ଭୁବନେଶ୍ୱର: ଝାରସୁଗୁଡା ଛାଡ଼ିଲେ ଗୋପାଳ ଦାସ । ଏବେ ତାଙ୍କର ନୂଆ ଠିକଣା ହେଉଛି ଚୌଦ୍ୱାର ଜେଲ । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପରେ ସେ ଆଉ ଝାରସୁଗୁଡାରେ ରହିବାକୁ ଚାହୁଁ ନଥିଲେ । ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରୁଥିଲେ । ଗୁଜୁରାଟରୁ ଆସିବା ପରେ ଏଭଳି ଭୟ ତାଙ୍କୁ ଘାରିଥିଲା । ଝାରସୁଗୁଡ଼ା ଜେଲ୍ରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହୁଥିଲେ । ଏଥିପାଇଁ ଗୋପାଳ ନିଜ ଇଚ୍ଛାରେ ଝାରସୁଗୁଡା ଜେଲରେ ନ ରହିବାକୁ ଲିଖିତ ଭାବେ କୋର୍ଟଙ୍କୁ ଜଣାଇଥିଲେ । ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ ମୋତେ ଚୌଦୁଆର ଜେଲରେ ରଖାଯାଉ । ମୁଁ ଝାରସୁଗୁଡା ଜେଲରେ ରହିବାକୁ ଚାହୁଁନାହିଁ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୋପଳଙ୍କୁ ଚୌଦୁଆର ସ୍ଥାନାନ୍ତର କରାଯାଇଛି ।
ଆଜି ଅପରାହ୍ନ ଗୋଟାଏରେ ତାଙ୍କୁ ଝାରସୁଗୁଡ଼ା ଜେଲ୍ରୁ ବାହାର କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ସନ୍ଧ୍ୟା ସୁଦ୍ଧା ଚୌଦ୍ୱାର ଜେଲ୍କୁ ଅଣାଯାଇଛି । ତାଙ୍କୁ ଏକ ହାଇ ସିକ୍ୟୁରିଟି ସେଲରେ ରଖାଯାଇଛି । ଜେଲ୍ ଡିଜିଙ୍କ ସୂଚନା ମୁତାବକ ଚୌଦୁଆର ଜେଲ୍ରେ ଗୋପାଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଠାରେ ତାଙ୍କୁ ସ୍ୱତନ୍ତ୍ର ସେଲ ଯୋଗାଇ ଦେବା ସହ ୨୪ ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା ହୋଇଛି । ସେଲଟି ସିସିଟିଭି ସର୍ଭିଲିଆନ୍ସ ମଧ୍ୟରେ ରହିଛି । ମନ୍ତ୍ରୀ ହତ୍ୟାକାଣ୍ଡର ମାମଲା ଝାରସୁଗୁଡା କୋର୍ଟରେ ଶୁଣାଣି ଚାଲିଛି । ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ତାଙ୍କ ହାଜିରା ଝାରସୁଗୁଡା କୋର୍ଟରେ କରାଇବା ସମ୍ଭବ ନୁହେଁ ।
ତେଣୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହାଜର କରାଯିବ ବୋଲି ଜଣାପଡିଛି । ଜେଲ୍ ମାନୁଆଲ ଅନୁଯାୟୀ ତାଙ୍କ ଶାରୀରିକ ଏବଂ ମାନସିକ ସ୍ଥିତିର ଯାଞ୍ଚ କରାଯିବ । ଜେଲ ଡିଜି ମନୋଜ ଛାବ୍ରା କହିଛନ୍ତି, ଗୋପାଳ ନିଜ ଆଡୁ ଝାରସୁଗୁଡା ଜେଲରେ ରହିବେ ନାହିଁ ବୋଲି କହିଥିଲେ । ଆମେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଏହାକୁ ଉଚିତ୍ ମନେକଲୁ । ତେବେ ଏଠାରେ ପ୍ରଶ୍ନ ଉଠୁଛି, କାହା ଆଡୁ ଗୋପାଳଙ୍କ ପ୍ରତି ବିପଦ ରହିଛି । ନା ଏହା ହତ୍ୟା ଷଡଯନ୍ତ୍ରର ଏକ ପ୍ଲାନ୍୍ । ହତ୍ୟାକାଣ୍ଡ ପରେ ଯେକୌଣସି ଆଳ ଦେଖାଇ ଝାରସୁଗୁଡର ଛାଡିବା ଗୋପାଳଙ୍କ ମାଷ୍ଟରପ୍ଲାନ୍ର ଶେଷ ଅଂଶ । ଯେଉଁଥିରେ ସେ ସଫଳ ହୋଇଛନ୍ତି ।