32.1 C
Bhubaneswar
Saturday, September 28, 2024
Homeଓଡିଶାଆହୁରି ୩ ଦିନ ଯାଏଁ ପ୍ରଚଣ୍ଡ ଗୁଳୁଗୁଳି: ୨୦ ପରେ ଖୋଲିବ ସ୍କୁଲ

ଆହୁରି ୩ ଦିନ ଯାଏଁ ପ୍ରଚଣ୍ଡ ଗୁଳୁଗୁଳି: ୨୦ ପରେ ଖୋଲିବ ସ୍କୁଲ

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ହୋଇପାରି ନାହିଁ । ଉପକୂଳରେ ଆହୁରି ୩ ଦିନ ଯାଏଁ ପ୍ରଚଣ୍ଡ ଗୁଳୁଗୁଳି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ଆସନ୍ତା ୧୯ ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଳକନ କରାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୪୨ ପ୍ରତିଶତ ନିଅଷ୍ଟିଆ ବର୍ଷା ହୋଇଛି । ରାଜ୍ୟର ୪ଟି ଜିଲ୍ଲାରେ ସ୍ୱାଭାବିକ ଏବଂ ଗୋଟିଏ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି ।

ତେବେ ଅନ୍ୟପକ୍ଷେ, ତାତି ବଢିବା ନେଇ ରାଜ୍ୟରେ ଖରାଛୁଟିକୁ ବଢାଇ ଦିଆଯାଇଛି । ଏନେଇ ଆଉ ତିନି ଦିନ ଖରାଛୁଟି ବଢିଛି । ପାଗ ବିଗୁଡୁଥିବାରୁ ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର। ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି। ପାଣିପାଗର ସ୍ଥିତି ଦେଖି ଜିଲ୍ଲାପାଳମାନେ ସ୍କୁଲ୍‌ ଖୋଲିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏକ୍ସ ମାଧ୍ୟମରେ ଜଣାଇଛି ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ। ଯଦି ପାଣିପାଗ ଅନୁକୂଳ ରହିବ, ତାହାହେଲେ ସକାଳ ସାଢ଼େ ଟାରୁ ସାଢ଼େ ୧୦ ଟା ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସୂଚନାରୁ ପ୍ରକାଶ, ଆସନ୍ତାକାଲି ସମଗ୍ର ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ସେଥିପାଇଁ ପ୍ରାକ୍‌ ପ୍ରସ୍ତୁତି କରାଯାଇଥିଲା। ହେଲେ ପାଣିପାଗ ବିଭାଗ ଜାରି କରିଥିବା ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ବୁଲେଟିନ୍‌କୁ ନେଇ ଚିନ୍ତାରେ ପଡ଼ି ଯାଇଛି ସ୍କୁଲ ଓ ଗଣ ଶିକ୍ଷାବିଭାଗ। ଶେଷରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇଛନ୍ତି। ପାଣିପାଗ ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking