ନୂଆଦିଲ୍ଲୀ: ଉତ୍ତେଜକ ଭାଷଶ ଅର୍ଥାତ୍ ହେଟ୍ ସ୍ପିଚ୍ ମାମଲାର ମଙ୍ଗଳବାର ସୁପ୍ରିମ୍କୋର୍ଟରେ ଶୁଣାଣି ହୋଇଛି । ଏହି ଅବସରରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ସାମ୍ପ୍ରଦାୟିକ ସଦ୍ଭାବ ସୁନିଶ୍ଚିତ କରିବା ନିମନ୍ତେ ହେଟ୍ ସ୍ପିଚ୍ ବନ୍ଦ କରାଯିବା ଉଚିତ । ଏପରି ମାମଲାରେ ଏଫ୍ଆଇଆର୍ ହେବା ପରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ହେଉ । ଏହା ସହିତ ହେଟ୍ ସ୍ପିଚ୍ ମାମଲାରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସମ୍ପର୍କରେ ଜଷ୍ଟିସ୍ କେଏମ୍ ଯୋସେଫ୍ ଏବଂ ବିଭି ନାଗରାତ୍ନାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । ହେଟ୍ ସ୍ପିଚ୍କୁ ନେଇ ୧୮ ଏଫ୍ଆଇଆର୍ ରୁଜୁ କରାଯାଇଛି ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟା କହିଥିଲେ ।
ତେବେ ଆବେଦନକାରୀ ସିଲେକ୍ଟିଭ୍ କେସ୍ ଆଣିପାରିବେ ନାହିଁ ଏବଂ ସୁପ୍ରିମ୍କୋର୍ଟକୁ ମାଜିଷ୍ଟ୍ରେଟ୍ କରାନଯାଉ ବୋଲି ଆଡ୍ଭୋକେଟ୍ ମେହେଟା କହିଛନ୍ତି । ସେ କହିଛନ୍ତି ଆବେଦନକାରୀ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ହେଟ୍ ସ୍ପିଚ୍ ସମ୍ବନ୍ଧିତ ଖବରକାଗଜ ରିପୋର୍ଟ ଆଧାରରେ ସୁପ୍ରିମ୍କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି । ଆବେଦନକାରୀଙ୍କ ଓକିଲ ନିଜାମ୍ ପାଶା କୋର୍ଟକୁ କହିଥିଲେ, କି ପ୍ରକାର ହେଟ୍ ସ୍ପିଚ୍ ଦିଆଯାଉଛି, ତାହା ସେମାନେ ଦେଖାଇବା ପାଇଁ ଖବରକାଗଜ ଖବରକୁ ପିଟିସନ୍ରେ ସାମିଲ କରିଛନ୍ତି ।
ବହୁ ସମୟରେ ଅଭିବ୍ୟକ୍ତିର ସ୍ୱାଧୀନତାର ଦୁରୁପଯୋଗ କରାଯାଉଛି ବୋଲି ହେଟ୍ ସ୍ପିଚ୍ ସହିତ ଜଡ଼ିତ ନିୟମର କଡ଼ାକଡ଼ି ପାଳନକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମତ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି କରାଯିବ । ହେଟ୍ ସ୍ପିଚ୍ ପରି ଗମ୍ଭୀର ମାମଲାରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାରେ ବିଳମ୍ବକୁ ଅବମାନନା ଭାବେ ଗ୍ରହଣ କରାଯିବ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଛନ୍ତି ।
ଏହା ପୂର୍ବରୁ ମୁମ୍ବାଇରେ ସକଳ ହିନ୍ଦୁ ସମାଜ ଦ୍ୱାରା ଆୟୋଜିତ ହେବାକୁ ଥିବା ରାଲି ବିରୋଧୀ ପିଟିସନ୍ର ଶୁଣାଣି କରି ଫେବୃଆରୀ ୩ରେ ସର୍ବୋଚ୍ଚ ଅଦାଲତ ରାଲିରେ କେହି ଯେପରି ହେଟ୍ ସ୍ପିଚ୍ ନଦିଅନ୍ତି ତାହା ସୁନିଶ୍ଚିତ କରିବା ପାଇଁ ମେହାରାଷ୍ଟ୍ର ସରକାରଙ୍କୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାଲି ଫେବୃଆରୀ ୫ରେ ଆୟୋଜିତ ହୋଇଥିଲା । ରାଲିର ଭିଡିଓ ରେକର୍ଡି ପାଇଁ ମଧ୍ୟ ଅଦାଲତ ଆଦେଶ ଦେଇଥିଲେ । ଏହା ବ୍ୟତୀତ ଜାନୁଆରୀ ୨୯ରେ ହୋଇଥିବା ହିନ୍ଦୁ ଜନଆକ୍ରୋଶ ସଭା ରାଲି ଉପରେ ମଧ୍ୟ ରିପୋର୍ଟ ମାଗିଥିଲେ।