ପୁଣେ: ପୁଣେରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଅଳିଆ ଉଠାଇବାକୁ ଯାଇଥିବା ତିନିଜଣ ଲୋକଙ୍କ ଉପରେ ଜଣେ ହୋଟେଲ୍ କର୍ମଚାରୀ ଗରମପାଣି ଢାଳିବା ଫଳରେ ପୋଡ଼ିହୋଇ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣେ ବ୍ୟକ୍ତି ଗୁରୁତର ଭାବେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ପୁଲିସ ଅଭିଯୁକ୍ତ କର୍ମଚାରୀକୁ ଗିରଫ କରିଥିବା ବେଳେ ହୋଟେଲ୍ ସିଲ୍ କରିବାର ପ୍ରସ୍ତୁତି ଚଳାଇଛି । ସାସବଡ଼ ଅଞ୍ଚଳର ଏହି ଘଟଣା ଗତ ସପ୍ତାହର ହୋଇଥିବା ବେଳେ ଜଣେ ପୀଡ଼ିତଙ୍କ ମୃତ୍ୟୁ ପରେ ମଙ୍ଗଳବାର ଏହା ସାମ୍ନାକୁ ଆସିଥିଲା । ହୋଟେଲ୍ ମ୍ୟାନେଜରଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ପୁଲିସ ସ୍ଥାନୀୟ ବିଧାୟକଙ୍କ ଚାପରେ କାର୍ଯ୍ୟାନୁଷ୍ଠାନ କରୁନାହିଁ । ଅନ୍ୟପକ୍ଷରେ ହୋଟେଲ୍ ମ୍ୟାନେଜର ଫେରାର୍ ହୋଇଯାଇଛନ୍ତି । ଏହି ଘଟଣାରେ ପ୍ରାଣ ହରାଇଥିବା ଜଣେ ବୃଦ୍ଧାଙ୍କ ଚିକିତ୍ସା ସମୟର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସେ ଘଟଣା ସମ୍ପର୍କରେ କହୁଥିବା ଦେଖିବାକୁ ମିଳିଛି ।