25.1 C
Bhubaneswar
Monday, December 22, 2025
Homeଦେଶ ବିଦେଶବଦଳିଲା ହରିଆଣା ବିଧାନସଭା ନିର୍ବାଚନ ମତଦାନ ତାରିଖ; ଅକ୍ଟୋବର ୧ ପରିବର୍ତ୍ତେ ଅକ୍ଟୋବର ୫ ରେ...

ବଦଳିଲା ହରିଆଣା ବିଧାନସଭା ନିର୍ବାଚନ ମତଦାନ ତାରିଖ; ଅକ୍ଟୋବର ୧ ପରିବର୍ତ୍ତେ ଅକ୍ଟୋବର ୫ ରେ ଭୋଟିଂ

ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି। ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ହରିଆଣା ବିଧାନସଭା ପାଇଁ ଧାର୍ଯ୍ୟ ମତଦାନ ତାରିଖକୁ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଏଠାରେ ଅକ୍ଟୋବର ୧ ତାରିଖ (ଗୋଟିଏ ପର୍ଯ୍ୟାୟ)ରେ ଭୋଟ୍ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ ତାରିଖ ଧାର୍ଯ୍ୟ କରିଥିଲେ। କିନ୍ତୁ ଏବେ ଅକ୍ଟୋବର ୧ ତାରିଖ ପରିବର୍ତ୍ତେ ୫ ଅକ୍ଟୋବରରେ ଭୋଟ୍ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ଇସିଆଇ ପକ୍ଷରୁ ଏନେଇ ଦିଆଯାଇଥିବା ସ୍ପଷ୍ଟୀକରଣରେ ନିର୍ବାଚନ ତାରିଖ ପରିବର୍ତ୍ତନଜନିତ ନିଷ୍ପତ୍ତି ବିଷ୍ଣୋଇ ସମ୍ପ୍ରଦାୟର ଉଭୟ ଭୋଟ୍ ଅଧିକାର ଏବଂ ପରମ୍ପରାକୁ ସମ୍ମାନ ଦେବା ପାଇଁ ନିଆଯାଇଛି ବୋଲି ଦର୍ଶାଯାଇଛି।

ତେବେ ହରିଆଣା ପାଇଁ ଭୋଟ୍ ଗ୍ରହଣ ତାରିଖ ପରିବର୍ତ୍ତନ ସହ ଜମ୍ମୁ କାଶ୍ମୀର ଏବଂ ହରିଆଣାର ଫଳାଫଳର ତାରିଖ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଅକ୍ଟୋବର ୪ ତାରିଖରେ ଉଭୟ ଜମ୍ମୁ କାଶ୍ମୀର ଏବଂ ହରିଆଣା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହାକୁ ଅକ୍ଟୋବର ୮କୁ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୮ରେ ହିଁ ଉଭୟ ଜମ୍ମୁ କାଶ୍ମୀର ଏବଂ ହରିୟାଣାର ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ନିର୍ବାଚନ ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଅକ୍ଟୋବର ୧ରେ ହରିଆଣା ବିଧାନସଭା ପାଇଁ ଭୋଟ୍‌ଗ୍ରହଣ କରାଯିବା ଦ୍ୱାରା ବହୁସଂଖ୍ୟକ ଲୋକଙ୍କୁ ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ ହେବାକୁ ପଡ଼ିପାରେ। ଏପରି ହେଲେ ହରିଆଣା ବିଧାନସଭା ନିର୍ବାଚନରେ ଭୋଟରଙ୍କ ଅଂଶଗ୍ରହଣକୁ ମଧ୍ୟ ହ୍ରାସ କରିପାରେ। ପ୍ରକାଶ, ଅକ୍ଟୋବର ୧ ପୂର୍ବରୁ ଏବଂ ପରେ ଛୁଟିଦିନ ରହିଥିବା କାରଣରୁ ଭୋଟ୍ ହାର ହ୍ରାସ ହେବା ଆଶଙ୍କା ଦର୍ଶାଇ ପ୍ରଦେଶ ବିଜେପି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ସେପ୍ଟେମ୍ବର ୨୮ ଶନିବାର ଏବଂ ସେପ୍ଟେମ୍ବର ୨୯ ରବିବାର ପଡୁଥିବା ବେଳେ ୨ ତାରିଖ ଗାନ୍ଧୀ ଜୟନ୍ତୀ ରହୁଛି। କ୍ରମାଗତ ଛୁଟି ରହୁଥିବାରୁ ରାଜ୍ୟର ଅନେକ ଭୋଟର ହୁଏତ ଛୁଟି ମନାଇବାକୁ ରାଜ୍ୟ ବାହାରକୁ ଚାଲିଯିବେ। ଏପରି ସ୍ଥଳେ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ କରାଯିବା ଦ୍ୱାରା ଭୋଟ୍ ହାର ହ୍ରାସ ପାଇବା ନିଶ୍ଚିତ।

ଫଳରେ ବିଜେପି ନେତା ତଥା ହରିଆଣା ବିଜେପି ରାଜ୍ୟ ସଭାପତି ମୋହନ ଲାଲ ବଡୋଲି ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି ଭୋଟ୍ ତାରିଖ ବଦଳାଇବାକୁ ଦାବି କରିଥିଲେ। ଏହାକୁ ନେଇ ବିରୋଧୀ କଂଗ୍ରେସ, ବିଜେପି ଭୟଭୀତ ହୋଇପଡିଥିବା ଏବଂ ଏହି କାରଣରୁ ନିର୍ବାଚନ ତାରିଖ ବଦଳାଇବାକୁ କହୁଥିବା ଅଭିଯୋଗ ମଧ୍ୟ କରିଥିଲା। ନିର୍ବାଚନ ଆୟୋଗ ବିଜେପି କଥା ନଶୁଣି ଧାର୍ଯ୍ୟ ତାରିଖରେ ଭୋଟ୍ ଗ୍ରହଣ କରିବା ଉଚିତ୍ ବୋଲି କଂଗ୍ରେସ ଦାବି କରିଥିଲା। ତେବେ ଏସବୁ ବାଦ ବିବାଦ ମଧ୍ୟରେ ଶନିବାର କେନ୍ଦ୍ର ନିର୍ବାଚନ ଆୟୋଗ ହରିଆଣା ବିଧାନସଭା ପାଇଁ ଭୋଟ୍ ଗ୍ରହଣ ତାରିଖକୁ ପରିବର୍ତ୍ତନ କରିଛନ୍ତି। ପ୍ରକାଶ, ବିଜେପି ଲଗାତାର ରାଜ୍ୟରେ ତୃତୀୟ ଥର ପାଇଁ କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ଶାସକ ଦଳଠାରୁ କ୍ଷମତା ଛଡ଼ାଇ ନେବାକୁ ବ୍ୟାପକ ପ୍ରୟାସ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking