17.1 C
Bhubaneswar
Monday, November 25, 2024
Homeଓଡିଶାଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: ତଦନ୍ତ ଲାଗି କଣ୍ଟାବାଞ୍ଜି ଜେଲ୍‌ରେ କ୍ରାଇମବ୍ରାଞ୍ଚ

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: ତଦନ୍ତ ଲାଗି କଣ୍ଟାବାଞ୍ଜି ଜେଲ୍‌ରେ କ୍ରାଇମବ୍ରାଞ୍ଚ

ଟିଟିଟିଲାଗଡ: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚର ୧୦ ଜଣିଆ ଟିମ୍ ଆଜି କଣ୍ଟାବାଞ୍ଜି ଜେଲରେ ପହଞ୍ôଚଥିଲେ । ଫରେନସିକ୍ ଟିମ୍ ସେମାନଙ୍କ ସାଥିରେ ଥିଲେ । କିଭଳି ଓ କେଉଁ ପରିସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଲା ତା’ର ତଦନ୍ତ କରୁଛନ୍ତି ଟିମ୍ । ଗତକାଲି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜେଲ୍ ପରିସରରୁ ଗୋବିନ୍ଦଙ୍କ ମୃତଦେହ ମିଳିଥିଲା । ଏହି ଘଟଣାକୁ କର୍ତ୍ତୃପକ୍ଷ ଆତ୍ମହତ୍ୟା ବୋଲି କହୁଥିଲା ବେଳେ ଗୋବିନ୍ଦଙ୍କର ପରିବାର ଲୋକ ହତ୍ୟା ବୋଲି କହୁଛନ୍ତି । ତେବେ ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ଜେଲ ବିଭାଗ ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟାନୁଷ୍ଠାନ ନେଇଛି । ବିଭାଗ ପକ୍ଷରୁ ଜଣେ ଜେଲ୍ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି । କଣ୍ଟାବାଞ୍ଜି ଜେଲ୍ ୱାର୍ଡର ଅକ୍ଷୟ ମହାନ୍ତି ନିଲମ୍ବିତ ହୋଇଛନ୍ତି । ନିଲମ୍ବନ ନେଇ ସମ୍ବଲପୁର ରେଞ୍ଜ ଜେଲ୍ ଡିଆଇଜି ଅନୁସୂୟା ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କାର୍ଯ୍ୟରେ ଅବହେଳା ଯୋଗୁଁ ଜେଲ ୱାର୍ଡର ଅକ୍ଷୟ ମହାନ୍ତିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଗୋବିନ୍ଦ ସାହୁ ଜେଲ୍ ପରିସରରେ ଥିବା ଡାଇନିଂ ହଲ୍‌ର ଝରକାରେ ଟାୱେଲ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ତଦନ୍ତରୁ ଜଣାପଡ଼ିଛି ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏହି ଘଟଣା ଘଟିଛି । ଘଟଣା ସମୟରେ ଜଣେ ମାତ୍ର ୱାର୍ଡର ଥିଲେ । ଗୋବିନ୍ଦର ଆତ୍ମହତ୍ୟା ପରେ ମମିତା ମେହେରଙ୍କ ପରିବାର ଲୋକ ମୁହଁ ଖୋଲିଛନ୍ତି ।

