ନୂଆଦିଲ୍ଲୀ: ଦେଶର ପ୍ରାୟ ୭୦% ଅଞ୍ଚଳରେ ପ୍ରବଳ ଉତ୍ତାପରେ ଲୋକେ କାଉଲୁବାଉଲୁ ହେଉଛନ୍ତି । ଦେଶର ଜନସଂଖ୍ୟାର ପ୍ରାୟ ୮୦% ଲୋକ ଏଥିଲାଗି ଡହଳ ବିକଳ ହେଉଛନ୍ତି । ବୁଧବାର ଦେଶର ୩୩ ସହରରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିବାବେଳେ ଏହି ସାତ ସହରରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ଥିଲା । ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ବିହାର, ଝାଡ଼ଖଣ୍ଡରେ ଏପ୍ରିଲର ଅବଶିଷ୍ଟ ତିନି ଦିନରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଗାମୀ ତିନି ଦିନ ଅର୍ଥାତ୍ ୨୮, ୨୯ ଏବଂ ୩୦ ଏପ୍ରିଲରେ ପାରା ୪୫ରୁ ବି ବୃଦ୍ଧି ପାଇବ ବୋଲି ପାଣିପାଭ ବିଭାଗ ଆକଳନ କରିଛି । ମେ ୧ ରବିବାର ସମ୍ଭବତଃ ଖରାର ଶିଖର ଛୁଇଁବ ବୋଲି ମଧ୍ୟ କୁହାଯାଉଛି । ଅନେକ ଅଞ୍ଚଳରେ ତାପମାତ୍ରା ୪୭-୪୮ ଡିଗ୍ରୀ ପର୍ୟ୍ୟନ୍ତ ରେକର୍ଡ କରାଯାଇପାରେ । ମେ ୨ ରୁ ତାପମାତ୍ରା ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ଉତ୍ତରପ୍ରଦେଶରେ ଖରା ଦ୍ରୁତ ଗତିରେ ବଢ଼ିଚାଲିଛି । ଏପ୍ରିଲର ଶେଷ ସପ୍ତାହରେ ଉତ୍ତାପ ଶିଖରରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ବୁଧବାର ରାଜ୍ୟର ଝାନସୀ ସବୁଠାରୁ ଉତ୍ତପ୍ତ ସହର ଥିଲା। ଏଠାରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ ଥିବା ବେଳେ ଲକ୍ଷ୍ନୌ ସମେତ ସମଗ୍ର ରାଜ୍ୟ ପାଇଁ ପାଣିପାଗ ବିଭାଗ ପ୍ରବଳ ଉତ୍ତାପ ସତର୍କ ସୂଚନା ଜାରି କରିଛି। ଲକ୍ଷ୍ନୌ ସମେତ ଅନ୍ୟାନ୍ୟ ଜିଲ୍ଲାରେ ଆସନ୍ତା ତିନି ଦିନ ଅର୍ଥାତ୍ ଶନିବାର ପର୍ୟ୍ୟନ୍ତ ପ୍ରବଳ ଉତ୍ତାପ ଅନୁଭୁତ ହେବ । ଏହାସହ ୬୦ କିକି ବେଗରେ ଝାଞ୍ଜି ପବନ ପ୍ରବାହିତ ହେବ ବୋଲି ଅନୁମାନ କରାଯାଇଛି । ସେହିପରି ଗଙ୍ଗା ଉପରେ ମଧ୍ୟ ପ୍ରବଳ ଉତ୍ତାପର ପ୍ରଭାବ ପଡ଼ିଛି । ଗଙ୍ଗାର ନରୋରା ଡ୍ୟାମରୁ ନିର୍ଗତ ଜଳ ସହିତ ଗଙ୍ଗାର ଜଳ ସ୍ତର ପ୍ରାୟତଃ ଭଲ ରହିଥାଏ । କିନ୍ତୁ ଗତ ୧୫ ଦିନ ମଧ୍ୟରେ ନରୋରା ଡ୍ୟାମରୁ ଜଳ ନିଷ୍କାସନ ୧୨,୦୧୦ କ୍ୟୁସେକ୍ ପର୍ୟ୍ୟନ୍ତ ରେକର୍ଡ କରାଯାଇଛି । ଗତ ୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଏପ୍ରିଲରେ ଗଙ୍ଗା ନଦୀରୁ ପାଣି ଏତେ ମାତ୍ରାରେ ଶୁଖିଥିବା ଜଣାପଡ଼ିଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାର ମଧ୍ୟପ୍ରଦେଶର ରାଜଗଡରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ବୁଧବାର ପୃଥିବୀର ୧୪ ଟି ସହରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିଲା । ସେଥିମଧ୍ୟରୁ ୧୪ ଟି ସହର ଭାରତ ଏବଂ ପାକିସ୍ତାନର । ଦୁନିଆର ସର୍ବୋଚ୍ଚ ଦିନର ତାପମାତ୍ରା ସ୍ୱିଜର୍ଲ୍ୟାଣ୍ଡର ସାଇଟିକ୍ରେ ୫୭.୪ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି । ସେହିପରି ପଞ୍ଜାବର ଅମୃତସର ଜିଲ୍ଲାର ତାପମାତ୍ରାରେ କ୍ରମାଗତ ବୃଦ୍ଧି ଘଟିଛି। ଗୋଟିଏ ଦିନରେ ସହରର ତାପମାତ୍ରାରେ ଦୁଇ ଡିଗ୍ରୀ ଡେଇଁବା ପରେ ଉତ୍ତାପ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି । ପାଣିପାଗ ବିଭାଗ ଅନୁଯାୟୀ, ସହରର ସର୍ବାଧିକ ତାପମାତ୍ରା ବୁଧବାର ୪୧.୫ ଡିଗ୍ରୀରେ ରେକର୍ଡ କରାଯାଇଛି ଯାହାକି ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ । ଗୁରୁବାର ଦିନ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିପାରେ ବୋଲି କୁହାଯାଇଛି । ସେହିପରି ଛତିଶଗଡର ମର୍କୁର ଅଞ୍ଚଳରେ ଖରା ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ପାଣିପାଗ ବିଭାଗ ଅନୁଯାୟୀ, ଏପ୍ରିଲରେ ରାୟପୁରରେ ସର୍ବାଧିକ ତାପମାତ୍ରା ୩୦ ଏପ୍ରିଲ ୧୯୪୨ ରେ ରେକର୍ଡ କରାଯାଇଥିଲା। ସେହି ଦିନ ରାୟପୁରର ସର୍ବାଧିକ ତାପମାତ୍ରା ୬୪.୧ ଡିଗ୍ରୀ ସେଲସିୟସ ଥିଲା । ସେବେଠାରୁ ଏହା ଏତେ ଗରମ ହୋଇନଥିଲା । ଗତ ୧୦ ବର୍ଷ ମଧ୍ୟରେ, ଏଭଳି ଚାରିଥର ଘଟଣା ରେକର୍ଡ କରାଯାଇଛି, ଯେତେବେଳେ କି ରାୟପୁରର ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରହିଥାଏ ।