19.1 C
Bhubaneswar
Saturday, November 23, 2024
Homeଓଡିଶାଆସନ୍ତା ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା; ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ...

ଆସନ୍ତା ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା; ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ ୧୭ତାରିଖ ପର୍ଯ୍ୟନ୍ତ ପ୍ର୍ରବଳ ବର୍ଷା ସମ୍ଭାବନା ରହିଥିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ରବିବାର ଅର୍ଥାତ ୧୬ ତାରିଖରେ ବରଗଡ଼, ଦେବଗଡ଼, ସମ୍ୱଲପୁର, ସୁନ୍ଦରଗଡ଼, ବୌଦ୍ଧ, ଢେଙ୍କାନାଳ, ଯାଜପୁର, କଟକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ଅର୍ଥାତ ୧୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୋଳ, ବରଗଡ଼, ସମ୍ୱଲପୁର, ଦେବଗଡ଼,ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ବେଳେ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

ସେହିପରି ମଙ୍ଗଳବାର ଅର୍ଥାତ ୧୮ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ତେବେ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ସମସ୍ତ କ୍ଷେତ୍ରସ୍ତରୀୟ ଅଫିସର ଓ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଜଳବନ୍ଦୀ ସମସ୍ୟା ଏବଂ ଯେକୌଣି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଆନ୍ଧ୍ରପ୍ରଦେଶର ଉତ୍ତର ପୂର୍ବ ଉପକୂଳ ଓ ପଡ଼ୋଶୀରେ ସମୁଦ୍ର ପତନଠୁ ୫.୮ରୁ ୭.୬କିମି ମଧ୍ୟରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି, ସେହିପରି ଏକ ଘୂର୍ଣ୍ଣିବଳୟ ଜୁଲାଇ ୧୬ତାରିଖରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୫ରୁ ୧୯ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେଥିଯୋଗୁ ଅଚାନକ ବନ୍ୟା ଭଳି ପରିସ୍ଥିତି, ତଳ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ଏସଆରସି ଶ୍ରୀ ସାହୁ କହିଛନ୍ତି ଯେ, କ୍ଷେତ୍ର ସ୍ତରର କର୍ମଚାରୀମାନଙ୍କୁ ବନ୍ୟା ଓ ଜଳବନ୍ଦୀ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ମୁତୟନ କରିବା ସହ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ସେମାନେ ହେଡକ୍ୱାର୍ଟର ଛାଡ଼ି ଯିବେ ନାହିଁ ।

ସହରାଞ୍ଚଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜି ରାସ୍ତା ଓ ଡ୍ରେନ ଜଳମଗ୍ନ ହୋଇପାରେ । ଯଦି ପ୍ରବଳ ବର୍ଷା ଲାଗିରୁହେ, ତା’ହେଲେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅସ୍ଥାୟୀ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି । ପୌରସଂସ୍ଥାଗୁଡ଼ିକ ଡ୍ରେନଗୁଡ଼ିକରେ ଜଳନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ । ଯେଉଁଠି ଆବଶ୍ୟକ ପଡ଼ିବ ପର୍ଯ୍ୟାପ୍ତ ପରିମାଣର ପମ୍ପ ରଖି ଜଳ ନିଷ୍କାସନ କରାଇବେ । ଜଳମଗ୍ନ ରାସ୍ତାରେ ଗାଡ଼ି ଚଳାଚଳକୁ ନିୟନ୍ତ୍ରିତ କରିବା ଏବଂ ଯେଉଁଠି ଜଳମଗ୍ନ ରହିବ ସେଠାରେ ପମ୍ପ ଯୋଗେ ଜଳ ନିଷ୍କାସନ କରାଇବାକୁ କହିଛନ୍ତି । ବିଭିନ୍ନ ନଦୀ ଓ କେନାଲର ଦୁର୍ବଳ ବନ୍ଧ ଉପରେ ନଜର ରଖିବା ସହ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ଆବଶ୍ୟକ ସାମଗ୍ରୀ ରଖିବାକୁ ପରାମର୍ଶ ଦେଇଛନ୍ତି । ବନ୍ୟା ଓ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନଗୁଡ଼ିକ ସଫା ରହିବାକୁ ସୁନିଶ୍ଚିତ କରାଇବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଅପରପେକ୍ଷ ଶନିବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଭଦ୍ରକରେ ସର୍ବାଧିକ ୧୬୫ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୨୩.୩ମିମି, ଚାନ୍ଦବାଲିରେ ୮୦.୬ମିମି, କଟକ ୨୪ମିମି, ପାରାଦ୍ୱୀପ ୧୫.୬ମିମି, ଭୁବନେଶ୍ୱରରେ ୪୬.୪ମିମି, ପୂରୀ ୧୫.୮ମିମି, ଅନୁଗୁଳ ୧୫ମିମି, ଝାରସୁଗୁଡା ୧୨୧ମିମି, କେନ୍ଦୁଝର ୮.୬ମିମି, ସମ୍ବଲପୁର ୧୫.୪ମିମି, ତାଳଚେର ୪୫ମିମି, ଭବାନୀପାଟଣା ୪୪.୪ମିମି, ସୋନପୁର ୧୫.୮ମିମି, ଦାରିଙ୍ଗବାଡି ୨୨ମିମି, ନୟାଗଡ ୧୦.୪ମିମି, ବୌଦ୍ଧ ୨୭ମିମି, ଯାଜପୁର ୫୦ମିମି, ଢ଼େଙ୍କାନାଳ ୩୮.୮ମିମି, ଜଗତସିଂପୁର ୧୩୨.୬ମିମି, କେନ୍ଦ୍ରାପଡା ୨୩ମିମି, ରାଉରକେଲା ୮.୮ମିମି, ନବରଙ୍ଗପୁର ୧୧ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking