19.1 C
Bhubaneswar
Friday, November 22, 2024
Homeଓଡିଶାକଡ଼ା ସୁରକ୍ଷା ବଳୟରେ ଗୋପାଳ; ରାତିରେ ରୁଟି ଡାଲମା, ସକାଳୁ ଖାଇଲା ସୁଜି ହାଲୁଆ

କଡ଼ା ସୁରକ୍ଷା ବଳୟରେ ଗୋପାଳ; ରାତିରେ ରୁଟି ଡାଲମା, ସକାଳୁ ଖାଇଲା ସୁଜି ହାଲୁଆ

କଟକ: ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ କଡ଼ା ସୁରକ୍ଷା ବଳୟରେ ଚୌଦ୍ୱାର ଜେଲ୍‌ରେ ରଖାଯାଇଛି । ତା’ର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁବାର ଜେଲ ଡିଜି ମନୋଜ ଛାବ୍ରା ଚୌଦ୍ୱାର ଜେଲ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀ ଛାବ୍ରା ମଧ୍ୟାହ୍ଣ ୧୨ରେ ଚୌଦ୍ୱାର ସର୍କଲ୍ ଜେଲ୍‌ରେ ପହଞ୍ôଚବା ପରେ ଗୋପାଳ ରହୁଥିବା ୩ ନମ୍ବର ସେଲ୍‌କୁ ଯାଇଥିଲେ । ସେଠାରେ ଗୋପାଳର ସୁରକ୍ଷା ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ । ସିସିଟିଭି ସର୍ଭଲେନ୍ସରେ ଗୋପାଳ ୨୪ଘଣ୍ଟା ରହିବା ବ୍ୟବସ୍ଥାକୁ ଶ୍ରୀ ଛାବ୍ରା ଦେଖିଥିଲେ । କିଛି ସମୟ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ୍ତ କୁମାର ବେହେରାଙ୍କ ସୁରକ୍ଷା ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଗୋପାଳ ଝାରସୁଗୁଡ଼ା ସବ୍‌ଜେଲ୍‌ରେ ନିଜକୁ ଅସୁରକ୍ଷିତ ମଣିଥିଲେ । ଅନ୍ୟ ଜେଲକୁ ସ୍ଥାନାନ୍ତର ପାଇଁ ସେ ଇଛାପ୍ରକାଶ କରି ଜେଲ ବିଭାଗ ମାଧ୍ୟମରେ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିଥିଲେ । ଅଦାଲତ ଏହି ଆବେଦନକୁ ଗ୍ରହଣ କରି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମଞ୍ଜୁର କରିଥିଲେ ।

କୋର୍ଟ ଆଦେଶକୁ ଭିତ୍ତିକରି ଝାରସୁଗୁଡ଼ାରୁ ଗୋପାଳକୁ କଡ଼ା ସୁରକ୍ଷାରେ ଅଣାଯାଇଥିଲାବେଳେ ଗତକାଲି ରାତି ୮ଟା ୨୦ମିନିଟ୍‌ରେ ସେ ଚୌଦ୍ୱାର ଜେଲରେ ପହଞ୍ôଚଥିଲା । ଗୋପାଳ ମଙ୍ଗଳବାର ରାତିରେ ରୁଟି ଡାଲମା ଖାଇଥିବାବେଳେ ଗୁରୁବାର ସକାଳୁ ସୁଜି ହାଲୁଆ ଓ ମଧ୍ୟାହ୍ନରେ ଭାତ ଖାଇଥିବା ଜେଲ୍ ସୂତ୍ରରୁ ପ୍ରକାଶ । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍‌ରେ ଆତ୍ମହତ୍ୟା କରିବା ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପ୍ରତି ଜେଲ୍ ବିଭାଗ ପୂରା ସଜାଗ ରହିଛି । ରାଜ୍ୟର ଜଣେ ପ୍ରଭାବଶାଳୀ ରାଜନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାର ଏକମାତ୍ର ଅଭିଯୁକ୍ତ ଗୋପାଳ ନିଜ ସୁରକ୍ଷା ନେଇ ସଂଶୟ ପ୍ରକାଶ କରିବା ପରେ ପୁଲିସ, କ୍ରାଇମ୍‌ବ୍ରାଞ୍ଚ୍ ଓ ଜେଲ୍ ବିଭାଗ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଆପଣେଇଛନ୍ତି ।

ଆଜି ଶ୍ରୀ ଛାବ୍ରା ଜେଲ୍ ପରିଦର୍ଶନ କରିବା ସମୟରେ ଟିକିନିଖି ତଥ୍ୟ ଅପ୍‌ଡେଟ୍ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟପକ୍ଷରେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଜେଲ୍ ପରିସରରେ ବୁଧବାର ଗୋପାଳଙ୍କ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି । ପୂର୍ବରୁ କଟକସ୍ଥ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଗୋପାଳର ମାନସିକ ରୋଗ ସମ୍ପର୍କିତ ପରୀକ୍ଷାର ରିପୋର୍ଟ ଏଯାଏ ହସ୍ତଗତ ହୋଇନାହିଁ । ଗୋପାଳ ମାନସିକ ରୋଗୀ କି ନୁହେଁ ତାହା ଏର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ଗୋପାଳର ସ୍ୱାସ୍ଥ୍ୟଗତ ସମସ୍ୟା ଓ ସୁରକ୍ଷା ପାଇଁ ଜେଲ୍ ମାନୁଆଲ୍ ଅନୁସାରେ ସ୍ୱତନ୍ତ୍ର ସୁବିଧା ସମ୍ପର୍କରେ ଅନୁଧ୍ୟନ କରାଯାଇଛି । ଗୋପାଳର ସୁରକ୍ଷା ପାଇଁ ଚୌଦ୍ୱାର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟି ସଦସ୍ୟଙ୍କୁ ପଚାରି ବୁଝିବା ସହିତ ଜେଲ୍‌ର ସୁରକ୍ଷାକୁ ନେଇ ଡିଜି ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking