28.1 C
Bhubaneswar
Saturday, September 28, 2024
Homeଖେଳହରିଆଣା ବିଜୟ ହଜାର ଟ୍ରଫି ଚାମ୍ପିଅନ୍

ହରିଆଣା ବିଜୟ ହଜାର ଟ୍ରଫି ଚାମ୍ପିଅନ୍

ରାଜକୋଟ: ହରିଆଣା ପ୍ରଥମ ଥର ପାଇଁ ବିଜୟ ହଜାରେ ଟ୍ରଫି ଚାମ୍ପିଅନ୍ ହୋଇଛି । ୫୦ ଓଭର୍ ଫର୍ମାଟ୍‌ର ଏହି ବଡ଼ ଘରୋଇ ଟୁର୍ଣ୍ଣାମେଣ୍ଟ୍‌ର ସେମିଫାଇନାଲ୍‌ରେ ଶନିବାର ହରିଆଣା ୩୦ ରନ୍‌ରେ ରାଜସ୍ଥାନକୁ ହରାଇ ଦେଇଛି । ହରିଆଣା ପ୍ରଥମେ ନିର୍ଦ୍ଧାରିତ ଓଭର୍‌ରେ ୮ ୱିକେଟ୍ ହରାଇ ୨୮୭ ରନ୍‌ର ଉନ୍ନତ ସ୍କୋର୍ କରିଥିଲା । ଜବାବରେ ରାଜସ୍ଥାନ ୨୫୭ ରନ୍ କରିବାକୁ ସମର୍ଥ ହୋଇଥିଲା । ଏକଦା ରାଜସ୍ଥାନକୁ ବିଜୟ ପାଇଁ ୨୯ ବଲ୍‌ରେ ମାତ୍ର ୩୮ ରନ୍‌ର ଆବଶ୍ୟକତା ଥିଲା । ମାତ୍ର ଟିମ୍ ୭ ରନ୍ ମଧ୍ୟରେ ଶେଷ ୪ ୱିକେଟ୍ ହରାଇ ମ୍ୟାଚ୍ ହାତଛଡ଼ା କରିଛି । ଟସ୍ ଜିତି ବ୍ୟାଟିଂ ନେଇଥିବା ହରିଆଣା ୪୧ ରନ୍‌ରେ ଦୁଇଟି ୱିକେଟ୍ ହରାଇଥିଲା । ଏହାପରେ ଅଙ୍କିତ କୁମାରଙ୍କ ସହ କ୍ୟାପ୍‌ଟେନ୍ ଅଶୋକ ମିନେରିଆ ୧୨୪ ରନ୍‌ର ଭାଗୀଦାରୀ କରି ଟିମ୍‌କୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ୯୧ ବଲ୍‌ରେ ୮୮ ରନ୍ କରି ଅଙ୍କିତ ଆଉଟ୍ ହେବାପରେ ମିନେରିୟା (୭) ମଧ୍ୟ ପ୍ୟାଭିଲିଅନ୍ ଫେରିଥିଲେ । ଏହାପରେ ନିମ୍ନକ୍ରମରେ ୱିକେଟ୍‌କିପର୍ ରୋହିତ ଶର୍ମା (୨୦), ନିଶାନ୍ତ ସିନ୍ଧୁ (୨୯), ରାହୁଲ ତେୱତିୟା (୨୪) ଓ ସୁମିତ କୁମାର (୨୮³) ଧୂଆଁଧାର ଇନିଂସ୍ ଖେଳି ଟିମ୍‌ର ସ୍କୋର୍ ୨୮୭ ରନ୍‌ରେ ପହଞ୍ଚାଇଥିଲେ । ରାଜସ୍ଥାନ ପକ୍ଷରୁ ଅଙ୍କିତ ଚୌଧୁରୀ ୪, ଅରାଫନ୍ ଖାନ୍ ୨ ଓ ରାହୁଲ ଚହର ଗୋଟିଏ ୱିକେଟ୍ ନେଇଥିଲେ । ୨୮୮ ରନ୍‌ର ପିଛା କରୁଥିବା ରାଜସ୍ଥାନ ୧୨ ରନ୍‌ରେ ତିନିଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ତେବେ ଓପ୍ନର୍ ଅଭିଜିତ୍ ତୋମର୍ ଗୋଟିଏ ପଟେ ଇନିଂସ୍ ସମ୍ଭାଳିବା ସହିତ ଶତକ ହାସଲ କରିଥିଲେ । ସେ କରଣ ଲାମ୍ବା (୨୦)ଙ୍କ ସହ ୬୮ ଏବଂ କୃଣାଳ ସିଂହ ରାଠୋରଙ୍କ ସହ ୧୨୧ ରନ୍‌ର ଭାଗୀଦାରୀ କରି ରାଜସ୍ଥାନ ବିଜୟ ଆଶା ଉଜ୍ଜୀବିତ କରିଥିଲେ । ସ୍କୋର୍ ୨୦୧ ରନ୍‌ରେ ବେଳେ ଅଭିଜିତ୍ ୧୦୬ ରନ୍ କରି ଆଉଟ୍ ହେବାପରେ କୃଣାଳ (୭୯) ପ୍ୟାଭିଲିଅନ୍ ଫେରିଥିଲେ ।  ୨୩୭ ରନ୍‌ରେ ୬ ୱିକେଟ୍ ପତନ ପରେ ରାଜସ୍ଥାନ ଚାପରେ ଥିବା ସତ୍ତ୍ୱେ ରାହୁଲ ଚହର୍ ଓ କୁଙ୍କା ଅଜୟ ସିଂହ ଧୀରେ ଧୀରେ ଇନିଂସ୍ ବଢ଼ାଇ ଚାଲିଥିଲେ । ତେବେ ୨୫୦ ରନ୍ ସ୍କୋର୍‌ରେ କୁଙ୍କା (୮) ଆଉଟ୍ ହୋଇଥିଲେ ଏବଂ ଆଉ ମାତ୍ର ୭ ରନ୍ ମଧ୍ୟରେ ବାକି ତିନିଟି ୱିକେଟ୍‌ର ପତନ ଘଟିଥିଲା । ରାହୁଲ ଚହର୍ ୧୮ ରନ୍‌ରେ ଅପରାଜିତ ଥିଲେ ମଧ୍ୟ ଟିମ୍‌କୁ ବିଜୟୀ କରାଇବାରେ ବିଫଳ ହୋଇଥିଲେ । ହରିଆଣା ପକ୍ଷରୁ ହର୍ଷଲ୍ ପଟେଲ୍ ଓ ସୁମିତ୍ କୁମାର ତିନିଟି ଲେଖାଏଁ, ଅଂଶୁଲ ଓ ରାହୁଲ ତେୱତିୟା ଦୁଇଟି ଲେଖାଏଁ ସଫଳତା ପାଇଥିଲେ । ଅଲ୍‌ରାଉଣ୍ଡ୍ ସଫଳତା ପାଇଁ ସୁମିତ କୁମାରଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଓ ସିରିଜ୍ ଭାବେ ବିବେଚିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking