ନୂଆଦିଲ୍ଲୀ: ହେଟସ୍ପିଚ ବା ଘୃଣା ସୃଷ୍ଟିକାରୀ ବୟାନ ଓ ହେଟ କ୍ରାଇମକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ହେଟସ୍ପିଚ ଓ ହେଟ କ୍ରାଇମ ଆଦୌ ଗ୍ରହଣୀୟ ନୁହେଁ । ଭବିଷ୍ୟତରେ ଏପରି ଘଟଣା ଯେମିତି ନ ଘଟିବ, ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ । ଆମକୁ ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଦେଶରେ କ୍ରମାଗତ ଭାବେ ହେଟସ୍ପିଚ ମାମଲା ବଢ଼ିବାରେ ଲାଗିଛି । ନିକଟରେ ହରିଆଣାର ନୁହରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା । ୬ ଦିନର ହିଂସା ପରେ ଏବେ ନୁହ ସ୍ୱାଭାବିକ ହେଉଛନ୍ତି । କିନ୍ତୁ ଏସବୁ ଭିତରେ ହିନ୍ଦୁ ମହାପଞ୍ଚାୟତରେ ମୁସଲମାନଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିବା ନିଷ୍ପତ୍ତି ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ଏପରି ବିବାଦୀୟ ମହାପଞ୍ଚାୟତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ କରାଯାଇଥିଲା । ଏବେ ସୁପ୍ରିମକୋର୍ଟ ହେଟସ୍ପିଚ ଓ ହେଟ କ୍ରାଇମକୁ ରୋକିବା କେନ୍ଦ୍ର ସରକାରଙ୍କୁ କମିଟି ଗଠନ ଉପରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାମ୍ବାଦିକ ଶାହୀନ ଅବଦୁଲ୍ଲା ହେଟସ୍ପିଚ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରି ପିଟିସନ ଦାଏର କରିଥିଲେ । କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକ ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧରେ ଘୃଣା ସୃଷ୍ଟିକାରୀ ବୟାନ ଦେଉଛନ୍ତି । ବିଶେଷ କରି ହରିଆଣାର ନୁହ୍?ରେ ଦେଖାଯାଇଥିବା ସାଂପ୍ରଦାୟିକ ହିଂସାର ସେ ଉଦାହରଣ ଦେଇଥିଲେ ।
ସେଠାରେ ସଂଖ୍ୟାଲଘୁମାନଙ୍କୁ ଆର୍ôଥକ ଓ ବ୍ୟବସାୟିକସ୍ତରରେ ବୟକଟ କରିବାକୁ ଅଭିଯାନ ଆରମ୍ଭ ହୋଇଥିବା ଅଭିଯୋଗ କରି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଏସଭିଏନନ ଭାଟ୍ଟି ଏହାର ଶୁଣାଣି କରିଛନ୍ତି । ଖଣ୍ଡପୀଠ କହିଛନ୍ତି, “ଦୁଇ ସଂପ୍ରଦାୟ ମଧ୍ୟରେ ସଦଭାବ ଓ ଶିଷ୍ଟାଚାର ରହିବା ଉଚିତ । ସବୁ ସଂପ୍ରଦାୟର ଲୋକ ଏହାକୁ ପାଳନ କରିବା ଦରକାର । ହେଟସ୍ପିଚର ସମସ୍ୟା ଆଦୌ ଭଲ ନୁହେଁ । ଏହାକୁ କେହି ବି ଗ୍ରହଣ କରିବେ ନାହିଁ । ହେଟସ୍ପିଚ ଆଦୌ ଗ୍ରହଣୀୟ ନୁହେଁ ।” ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜ ଗଠନ ହେବାକୁ ଥିବା କମିଟି ସମ୍ପର୍କରେ ଜବାବ ଅଗଷ୍ଟ ୧୮ ସୁଦ୍ଧା ରଖିବେ । ଏଥିସହ ଆବେଦନକାରୀଙ୍କୁ ହେଟସ୍ପିଚ ସଂକ୍ରାନ୍ତ ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ଏକାଠି କରି ନୋଡାଲ ଅଧିକାରୀଙ୍କୁ ଦେବାକୁ ଖଣ୍ଡପୀଠ କହିଛନ୍ତି ।