ ସେନା ଦିନକୁ ଦିନ ୟୁକ୍ରେନ ଉପରେ ବୋମାମାଡ଼ ଏବଂ ଏୟାର ଷ୍ଟ୍ରାଇକକୁ ତୀବ୍ର କରିବାରେ ଲାଗିଛି । ଅନ୍ୟପଟେ ନାଟୋ ଦେଶର ବଳରେ ବଳିୟାନ ହୋଇ ରୁଷ ବିପକ୍ଷରେ ୟୁକ୍ରେନ ଅଣ୍ଟା ଭିଡ଼ିଛି । କିନ୍ତୁ ଗତ କିଛି ଦିନ ଧରି ନାଟୋ ଦେଶ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କମାଇବା ଆରମ୍ଭ କରିଦେଇଛନ୍ତି । ରିପୋର୍ଟ ମୁତାବକ, ଏହି ଯୁଦ୍ଧ ପାଇଁ ନାଟୋ ଦେଶର ଯୁଦ୍ଧ ଭଣ୍ଡାର ଦିନକୁ ଦିନ କମ୍ ହେବାରେ ଲାଗିଛି । ନାଟୋ ଦେଶ ଉପରେ ରୁଷ ଆକ୍ରମଣ କରିବାରର ସମ୍ଭାବନା ବି ଦେଖାଦେଲାଣି । ତେଣୁ ରୁଷ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ନାଟୋ ଦେଶ ନିଜର ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ କରି ରଖିବାକୁ ଚାହୁଁଛନ୍ତି । ଅଧିକାଂଶ ନାଟୋ ସଦସ୍ୟ ୟୁକ୍ରେନକୁ ସାହାଯ୍ୟ କରୁନଥିବାରୁ ପରୋକ୍ଷରେ ରୁଷର ବିଜୟ ରାସ୍ତା ସହଜ ହେଉଛି । ଅନେକ ୟୁରୋପୀୟ ଦେଶ ୟୁକ୍ରେନକୁ ସାହାଯ୍ୟ କରି ନିଜେ କାଙ୍ଗାଳ ହୋଇଛନ୍ତି ।
ଅନେକ ନାଟୋ ଦେଶରେ ଏବେ ଅସ୍ତ୍ରଶସ୍ତ୍ର ଅଭାବ ମଧ୍ୟ ସୃଷ୍ଟି ହୋଇଛି । ରୁଷ ନିକଟରେ ପରମାଣୁ ବୋମା ସହ ଅନେକ ଘାତକ ହତିଆର ରହିଛି । ୟୁକ୍ରେନ ଯୁଦ୍ଧ ଯୋଗୁଁ ଅସ୍ତ୍ରଶସ୍ତ୍ର କିଛିଟା କମିଥିଲେ ବି ତାହା ଶେଷ ହେବାର କୌଣସି ସମ୍ଭାବନା ନାହିଁ । କିନ୍ତୁ ୟୁକ୍ରେନକୁ ଆମେରିକା ପକ୍ଷରୁ ଆର୍ôଥକ ଏବଂ ହତିଆର ସହାୟତା ଜାରି ରହିଛି । ଆମେରିକା ସାହାଯ୍ୟ ଜାରି ରଖିଥିବା ବେଳେ ନାଟୋର ଛୋଟ ଦେଶ ଗୁଡିକ ହତିଆର ଅଭାବକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଅନ୍ୟପଟେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ନାଟୋ ଦେଶ ପାଇଁ ସହଜ ନୁହେଁ । ବର୍ତ୍ତମାନ ସମୟରେ ସାରା ବିଶ୍ୱ ଆର୍ôଥକ ମାନ୍ଦାବସ୍ଥାର ସାମ୍ନା କରୁଛି । ଏପରି ସ୍ଥିତିରେ ଘାତକ ହତିଆର ନିର୍ମାଣ ଏବଂ ଆମଦାନୀ କରିବା ଛୋଟ ଦେଶ ପାଇଁ ଅସମ୍ଭବ ହେଉଥିବାରୁ କିଛି ନାଟୋ ଦେଶ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ।