ଏଥେନ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଗ୍ରୀସ୍ ଗସ୍ତରେ ଯାଇ ଶୁକ୍ରବାର ଏଥେନ୍ସରେ ପହଞ୍ଚିଛନ୍ତି । ଏଠାରେ ଦୁଇଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହୋଇଛି । ଏହାପରେ ଜଏଣ୍ଟ୍ ଷ୍ଟେଟ୍ମେଣ୍ଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ପୁରୁଣା ବନ୍ଧୁ ପରି ଜଣେ ଅନ୍ୟକୁ ଭଲ ଭାବେ ଜାଣିଛୁ । ୨୦୩୦ ସୁଦ୍ଧା ଆମେ ଦ୍ୱିପାକ୍ଷିକ ବ୍ୟାପାରକୁ ଦ୍ୱିଗୁଣ କରିବୁ । ପ୍ରଧାନମନ୍ତ୍ରୀ ଗ୍ରୀସ୍ର ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଗ୍ରୀସ୍ ରାଷ୍ଟ୍ରପତି କାଟ୍ରିନା ସକେଲାରୋପୋଉଲୋ ଏକ ସ୍ୱାଗତ ସମାରୋହରେ ମୋଦୀଙ୍କୁ ଗ୍ରୀସ୍ର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ଅନର୍’ରେ ସମ୍ମାନିତ କରିଛନ୍ତି । ଏହି ସମ୍ମାନର ପ୍ରତିକ୍ରିୟାରେ ମୋଦୀ ରାଷ୍ଟ୍ରପତି, ଗ୍ରୀସ୍ର ସରକାର ଏବଂ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ଗ୍ରୀସ୍ର ଲୋକଙ୍କ ଭାରତ ପ୍ରତି ଆଦର ଭାବକୁ ଦର୍ଶାଉଛି ବୋଲି ମୋଦୀ କହିଥିଲେ ।
ଉଭୟ ଦେଶ ପକ୍ଷରୁ ଅନୁଷ୍ଠିତ ସଂଯୁକ୍ତ ବୟାନ୍ରେ ଗ୍ରୀସ୍ ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତ୍ସୋତାକିସ୍ କହିଛନ୍ତି, ମୋଦୀ ମୋର ବନ୍ଧୁ । ଏଠାରେ ଆମେ ଦୁଇ ଦେଶ ମଧ୍ୟରେ ବନ୍ଧୁତାର ଉଦାହରଣ କାଏମ କରିବାକୁ ଚାହୁଁଛୁ ।
ଗୋଟିଏ ଦେଶ ବିଶ୍ୱର ସର୍ବବୃହତ୍ ଡେମୋକ୍ରାସି ହୋଇଥିବା ବେଳେ ଅନ୍ୟଟି ପ୍ରଥମ ଗଣତନ୍ତ୍ର ଦେଶ । ଏହି ଅବସରରେ ସେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଭାରତକୁ ବଧେଇ ଜଣାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ବନ୍ଧ ରହିଛି । ଆଜି ସମୟର ଆବଶ୍ୟକତା ଅନୁସାରେ ଆମେ ପ୍ରତିରକ୍ଷା, ସୁରକ୍ଷା, ଭିତ୍ତିଭୂମି, ଶିକ୍ଷା ଏବଂ କୌଶଳ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିପାରିବା । ଦୁଇ ଦେଶ ମଧ୍ୟରେ ଏନ୍ଏସ୍ଏ ସ୍ତରୀୟ କଥାବାର୍ତ୍ତା ମଧ୍ୟ ଆରମ୍ଭ ହେବ ବୋଲି ମୋଦୀ ଏହି ଅବସରରେ କହିଛନ୍ତି ।
ଏଥେନ୍ସ ପହଞ୍ଚିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିମାନବନ୍ଦରରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ବିମାନ ବନ୍ଦର ବାହାରେ ଭାରତୀୟ ବଂଶୋଦ୍ଦଭ ଲୋକଙ୍କ ପକ୍ଷରୁ ତାଙ୍କୁ ଢୋଲ ବଜାଇ ସ୍ୱାଗତ କରାଯାଇଥିଲା । ଏହାପରେ ମୋଦୀ ‘ଟମ୍ବ୍ ଅଫ୍ ଅନ୍ନୋନ୍ ସୋଲ୍ଜର୍’ରେ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଭାରତୀୟ ସମୁଦାୟ ପକ୍ଷରୁ ମୋଦୀଙ୍କୁ ଗ୍ରୀସ୍ର ପାରମ୍ପରିକ ମୁକୁଟ ‘ହେଡ୍ରେସ୍’ ପିନ୍ଧାଇ ସ୍ୱାଗତ କରାଯାଇଥିଲା । ମୋଦୀ ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟରେ ଦିନିକିଆ ଗ୍ରୀସ୍ ଗସ୍ତରେ ଯାଇ ଏଥେନ୍ସ ପହଞ୍ଚିଥିଲେ । ବିମାନ ବନ୍ଦରରେ ଗ୍ରୀସ୍ ବିଦେଶ ମନ୍ତ୍ରୀ ଜର୍ଜ ଜେରାପୋଟ୍ରିଟିସ୍ ତାଙ୍କୁ ସ୍ୱାଗତ କରିଥିଲେ । ୪୦ ବର୍ଷ ପରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗ୍ରୀସ୍ ଯାତ୍ରା ।
ସୂଚନାଯୋଗ୍ୟ, ଭାରତର ବ୍ରହ୍ମୋସ୍ କ୍ରୁଜ୍ ମିସାଇଲ୍ କିଣିବା ନେଇ ଗ୍ରୀସ୍ ଦୀର୍ଘ ଦିନରୁ ଆଗ୍ରହୀ ଥିବା ମିଡିଆ ରିପୋର୍ଟରେ କୁହାଯାଇଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଅବସରରେ ବ୍ରହ୍ମୋସ ମିସାଇଲ୍ ନେଇ ଡିଲ୍ ହେବାର ସମ୍ଭାବନା ରହିଛି । ଏହି ଯାତ୍ରା ଅବସରରେ ମୋଦୀ ଗ୍ରୀସ୍ର ପ୍ରସିଦ୍ଧ ହସ୍ତୀଙ୍କୁ ଭେଟିବେ । ଏହାପରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଗ୍ରୀକ୍ ସିଟି ଟାଇମ୍ସ ରିପୋର୍ଟ ଅନୁସାରେ ମୋଦୀଙ୍କ ସହିତ ୧୨ ଜଣ ଭାରତୀୟ ଶିଳ୍ପପତି ମଧ୍ୟ ଏଥେନ୍ସ ଯାଇଛନ୍ତି । ସେମାନଙ୍କ ସାକ୍ଷାତ୍ ଗ୍ରୀସ୍ର ଶିଳ୍ପପତିଙ୍କ ସହିତ କରାଯିବ ।