ମମିତାଙ୍କ ମା’ ତୁଳସୀ ମେହେର କହିଛନ୍ତି ଯେ ଆମେ ଚାହୁଁଥିଲୁ ମମିତାର ଯେମିତି ଛଟପଟ ହୋଇ ଜୀବନ ଗଲା, ଗୋବିନ୍ଦର ମଧ୍ୟ ସେମିତି ଜୀବନ ଯାଉ । ସେଥିପାଇଁ ଗୋବିନ୍ଦଙ୍କୁ ଫାଶୀ ହୋଇଥିଲେ ଭଲ ହୋଇଥାନ୍ତା । ଗୋବିନ୍ଦ ଆତ୍ମହତ୍ୟା କରିଛି । ଭଗବାନ ତାକୁ ଦଣ୍ଡ ଦେଇଛନ୍ତି । ଅନ୍ୟପଟେ ମମିତାଙ୍କ ବଡ଼ବାପା କୌଶିକ ମେହର କହିଛନ୍ତି ଯେ ଆମ ଝିଅ ମମିତା ହତ୍ୟା ଘଟଣାରେ ଗୋବିନ୍ଦ ମୁଖ୍ୟ ନାୟକ । ଷଡ଼ଯନ୍ତ୍ର କରି ସେ ମମିତାକୁ ହତ୍ୟା କରିଥିଲା । ତାକୁ ଦଣ୍ଡ ଦେବା ପାଇଁ ଆମେ ପୁଲିସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲୁ, ସରକାରଙ୍କୁ ଅନୁରୋଧ କରିଥିଲୁ, ଭଗବାନଙ୍କୁ ପ୍ରାର୍ଥନା କରୁଥିଲୁ । ସେ ଦଣ୍ଡ ପାଇବା ଏକ ପ୍ରକାର ନିଶ୍ଚିତ ଥିଲା । ମାତ୍ର ଆଇନରେ ଦଣ୍ଡ ପାଇବା ପୂର୍ବରୁ ସେ ନିଜକୁ ନିଜେ ଦଣ୍ଡ ଦେଇ ନିଜର ଅପରାଧ ସ୍ୱୀକାର କରିଛି ।

ଏହି ମାମଲାରେ ଆଉ କିଛି ବ୍ୟକ୍ତି ମଧ୍ୟ ଅଭିଯୁକ୍ତ ଅଛନ୍ତି । ଆଇନ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବ ବୋଲି ଆମେ ଆଶାବାଦୀ । ସେ କହିଛନ୍ତି ଯେ ମମିତା ନିଖୋଜ ହେବାଠାରୁ ଗୋବିନ୍ଦ ସାହୁ ଗିରଫ ହେବା ପର୍ଯ୍ୟନ୍ତ ପ୍ରଶାସନ, ପୁଲିସ, ଗଣମାଧ୍ୟମ, ସ୍ଥାନୀୟ ଲୋକଙ୍କ ଅନେକ ସହଯୋଗ ରହିଥିଲା । ଫଳରେ ଗୋବିନ୍ଦ ସାହୁ ଭଳି ଏକ ହତ୍ୟାକାରୀ ଶେଷରେ ଗିରଫ ହୋଇଥିଲା । ଗିରଫ ହେବା ପରେ ଅଦାଲତରେ ସମସ୍ତ ସାକ୍ଷୀ ଗୋବିନ୍ଦ ବିରୋଧରେ ସାକ୍ଷ୍ୟ ଦେଇଥିଲେ । ଏପରିକି ତାଙ୍କ ଗାଁ ଲୋକ ମଧ୍ୟ ଗୋବିନ୍ଦ ବିରୋଧରେ ଯାଇଥିଲେ । ଗୋବିନ୍ଦଙ୍କ କିଛି ସମର୍ଥକ ସାକ୍ଷୀମାନଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ । ତଥାପି ଆଇନ ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଥିଲା । କିନ୍ତୁ ଆଇନ ଫାଶୀଦଣ୍ଡ ଦେବା ପୂର୍ବରୁ ଭଗବାନ ନିଜେ ଆତ୍ମହତ୍ୟା ରୂପରେ ଦଣ୍ଡ ଦେଇଛନ୍ତି । ଆତ୍ମହତ୍ୟା କରି ଗୋବିନ୍ଦ ନିଜେ କରିଥିବା ଭୁଲକୁ ସ୍ୱୀକାର କରିଥିବା ତାହାର ଆତ୍ମହତ୍ୟା ଘଟଣାରୁ ସ୍ପଷ୍ଟ ହୋଇଛି । ନ୍ୟାୟ ବ୍ୟବସ୍ଥା ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ନିଶ୍ଚିତ ଦଣ୍ଡ ପାଇବେ ବୋଲି କୌଶିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking