ଭୁବନେଶ୍ୱର: ଫେକ୍ ସିମ୍ ବାଢାଉଛି ଚିନ୍ତା । ରାଜ୍ୟର ବିଭିନ୍ନ ତଦନ୍ତକାରୀ ସଂସ୍ଥା ପୁଲିସ ଏବଂ କ୍ରାଇମ୍ବ୍ରାଞ୍ଚର ଏହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେ ଦେଶର ସୁରକ୍ଷା ହେଉ କିମ୍ବା ଅପରାଧିକ ତଦନ୍ତ ଫେକ୍ ସିମ୍ ସବୁଥିରେ ବାଧା ଉପୁଯାଉଛି । କିଛି ଦିନି ତଳେ ଓଡ଼ିଶାରେ ଓଟିପି ସ୍କାମ୍ ସାମ୍ନାକୁ ଆସିବା ପରେ ଜଣାପଡିଥିଲା ନିରିହ ଓଡ଼ିଆଙ୍କ ନାମରେ ଥିବା ମୋବାଇଲ ସିମ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏଜେଣ୍ଟ ମାନେ ବ୍ୟବହାର କରୁଛନ୍ତି । ଏହାପରେ କ୍ରାଇମବ୍ରାଞ୍ଚ ରାଜ୍ୟରେ ତତ୍ପର ହୋଇ ଉଠିଛି ।
ଏହାକୁ କିପରି ରୋକା ଯାଇପାରିବ ସେ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ ଦେଶର ୪ ମୁଖ୍ୟ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ବିଏସ୍ଏନ୍ଏଲ୍, ଏୟାରଟେଲ, ଜିଓ ଏବଂ ଭୋଡ଼ାଫୋନ୍ ଆଇଡିଆର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛି । ଏସମ୍ପର୍କରେ ପୁଙ୍ଖାନୁଫୁଙ୍ଖ ଆଲୋଚନା ହୋଇଛି । ଏଥିରେ କ୍ରାଇମ୍ବ୍ରାଞ୍ଚ ଟେଲିକମ୍ ସଂସ୍ଥାକୁ ୬ ସୂତ୍ରୀୟ ପରାପର୍ଶ ଦେଇଛି । ତେବେ ଏହି ପରାମର୍ଶକୁ ଉକ୍ତ କମ୍ପାନୀଗୁଡିକ କାର୍ଯ୍ୟକାରୀ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଉକ୍ତ ପରାମର୍ଶ ଗୁଡିକ ହେଲା ଟେଲି ଭ୍ୟାରିଫିକେସନ୍ ବେଳେ କେବଳ ଆଧାର ଲିଙ୍କ ଥିବା ଫୋନ୍ ନମ୍ବର ଗୁଡ଼ିକୁ ହିଁ କଲ କରିବାକୁ କୁହାଯାଇଛି । ସ୍ଥାୟୀ ଦୋକାନୀଙ୍କୁ ହିଁ ସିମ୍ ବିକ୍ରି କରିବାକୁ ଅନୁମତି ଦିଆଯାଉ ।
ଗ୍ରାହକ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ଯେଉଁଥିରେ ଫେକ୍ ସିମ୍ ବିରୋଧରେ ସେମାନେ ଅଭିଯୋଗ କରିପାରିବେ । ସିମ୍ ବିକ୍ରି ବେଳେ ଏସ୍ଓପିକୁ ଉଲଙ୍ଘନ କଲେ ଉକ୍ତ କାଉଣ୍ଟରକୁ ବ୍ଲାକ୍ ଲିଷ୍ଟେଡ଼ କରାଯାଉ । ଗ୍ରାହକମାନଙ୍କ ଅଜାଣତରେ ସେମାନଙ୍କ ନାମରେ କେତୋଟି ସିମ୍ ରହିଛି ଏହା ଅବଗତ କରାଯାଉ । ଏଥିପାଇଁ ଟେଲିକମ୍ ପ୍ରୋଭାଇଭଡ଼ର କମ୍ପାନୀ ଏକ ସ୍ୱତନ୍ତ୍ର ଟୁଲ୍ ପ୍ରସ୍ତୁତ କରୁ । ଟେଲିକମ୍ ସର୍ଭିସ ପ୍ରୋଭାଇଡ଼ର ଏକ ଅଭ୍ୟନ୍ତରିଣ ସର୍ଭିଲାନ୍ସ ମେକାନିଜମ୍ ପ୍ରସ୍ତୁତ କରୁ ଯାହାଦ୍ୱାରା ଜଣାପଡିବ କେତୋଟି ଆକ୍ଟିଭେଟେଡ଼ ସିମ୍ ସବୁ ସମୟରେ ଡର୍ମାଟ ରହୁଛି କିନ୍ତୁ ନିୟମିତ ରିଚାର୍ଜ କରାଯାଉଛି । ଉକ୍ତ ବୈଠକରେ କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏବଂ ଆଇଜି ସଫିନ୍ ଅହମ୍ମଦ କେ ଉପସ୍ଥିତ ଥିଲେ । ଏହା ସହ ଉକ୍ତ ବୈଠକରେ ସାଇବର କ୍ରାଇମ୍ ୟୁନିଟର ପ୍ରମୁଖ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଗତ ମେ ୨୦୨୨ରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ବାରିପଦାରୁ ୨୦ ହଜାର ସିମ୍ ଜବତ କରାଯାଇଥିଲା । ସେହିପରି ସେପ୍ଟେମ୍ବରେ ୧୭ ହଜାର ସିମ୍ ଭୁବନେଶ୍ୱରରୁ ଜବତ କରାଯାଇଥିଲା । ସେହିପରି ଡିପାର୍ଟମେଣ୍ଟ ଅଫ୍ କମ୍ୟୁନିକେସନ୍ (ଡିଓଟି) ଏସ୍ଟିଆର ନାମକ ସପ୍ଟୱେୟାରକୁ ଆକ୍ଟିଭେଟ କରିଛି । ଯାହାଦ୍ୱାର ଫେକ୍ ସିମ୍କୁ ଚିହ୍ନଟ କରିବାରେ ସାମ୍ୟକ ସୂଚନା ମିଳି ପାରିବ । ଅରୁଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି ବଡ଼ ଧରଣର ଫେକ୍ ସିମ୍ ସିଜ୍ ହେଲେ ସର୍ଭିସ ପ୍ରୋଭାଇଡ଼ର କମ୍ପାନୀ ଅଧିକାରୀମାନଙ୍କ ଭୂମୀକା ତଦନ୍ତ ପରିସରଭୂକ୍ତ ହେବ ।
ଷଡ଼ଯନ୍ତ୍ରରେ ସାମିଲ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଟେଲିକମ୍ ସଂସ୍ଥାଗୁଡିକୁ ଫେକ୍ ସିମ୍ ଚିହ୍ନଟ ପାଇଁ ନିୟମିତ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି । ଏହାସହ ଡିଓଟିକୁ ମଧ୍ୟ ଅନୁରୋଧ କରିଛନ୍ତି ଯେ କୌଣସି ବେଆଇନ୍ କାର୍ଯ୍ୟକଳାପ ସମ୍ନାକୁ ଆସିଲେ ପୁଲିସକୁ ତୁରନ୍ତ ଏବଂ ନିୟମିତ ବ୍ୟବଧାନରେ ଜଣାଇବାକୁ ଅନୁରୋଧ କରାଯାଇଛି ।