ବାଙ୍ଗାଲୋର: ଆଜି ମଧ୍ୟ ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଆସନ୍ତାକାଲି ପର୍ଯ୍ୟନ୍ତ କୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି । ଏହା ସହିତ କୋର୍ଟ ଏହି ମାମଲାର ଶୁଣାଣି ବେଳେ ଗଣମାଧ୍ୟମକୁ ଦାୟିତ୍ୱସମ୍ପନ୍ନ ଭାବରେ ରିପୋର୍ଟ କରିବାକୁ କହିଛନ୍ତି । ହିଜାବ ଦାବି କରୁଥିବା ଛାତ୍ରୀଙ୍କ ଓକିଲ କହିଛନ୍ତି ଯେ ସରକାର ଏହାକୁ ବାରଣ କରିବା ଭୁଲ । ଓକିଲ ଦେବଦତ୍ତ କାମାତ କହିଛନ୍ତି ଯେ, ହିଜାବ ଉପରେ ସରକାରଙ୍କ ଆଦେଶ ଧାରା ୨୫ (୧) କୁ ଉଲ୍ଲଂଘନ କରୁଛି ଏବଂ ଏହା ଆଇନଗତ ଭୁଲ । ସେ କହିଛନ୍ତି ଯେ ହିଜାବକୁ ମଞ୍ଜୁରୀ ଦିଆଯିବ ନା ନାହିଁ ତାହା କଲେଜ କମିଟିର ପ୍ରତିନିଧୀ ଦଳ ନିଷ୍ପତ୍ତି ନେବେ । ଆଜି ଆବେଦନକାରୀ ପୁଣି ଥରେ ଦୋହରାଇଛନ୍ତି ଯେ ହିଜାବ ପିନ୍ଧିବା ଧାର୍ମିକ ପରମ୍ପରାର ଏକ ଅଂଶ । ବରିଷ୍ଠ ଓକିଲ କାମାତ କହିଛନ୍ତି ଯେ କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ମୁସଲମାନ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଇଛି । ସେ କହିଛନ୍ତି ଯେ, ଦୁଇଟି ହାଇକୋର୍ଟ ସେମାନଙ୍କ ନିଷ୍ପତ୍ତିରେ ହିଜାବକୁ ଅନୁମତି ଦେଇଛନ୍ତି । ରାଜ୍ୟ ମଧ୍ୟ ଏହି ସ୍ୱାଧୀନତା ଦେବା ଉଚିତ୍ । କୋର୍ଟ ପଚାରିଛନ୍ତି ଯେ କେବେଠାରୁ ଛାତ୍ରୀମାନେ ଶିକ୍ଷା ଅନୁଷ୍ଠାନରେ ହିଜାବ ପିନ୍ଧିଛନ୍ତି? ଏହା ଉପରେ ଓକିଲ କାମାତ କହିଛନ୍ତି ଯେ, ଗତ ଦୁଇ ବର୍ଷ ଧରି ଛାତ୍ରୀମାନେ ହିଜାବ ପିନ୍ଧିଥିଲେ । କାମାତ କହିଛନ୍ତି ଯେ ଛାତ୍ରୀମାନେ ମୁଣ୍ଡ ଘୋଡାଇବା ବ୍ୟତୀତ ଅନ୍ୟ କିଛି ଦାବି କରୁନାହାଁନ୍ତି । ଏହା ଉପରେ ହାଇକୋର୍ଟର ଏକ ବେଞ୍ଚ ପ୍ରଶ୍ନ କରିଛି ଯେ ଏହାକୁ କୁରାନରେ ଇସଲାମର ଏକ ଅଂଶ ଭାବରେ ବର୍ଣ୍ଣନା କରାଯାଇଛି କି? ଏହା ଉପରେ କାମତ କହିଛନ୍ତି ଯେ ହଁ, ହିଜାବ ହେଉଛି ଇସଲାମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।