ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ବାଗପତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହ ପୂର୍ବରୁ ସଡକ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ। ମୃତ ବାରକୁ ସୁବୋଧ (୨୫) ବୋଲି ଚିହ୍ନଟ କରାଯାଇଛି। ବର ସୁବୋଧ ବାନ୍ତି କରିବାକୁ ରାସ୍ତାରେ ଠିଆ ହୋଇଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାଟି ବାଗପତ ଜିଲ୍ଲାର ସରୁରପୁର କଲାନ ଗାଁରେ ଘଟିଛି। ରବିବାର ବିଳମ୍ବିତ ରାତିରେ, ସୁବୋଧଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା। ସୁବୋଧ ବିନୌଲି ଥାନା ଅଞ୍ଚଳର ପିଚୋକ୍ରାର ବାସିନ୍ଦା ଥିଲେ ଏବଂ ପେଶାରେ ଜଣେ ଫିଜିଓଥେରାପିଷ୍ଟ ଥିଲେ। ରାତିରେ ତାଙ୍କ ବିବାହ ଶୋଭାଯାତ୍ରା ସରୁରପୁର କଲାନରେ ପହଞ୍ଚିଥିଲା।
ସେହି ସମୟରେ ରାସ୍ତାରେ ସୁବୋଧଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଗଲା। ସେ ବାନ୍ତି କରିବା ପାଇଁ ଦିଲ୍ଲୀ-ସହାରନପୁର ଜାତୀୟ ରାଜପଥ ପାର୍ଶ୍ୱରେ ଅଟକିଗଲେ। କିନ୍ତୁ କିଏ କଳ୍ପନା କରିପାରିଥିଲା ଯେ ଏହା ତାଙ୍କର ଶେଷ ଦିନ ହେବ? ଦିଲ୍ଲୀରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଲା। ଧକ୍କା ପରେ, ପରିବାର ଲୋକେ ଆହତ ସୁବୋଧଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନେଉଥିଲେ, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଗଲା। ଦୁର୍ଘଟଣା ପରେ ଘଟାଇଥିବା ଟ୍ରକର ଡ୍ରାଇଭର ଗାଡ଼ି ନେଇ ସ୍ଥାନ ଛାଡି ପଳାଇ ଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ପଳାତକ ଟ୍ରକକୁ ଚିହ୍ନଟ କରିବା ପାଇଁ ପାଖରେ ଥିବା ସିସି କ୍ୟାମେରାର ଫୁଟେଜ୍ ସ୍କାନ କରିବା ସହ ଅଭିଯୁକ୍ତ ଡ୍ରାଇଭରଙ୍କୁ ଖୋଜୁଛି।










