ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ର କ୍ୟାପ୍ଟେନ୍ ହରମନ୍ପ୍ରୀତ୍ ଓ ପୂର୍ବତନ ଗୋଲ୍କିପର୍ ପିଆର୍ ଶ୍ରୀଜେଶ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ବାର୍ଷିକ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି । ହରମନ୍ପ୍ରୀତ୍ଙ୍କୁ ବର୍ଷର ସର୍ବଶ୍ରେଷ୍ଠ ଖେଳାଳି ଏବଂ ଶ୍ରୀଜେଶଙ୍କୁ ସର୍ବଶ୍ରେଷ୍ଠ ଗୋଲ୍କିପର୍ ପୁରସ୍କାର ପାଇଁ ଏଫ୍ଆଇଏଚ୍ ନାମିତ କରିଛି । ପ୍ୟାରିସ୍ ଅଲିମ୍ପିକ୍ରେ ଭାରତର ଚମତ୍କାର ଅଭିଯାନରେ ଦୁହେଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ସହ ଟିମ୍କୁ ବ୍ରୋଞ୍ଜ୍ ପଦକ ବିଜୟୀ କରାଇଥିଲେ । କ୍ୟାପ୍ଟେନ୍ ହରମନ୍ପ୍ରୀତ ପ୍ୟାରିସ୍ ଅଲିମ୍ପିକ୍ରେ ସର୍ବାଧିକ ୧୦ ଗୋଲ୍ କରିଥିଲେ । ଏହି ପୁରସ୍କାର ଦୌଡ଼ରେ ତାଙ୍କ ସହ ନେଦରଲାଣ୍ଡର ଥିଏରୀ ବ୍ରିଙ୍କମ୍ୟାନ୍ ଏବଂ ଜୋଏପି ଡି ମୋଲ୍ ତଥା ଜର୍ମାନୀର ହେନ୍ସ ମୁଲର୍ ଏବଂ ଇଂଲଣ୍ଡର ଜ୍ୟାଚ୍ ୱାଲେସ୍ ସାମିଲ ଅଛନ୍ତି ।
ପ୍ୟାରିସ୍ ଅଲିମ୍ପିକ୍ରେ ନିଜର ଅନ୍ତିମ ଟୁର୍ଣ୍ଣାମେଣ୍ଟ୍ ଖେଳିଥିବା ଅନୁଭବୀ ଶ୍ରୀଜେଶ୍ ପୂରା ଟୁର୍ଣ୍ଣାମେଣ୍ଟ୍ରେ ଚମତ୍କାର ଗୋଲ୍କିପିଂ କରିଥିଲେ । ଇଂଲଣ୍ଡ ବିପକ୍ଷରେ ଗୋଲ୍ପୋଷ୍ଟ ଆଗରେ ଶ୍ରୀଜେଶ ଦୃଢ଼ ଭାବେ ତିଷ୍ଠି ରହିଥିଲେ । ଏହି ମ୍ୟାଚ୍ରେ ଇଂଲଣ୍ଡକୁ ୪-୨ ପେନାଲ୍ଟି ଶୁଟ୍ଆଉଟ୍ରେ ହରାଇ ଭାରତ ସେମିଫାଇନାଲ୍ରେ ପ୍ରବେଶ କରିଥିଲା । ପୁରସ୍କାର ପାଇଁ ଶ୍ରୀଜେଶ୍ଙ୍କ ମୁକାବିଲା ନେରଲାଣ୍ଡର୍ସର ପିରମିନ ବ୍ଲାକ୍, ସ୍ପେନ୍ର ଲୁଇସ୍ କାଲଜାଡୋ, ଜର୍ମାନୀର ଜିନ୍-ପଲ୍ ଡାନେରବର୍ଗ ଏବଂ ଆର୍ଜେଣ୍ଟିନାର ଟୋମାସ୍ ସାଣ୍ଟିଆଗୋଙ୍କ ସହ ହେବ ।
ପୁରସ୍କାର ପାଇଁ ନାମାଙ୍କିତ ଖେଳାଳିଙ୍କ ଚୟନ ଏକ ବିଶେଷ କମିଟି ଦ୍ୱାରା କରାଯିବ । ଏହି କମିଟିରେ ପ୍ରତ୍ୟେକ ମହାଦେଶର ମହାସଂଘ ଦ୍ୱାରା ମନୋନୀତ ଖେଳାଳି, କୋଚ୍ ଏବଂ ଅଫିସିଆଲ୍ ସାମିଲ ଅଛନ୍ତି ।