କଲମ୍ବୋ : ଶ୍ରୀଲଙ୍କାର ସହସ୍ରାଧିକ ଜନତା ରାଷ୍ଟ୍ରପତିଙ୍କ ବାସଭବନ କବ୍ଜା କରିବାର ୪୮ ଘଣ୍ଟା ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ ପତ୍ତା ମିଳୁନାହିଁ । ଜନସମୁଦ୍ର ମାଡିଆସିବା ସମ୍ପର୍କରେ ପୂର୍ବ ସୂଚନା ପାଇ ଗୋତବାୟା ଗତ ଶନିବାର ବାସଭବନ ଛାଡି ଅନ୍ୟତ୍ର ପଳାୟନ କରିଥିଲେ । ତେବେ ସୋମବାର ତାଙ୍କୁ ଗୋପନରେ କଲେମ୍ବାସ୍ଥିତ ବନ୍ଦରନାୟକେ ଏୟାରପୋର୍ଟ ନିକଟସ୍ଥ ବାୟୁସେନା ଘାଟିକୁ ସ୍ଥାନାନ୍ତର କରାଯାଇଛି ବୋଲି ଶ୍ରୀଲଙ୍କା ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ଶ୍ରୀଲଙ୍କା ସେନାର ଜଣେ ବରିଷ୍ଠ ଅଧିକାରୀ ଏହି ଉକ୍ତିକୁ ସ୍ୱୀକାର ମଧ୍ୟ କରିଛନ୍ତି । ସୋମବାର ଦୁଇଟି ହେଲିକପ୍ଟରରେ ଗୋତବାୟା ଓ ତାଙ୍କର କେତେକ ଅନୁଗତଙ୍କୁ କଡା ସୁରକ୍ଷା ମଧ୍ୟରେ ବାୟୁସେନା ଘାଟିକୁ ଅଣାଯାଇଛି ବୋଲି ସେ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଫ୍ଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସ୍ରଫ୍ ଘନିଙ୍କ ଭଳି ଗୋତବାୟା ମଧ୍ୟ ଦେଶଛାଡି ଅନ୍ୟତ୍ର ପଳାୟନ କରିପାରନ୍ତି ବୋଲି ଆଶଙ୍କା ଘନୀଭୂତ ହେବାରେ ଲାଗିଛି । ସୂଚନାଯୋଗ୍ୟ ଜନ ଅସନ୍ତୋଷ ତୀବ୍ର ଆକାର ଧାରଣ କରିଥିବାବେଳେ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ଚଳିତମାସ ୧୩ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ବୋଲି ଗୋତବାୟା ପୂର୍ବରୁ ଘୋଷଣା କରିସାରିଛନ୍ତି । ବର୍ତ୍ତମାନ ଗୋତବାୟା ଆତ୍ମଗୋପନ କରିଥିବାରୁ ତାଙ୍କର ଇସ୍ତଫା ପ୍ରତିଶ୍ରୁତି ନେଇ ଶ୍ରୀଲଙ୍କାବାସୀ ସନ୍ଦିହାନ ହୋଇପଡିଛନ୍ତି । ଅପରପକ୍ଷରେ ଗୋତବାୟା ଇସ୍ତଫା ଦେବେ ବୋଲି କହିଥିଲେ ସୁଦ୍ଧା ତାରିଖ ସ୍ପଷ୍ଟ କରିନାହାନ୍ତି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ଇତିମଧ୍ୟରେ ସାଧାରଣ ଜନତା ରାଷ୍ଟ୍ରପତି ଭବନରେ ଆଡ୍ଡା ଜମାଇଥିବାବେଳେ ସେଠାରୁ ହଟିବାର ନାଁ ନେଉନାହାନ୍ତି । ସେମାନେ ସୁଇମିଂ ପୁଲ୍ରେ ସ୍ନାନ କରିବା ସହ ରୋଷେଇ ଘରେ ବସି ବିଭିନ୍ନ ପ୍ରକାର ଖାଦ୍ୟ ଖାଉଥିବା, ଆଉ କେତେକ ଗୋତବାୟାଙ୍କ ପଲଙ୍କରେ ଶୋଇଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋମବାର ମଧ୍ୟ ରାଷ୍ଟ୍ରପତି ଭବନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଗୋତବାୟା ଇସ୍ତଫା ନଦେବା ପର୍ଯ୍ୟନ୍ତ ସେମାନେ ରାଷ୍ଟ୍ରପତି ଭବନ ଛାଡିବେ ନାହିଁ ବୋଲି ବିକ୍ଷୋଭକାରୀମାନେ ସ୍ପଷ୍ଟ କହିଛନ୍ତି ।
ରାଷ୍ଟ୍ରପତିଙ୍କ ବାସଭବନରୁ ମିଳିଥିବା ୧୭.୮୫ ନିୟୁତ ଟଙ୍କା (ସିଂହଳୀ ମୁଦ୍ରା)କୁ ସ୍ଥାନୀୟ ଅଦାଲତରେ ଜମା କରାଯାଇଛି । ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଇତିମଧ୍ୟରେ ଇସ୍ତଫା ଦେଇସାରିଥିବାବେଳେ ଗୋତବାୟାଙ୍କ ଇସ୍ତଫା ଅବଶ୍ୟମ୍ଭାବୀ ହୋଇପଡିଛି । ଶ୍ରୀଲଙ୍କା ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଯଦି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉଭୟ ନିଜ ପଦରୁ ଇସ୍ତଫା ଦିଅନ୍ତି, ତାହାହେଲେ ବାଚସ୍ପତିଙ୍କୁ କାମଚଳା ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବାକୁ ପଡିବ । ୩ରୁ ୩୦ ଦିନ ମଧ୍ୟରେ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ଡାକି ନୂଆ ରାଷ୍ଟ୍ରପତି ନିର୍ବାଚନ କରିବା ଜରୁରୀ ବୋଲି କୁହାଯାଇଛି ।