32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶହୃଦୟ ବିଦାରକ : ଦୁଇ ଶିଶୁକନ୍ୟାକୁ ହତ୍ୟା କରି ମାଆର ଆତ୍ମହତ୍ୟା

ହୃଦୟ ବିଦାରକ : ଦୁଇ ଶିଶୁକନ୍ୟାକୁ ହତ୍ୟା କରି ମାଆର ଆତ୍ମହତ୍ୟା

ଜଗତସିଂହପୁର : ସୋମବାର ଅପରାହ୍ଣରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ଘଟିଥିବା ହୃଦୟ ବିଦାରକ ଅଘଟଣ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିଲା । ସାନ ସାନ ଦୁଇ ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କୁ ପୋଖରୀରେ ଫିଙ୍ଗି ହତ୍ୟା କରିବା ପରେ ଜଣେ ମହିଳା ପୋଖରୀ କୂଳରେ ଏକ ଗଛରେ ଝୁଲିପଡ଼ି ଆତ୍ମହତ୍ୟା କରିଥିଲେ । ୨ ବର୍ଷର ଶିଶୁ କନ୍ୟା ସମ୍ପୂର୍ଣ୍ଣା ଓ ମା’ ସୁଭଦ୍ରା ପରିଡ଼ା (ଝିଲି)ଙ୍କ ମୃତଦେହ ସୋମବାର ଠାବ କରାଯାଇଥିବା ବେଳେ, ୪ ବର୍ଷର ବଡ଼ଝିଅ ମୋନାଲିସାଙ୍କ ମୃତଦେହ ମଙ୍ଗଳବାର ପୋଖରୀରୁ ଉଦ୍ଧାର କରାଯାଇଛି । ସମସ୍ତଙ୍କ ମୃତଦେହକୁ ପୁଲିସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କୁଜଙ୍ଗ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଥିଲା । ତା’ପରେ ଝିଲିଙ୍କ ବାପଘର ପକ୍ଷରୁ ତିନି ଜଣଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା । ଅପରପକ୍ଷରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଝିଲିଙ୍କ ଭାଇ ମାଧବାନନ୍ଦ ପାତ୍ର କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଉକ୍ତ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଝିଲିଙ୍କ ସ୍ୱାମୀ ଲମ୍ବୋଦର ଓ ଶଶୁର ଲକ୍ଷ୍ମୀଧରଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ତ୍ୱରାନ୍ୱିତ କରୁଛି ।

ଝିଲିଙ୍କ ଶାଶୂ ଅଞ୍ଜନା ଓ ନଣନ୍ଦ ଅନୁରାଧା ଘର ଛାଡ଼ି କେଉଁଆଡ଼େ ଫେରାର ହୋଇଯାଇଥିବା ପୁଲିସ କହିଛି । କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଞ୍ଚାୟତର ପୋଖରୀଆପଡା ଗ୍ରାମରେ ଗତକାଲି ନିଜ ଦୁଇ ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କୁ ପୋଖରୀରେ ଫିଙ୍ଗି ମା’ ଝିଲି ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଝିଲିଙ୍କ ଭାଇ ଜନାର୍ଦ୍ଦନପୁର ଗ୍ରାମର ମାଧବାନନ୍ଦ ପାତ୍ର କୁଜଙ୍ଗ ଥାନାରେ ସଂଗିନ୍ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ଦୁଇ ଭାଣିଜୀଙ୍କ ସମେତ ଭଉଣୀକୁ ସାବତଶାଶୂ, ଶଶୁର, ନଣନ୍ଦ ଓ ସ୍ୱାମୀ ହତ୍ୟା କରିଛନ୍ତି । ସାବତ ଶାଶୂ ଅଞ୍ଜନା ପରିଡ଼ା, ଶଶୁର ଲକ୍ଷ୍ମୀଧର ପରିଡ଼ା, ନଣନ୍ଦ ଅନୁରାଧା ପରିଡ଼ା ଏବଂ ସ୍ୱାମୀ ଲମ୍ବୋଦର ପରିଡ଼ା ଝିଲିଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ । ଝିଲି ଦୁଇ ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିବାରୁ ଏଥିପାଇଁ ତାଙ୍କୁ ଶାଶୂଘର ଲୋକେ ଦୋଷ ଦେଇ ନିର୍ଯାତନା ଦେଉଥିଲେ । ଏମିତିକି ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ଆଣିବା ସହ ଏକ ବାଇକ୍ ପାଇଁ ଦାବି କରି ଆସୁଥିଲେ । ଝିଲିଙ୍କ ବାପଘରର ସମ୍ବଳ ନଥିବାରୁ ଏସବୁ ଦେବା ପାଇଁ ସେ ସକ୍ଷମ ହୋଇପାରି ନଥିଲେ । ଝିଲିଙ୍କ ଘରେ ଏହି କଥାକୁ ନେଇ ସବୁଦିନ ପାଟିତୁଣ୍ଡ ଲାଗି ରହୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking