ନୂଆଦିଲ୍ଲୀ: ବହୁରାଷ୍ଟ୍ରୀୟ ଟେକନଲୋଜୀ କମ୍ପାନୀ ଗୁଗୁଲ ଭାରତର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୪୫୩ ଜଣ କର୍ମଚାରୀଙ୍କୁ ଛଟେଇ କରିଛି । ଆଲଫାବେଟ୍ ଏବଂ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଏ ସଂପର୍କରେ ଛଟେଇ ହୋଇଥିବା କର୍ମଚାରୀମାନଙ୍କୁ ଏକ ଇମେଲ୍ ଲେଖି ସୂଚୀତ କରିବା ସହ ଏହି ନିଷ୍ପତ୍ତି ପାଇଁ ନିଜକୁ ଦାୟୀ କରିଛନ୍ତି । ଗୁଗଲ ଇଣ୍ଡିଆର କଣ୍ଟ୍ରି ହେଡ୍ ତଥା ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା ପ୍ରଭାବିତ କର୍ମଚାରୀଙ୍କୁ ଏକ ଇମେଲ୍ ପଠାଇଛନ୍ତି । ତେବେ ୪୫୩ ଜଣ କର୍ମଚାରୀଙ୍କୁ ଛଟେଇ ପୂର୍ବରୁ ଘୋଷଣା କରାଯାଇଥିବା ୧୨,୦୦୦ ଚାକିରି କାଟରେ ସାମିଲ ହୋଇଛି ନା ଏହି ଛଟେଇ ତାହାଠାରୁ ଭିନ୍ନ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ପିଚାଇ ତାଙ୍କ ଇମେଲରେ ଲେଖିଛନ୍ତି, ଆମେ ଆମେରିକାରେ ପ୍ରଭାବିତ କର୍ମଚାରୀଙ୍କୁ ଏକ ଅଲଗା ଇମେଲ୍ ଲେଖିଛୁ । ଅନ୍ୟ ଦେଶରେ ସ୍ଥାନୀୟ ଆଇନ ଏବଂ ନିୟମ ଯୋଗୁଁ ଏଥିପାଇଁ ଅଧିକ ସମୟ ଲାଗିପାରେ । ଗତ ମାସରେ ମାଇକ୍ରୋସଫ୍ଟ ଏହାର ମୋଟ କର୍ମଚାରୀ ବା ୧୦,୦ ଚାକିରିରେ ୫ ପ୍ରତିଶତ ହ୍ରାସ ଘୋଷଣା କରିଥିଲା । ସେହିପରି ଇ-କମର୍ସ କମ୍ପାନି ଆମାଜନ୍ ବିଶ୍ୱବ୍ୟାପୀ ୧୮,୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛି। ଫେସବୁକର ମୂଳ କମ୍ପାନୀ ମେଟା କହିଛି ଯେ ବିଶ୍ୱବ୍ୟାପୀ ପ୍ରାୟ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ । ଏହାଛଡ଼ା ଏସଏପି, ଆଇବିଏମ ବି ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି ।