କଲମ୍ବୋ: ଶ୍ରୀଲଙ୍କା ଅଲ୍ରାଉଣ୍ଡର୍ ୱାନିନ୍ଦୁ ହସରଙ୍ଗା ମଙ୍ଗଳବାର ଟେଷ୍ଟ୍ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ସୀମିତ ଓଭର୍ କ୍ରିକେଟ୍ ଉପରେ ଫୋକସ୍ କରିବା ନିମନ୍ତେ ହସରଙ୍ଗା ଏହି ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଶ୍ରୀଲଙ୍କା କ୍ରିକେଟ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ୨୬ ବର୍ଷୀୟ ହସରଙ୍ଗାଙ୍କ ଏହି ନିଷ୍ପତ୍ତିକୁ ଶ୍ରୀଲଙ୍କା କ୍ରିକେଟ୍ ସ୍ୱୀକାର କରିନେଇଥିବା ସିଇଓ ଆସ୍ଲେ ଡି ସିଲ୍ଭା କହିଛନ୍ତି । ୨୦୨୦ରେ ସାଉଥ୍ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ୍ରେ ଟେଷ୍ଟ୍ ପଦାର୍ପଣ କରିଥିବା ହସରଙ୍ଗା କେବଳ ଚାରିଟି ମ୍ୟାଚ୍ ଖେଳି ଚାରିଟି ୱିକେଟ୍ ନେଇଛନ୍ତି । ୨୦୨୧ରେ ପାଲ୍ଲେକଲ୍ରେ ବାଂଲାଦେଶ ବିପକ୍ଷରେ ସେ ନିଜର ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ । ହସରଙ୍ଗା ଶ୍ରୀଲଙ୍କା ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୪୮ ଦିନିକିଆ ଏବଂ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ଯଥାକ୍ରମେ ୮୩୨ ଓ ୫୩୩ ରନ୍ କରିଥିବା ବେଳେ ୬୭ ଓ ୯୧ ୱିକେଟ୍ ହାସଲ କରିଛନ୍ତି । ହସରଙ୍ଗା ଏବେ ଲଙ୍କା ପ୍ରିମିୟର୍ ଲିଗ୍ (ଏଲ୍ପିଏଲ୍)ରେ ବି-ଲଭ୍ କାଣ୍ଡି ଟିମ୍ର ନେତୃତ୍ୱ କରୁଛନ୍ତି । ଆଗାମୀ ଦିନରେ ଶ୍ରୀଲଙ୍କା ପାଇଁ ସେ ଏସିଆ କପ୍ ଓ ବିଶ୍ୱକପ୍ ମଧ୍ୟ ଖେଳିବେ ।