ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଶିଶୁ ମୃତ୍ୟୁହାର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହାର କାରଣ ଖୋଜୁ ଖୋଜୁ ବିଶେଷଜ୍ଞମାନେ ଆବିଷ୍କାର କରିଛନ୍ତି ଯେ ବାୟୁ ପ୍ରଦୂଷଣ ଏହାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଭାରତରେ ବାୟୁ ପ୍ରଦୂଷଣ କିପରି ଭାବେ ଶିଶୁ ମୃତ୍ୟୁହାରକୁ ପ୍ରଭାବିତ କରୁଛି ତାହାର ଅନୁସନ୍ଧାନ କରିଛନ୍ତି ।
ଗର୍ଭାବସ୍ଥା ସମୟରେ ମହିଳାମାନେ ପ୍ରଦୂଷଣର ସୂଷ୍ମ କଣିକାର ସଂସ୍ପର୍ଶରେ ଆସିବା ହେତୁ ନବଜାତ ଶିଶୁର ଓଜନ ଯେତିକି ରହିବା କଥା ତାହାଠାରୁ କମ ରହୁଛି । ଯେଉଁ କାରଣରୁ ଜନ୍ମର କିଛି ସମୟ ମଧ୍ୟରେ ନବଜାତର ମୃତ୍ୟୁ ହୋଇଯାଉଛି ବୋଲି ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ଗବେଷଣାକାରୀମାନେ କହିଛନ୍ତି ଯେ ବାୟୁରେ ଥିବା ପ୍ରଦୂଷଣ କଣିକା ଭାରତରେ ଶିଶୁ ମୃତ୍ୟୁହାର ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି । କାରଣ ଗର୍ଭଧାରଣର ଶେଷ ପର୍ଯ୍ୟାୟରେ ଶିଶୁମାନେ ପାର୍ଟିକୁଲେଟ ମ୍ୟାଟର (ପିଏମ)ର ବର୍ଦ୍ଧିତସ୍ତରର ସଂସ୍ପର୍ଶରେ ଆସିଥାଆନ୍ତି, ଯେଉଁ କାରଣରୁ ଜନ୍ମ ହେଉହେଉ ସେମାନଙ୍କ ମୃତ୍ୟୁ ହୋଇଯାଇଥାଏ । ପ୍ରଦୂଷଣର ଏହି ସୂକ୍ଷ୍ମ କଣିକା ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ଗର୍ଭବତୀ ମହିଳାଙ୍କ ଫୁସଫୁସରେ ପ୍ରବେଶ କରି ‘ଅକ୍ସିଡେଟିଭ୍ ପ୍ରେସର’ ସୃଷ୍ଟି କରିଥାଏ । କେବଳ ଏତିକି ନୁହେଁ, ଏହା ହର୍ମୋନରସ୍ତରକୁ ମଧ୍ୟ ପ୍ରଭାବିତ କରିଥାଏ । ଯାହା ଗର୍ଭସ୍ଥ ଶିଶୁର ବିକାଶ ଉପରେ ପ୍ରଭାବ ପକାଇଥାଏ । ଏହି କାରଣରୁ ଜନ୍ମ ସମୟରେ ନବଜାତ ଶିଶୁର ଓଜନ ସ୍ୱାଭାବିକଠାରୁ କମ୍ ହୋଇଯାଏ । ଏତଦବ୍ୟତୀତ ଗବେଷଣାରୁ ଜଣାପଡିଛି ଯେ ଯେଉଁ ଶିଶୁମାନଙ୍କର ଓଜନ ଜନ୍ମ ସମୟରେ କମ୍ ଥାଏ, ଉକ୍ତ ଶିଶୁଙ୍କ ଗୋଟିଏ ବର୍ଷ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଥ।।ଏ । ଏହି ସୂକ୍ଷ୍ମ କଣିକା ହେତୁ ପୁତ୍ର ସନ୍ତାନ ତୁଳନାରେ କନ୍ୟା ସନ୍ତାନମାନଙ୍କ ମୃତ୍ୟୁହାର ଅଧିକ ହେଉଥିବା ଗବେଷଣାରୁ ସୂଚନା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି କରାଯାଇଥିବା ବାୟୁ ଗୁଣବତ୍ତା ମାନକ ଅନୁଯାୟୀ, ଭାରତର ୧୩୦ କୋଟି ଜନସଂଖ୍ୟା ପ୍ରଦୂଷିତ ବାୟୁ ନିଶ୍ୱାସରେ ନେଉଛନ୍ତି, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୧୯ରେ ବାୟୁ ମଣ୍ଡଳରେ ୨.୫ ପାର୍ଟିକୁଲେଟ ମ୍ୟାଟର(ପିଏମ୍)ର ହାରାହାରି ସ୍ତର ପ୍ରତି ଘନ ମିଟରରେ ୭୦.୩ ମାଇକ୍ରୋଗ୍ରାମ୍ ରେକର୍ଡ କରାଯାଇଥିଲା । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପିଏମ ୨.୫ ପାଇଁ ଜାରି କରାଯାଇଥିବା ମାନକଠାରୁ ସାତ ଗୁଣ ଅଧିକ ଥିଲା ।