ବାଙ୍ଗାଲୋର : ଦୀର୍ଘ ସପ୍ତାହେ ହେଲାଣି ଉଡ୍ଡୁପି ଓ ବାଙ୍ଗାଲୋରରେ ହିଜାବ୍କୁ ନେଇ ଚାଲିଥିବା ହିଂସା ଓ ବିରୋଧ ପରେ ସୋମବାର ପୁଣି ଥରେ କର୍ଣ୍ଣାଟକରେ ହାଇସ୍କୁଲ୍ ଖୋଲିଛି । ଶିକ୍ଷା ସଂସ୍ଥା ଓ ଧାର୍ମିକ ଅନୁଷ୍ଠାନ ଉପରେ ହାଇକୋର୍ଟ ପ୍ରତିବନ୍ଧକ ଲଗାଇବା ପରେ ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସ୍କୁଲରେ ଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ପ୍ରବେଶ ପୂର୍ବରୁ ହିଜାବ୍ ହଟାଇବାକୁ କୁହାଯାଇଛି । ହିଜାବ୍କୁ ବିରୋଧ କରୁଥିବା ଲୋକେ ହାଇକୋର୍ଟରେ ନିଜର ପକ୍ଷ ରଖି କହିଛନ୍ତି ଯେ, କଲେଜ୍ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ । କାରଣ ସେମାନଙ୍କ ପାଖରେ କୌଣସି ଆଇନଗତ ଆଧାର ନାହିଁ । ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରିବେ । ଯେବେ ଯାଏଁ ହାଇକୋର୍ଟ ଏହାର କୌଣସି ନିଷ୍ପତ୍ତି ଶୁଣାଇ ନାହାନ୍ତି, ସେବେ ଯାଏଁ ଛାତ୍ରୀ ନିଜର ଧାର୍ମିକ ପରିଧାନରେ ସ୍କୁଲକୁ ଯାଇପାରିବେ । ଉଡ୍ଡୁପୀରେ ଖୋଲାଥିବା ହାଇସ୍କୁଲରେ ହିଜାବକୁ ନେଇ ସ୍ଥିତି ସାମାନ୍ୟ ରହିଛି । ସ୍କୁଲ ପରିସରକୁ ଯେଉଁ ମୁସଲିମ୍ ଛାତ୍ରୀ ହିଜାବ ପିନ୍ଧି ଆସିଥିଲେ ସେମାନଙ୍କୁ କକ୍ଷକୁ ଯିବା ପୂର୍ବରୁ ଏହାକୁ ଖୋଲିବା ପାଇଁ କୁହାଯାଇଥିଲା । ଏନେଇ ଉଡ୍ଡୁପୀର ତହସିଲଦାର ପ୍ରଦୀପ କୁରୁଦେକର କହିଛନ୍ତି, କେସରୀ ରଙ୍ଗର ସାଲ୍ରେ ହିନ୍ଦୁ ଛାତ୍ରୀ ଆସିଥିବାର କୌଣସି ସୂଚନା ନାହିଁ । ଅନ୍ୟପଟେ ଆଇନ୍ ପରିଚାଳନା ପାଇଁ ଉଡ୍ଡୁପୀ ସହର ଓ ସ୍କୁଲ ପରିସରରେ ପୋଲିସ କର୍ମୀଙ୍କୁ ନିଯୁକ୍ତ କରାଯାଇଥିବା ଦେଖିବାକୁ ମିଳିଛି । ଇତି ମଧ୍ୟରେ ଉଡ୍ଡୁପୀର ସରକାରୀ ହାଇସ୍କୁଲର ଅନ୍ୟ ପ୍ରି-ୟୁନିଭର୍ସିଟି କୋର୍ସର ଛାତ୍ରଛାତ୍ରୀ ଅଫ୍ଲାଇନ କ୍ଲାସ ପାଇଁ ଦରଖାସ୍ତ ଦେଇଛନ୍ତି । କିନ୍ତୁ ଏନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ସରକାର ଘୋଷଣା କରିଛନ୍ତି ହିଜାବକୁ ନେଇ ବନ୍ଦଥିବା ସ୍କୁଲ, କଲେଜ୍ ଓ ଡିଗ୍ରୀ କଲେଜ୍ ଫେବ୍ରୁଆରୀ ୧୬ରୁ ଖୋଲାଯିବ ଓ ହାଇକୋର୍ଟ ହିଜାବ୍ର ଶୁଣାଣି କରିବା ପର୍ଯ୍ୟନ୍ତ ଛାତ୍ରୀ ଏହାକୁ ପରିଧାନ କରିପାରିବେ ।