କରାଚୀ: ପାକିସ୍ତାନର ଦୁଇ ପୂର୍ବତନ କ୍ରିକେଟର ଦ୍ରୁତ ବୋଲର ଉମର ଗୁଲ ଓ ସ୍ପିନର ସୟଦ ଅଜମଲଙ୍କୁ ପାକିସ୍ତାନ ସିନିୟର କ୍ରିକେଟ୍ ଦଳର ବୋଲିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଉଭୟ ପ୍ରଥମ କାର୍ଯ୍ୟରେ ଯୋଗ ଦେବେ । ଗୁଲ୍ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ପାକିସ୍ତାନ ପୁରୁଷ ଦଳର ବୋଲିଂ କୋଚ୍ ଭାବେ କାର୍ଯ୍ୟ କରିଥିଲେ ଏବଂ ଚଳିତ ବର୍ଷ ପ୍ରାରମ୍ଭରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳର କୋଚ୍ ମଧ୍ୟ ରହିଥିଲେ ।
ଏହାବ୍ୟତୀତ ସେ ପିଏସଏଲର ଗତ ସଂସ୍କରଣରେ କୋବେଟା ଗ୍ଲାଡିଏଟର୍ସର ବୋଲିଂ କୋଚ୍ ଏବଂ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୨ରେ ଆଫଗାନିସ୍ତାନର ବୋଲିଂ କୋଚ୍ ମଧ୍ୟ ଥିଲେ । ଗୁଲ ୨୦୦୩ରୁ ୨୦୧୬ ମଧ୍ୟରେ ପାକିସ୍ତାନ ପାଇଁ ୪୭ଟି ଟେଷ୍ଟ, ୧୩୦ଟି ଦିନିକିଆ ଓ ୬୦ଟି ଟି-୨୦ ମ୍ୟାଚ୍ ଖେଳି ପାକିସ୍ତାନ ପାଇଁ ୩୭୮ଟି ୱିକେଟ୍ ଅକ୍ତିଆର କରିଛନ୍ତି । ପୂର୍ବରୁ ପୁରୁଷ ଦଳ ସହ କାମ କରିବାର ଅଭିଜ୍ଞତା ରହିଥିବାରୁ ପାକିସ୍ତାନର ବୋଲିଂ ଦକ୍ଷତାକୁ ନୂଆ ଉଚ୍ଚତାକୁ ନେବା ଲକ୍ଷ୍ୟରେ ମୁଁ ମୋର କୋଚିଂ ଦକ୍ଷତା ଆଣିବିଳ ବୋଲି ସେ ଜଣାଇଛନ୍ତି । ପାକିସ୍ତାନର ସ୍ପିନ୍ ବୋଲିଂ କୋଚ୍ ଅଜମଲ ୩୫ଟି ଟେଷ୍ଟ, ୧୧୩ଟି ଦିନିକିଆ ଏବଂ ୬୪ଟି ଟି-୨୦ ମ୍ୟାଚରେ ଦଳର ପ୍ରତିନିଧିତ୍ୱ କରି ୩ଟି ଫର୍ମାଟରେ ୪୪୭ଟି ୱିକେଟ୍ ନେଇଛନ୍ତି ।
କୋଚିଂ ଅଭିଜ୍ଞତା ଦୃଷ୍ଟିରୁ ସେ ପିଏସ୍ଏଲ୍ ଫ୍ରାଞ୍ଚାଇଜ୍ ଇସ୍ଲାମାବାଦ ୟୁନାଇଟେଡ୍ ଦଳର ସ୍ପିନ୍ ବୋଲିଂ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ପାକିସ୍ତାନ ଜାତୀୟ ଦଳ ଭିତରେ ସ୍ପିନ୍ ବୋଲିଂ ପ୍ରତିଭାର ବିକାଶରେ ଯୋଗଦାନ ଦେଇ ମୁଁ ଆନନ୍ଦିତ । ମୋର ବିଶ୍ୱାସ ମୋର କ୍ୟାରିୟର ଏବଂ କୋଚିଂ ଅଭିଜ୍ଞତା ଦଳର ସ୍ପିନ୍ ବୋଲିଂ ଅସ୍ତ୍ରକୁ ବଢ଼ାଇବାରେ ସହାୟକ ହେବ ବୋଲି ଅଜମଲ ପ୍ରକାଶ କରିଛନ୍ତି ।