କାନବେରା : କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଆୱାର୍ଡ୍ସ ପ୍ରଦାନ କରାଯାଇଥିବା ବେଳେ ପୁରୁଷ ବିଭାଗରେ ବାମହାତୀ ପେସର୍ ମିଚେଲ୍ ଷ୍ଟାର୍କ ଆଲାନ୍ ବର୍ଡର୍ ମେଡାଲ୍ ହାସଲ କରିଛନ୍ତି । ସେହିପରି ମହିଳା ବିଭାଗରେ ଆଶଲି ଗାର୍ଡନର୍ ବେଲିଣ୍ଡା କ୍ଲାର୍କ ଆୱାର୍ଡ ଲାଭ କରିଛନ୍ତି । ୨୦୨୧-୨୨ ସିଜନ୍ରେ ଷ୍ଟାର୍କ ତିନିଟିଯାକ ଫର୍ମାଟ୍ରେ ଉନ୍ନତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ସିଏ ଆୱାର୍ଡର ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି । ସେ ୨୨ ବର୍ଷର ଏହି ପୁରସ୍କାର ଇତିହାସରେ ପଞ୍ଚମ ବୋଲର୍ ଭାବେ ଆଲାନ୍ ବର୍ଡର୍ ମେଡାଲ୍ ହାସଲ କରିପାରିଛନ୍ତି । ତାଙ୍କ ପୂର୍ବରୁ ପ୍ୟାଟ୍ କମିନ୍ସ, ମିଚେଲ୍ ଜନସନ୍, ବ୍ରେଟ୍ ଲି ‘ ଓ ଗ୍ଲେନ୍ ମ୍ୟାକ୍ଗ୍ରାଥ୍ ଏହି ପୁରସ୍କାର ହାସଲ କରିସାରିଛନ୍ତି ।
ଏହାଛଡ଼ା ଷ୍ଟାର୍କ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ବର୍ଷର ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ସେହିପରି ଗାର୍ଡନର୍ ମଧ୍ୟ ପ୍ରଥମ ଥର ପାଇଁ ସିଏ’ର ଶୀର୍ଷ ସମ୍ମାନ ପାଇଛନ୍ତି । ଏ ସଂକ୍ରାନ୍ତରେ ଗାର୍ଡନର୍ ତାଙ୍କ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି, ମୁଁ କଦାପି ଏହି ପୁରସ୍କାର ଜିତିବି ବୋଲି ଆଶା କରି ନ ଥିଲି । ଯେତେବେଳେ ପୁରସ୍କାର ପାଇଁ ମନୋନୀତ ହୋଇଥିବା ନେଇ ଖବର ପାଇଲି, ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲି । ପ୍ରଥମ ସ୍ୱଦେଶୀ ଖେଳାଳି ଭାବେ ବେଲିଣ୍ଡା କ୍ଲାର୍କ ପୁରସ୍କାର ଲାଭ କରିବା ମୋ ‘ ସହ ପରିବାର ପାଇଁ ସବୁଠାରୁ ବଡ଼ ସମ୍ମାନର ବିଷୟ । କ୍ରିକେଟ୍ ଜଗତରେ ଜଣେ ପ୍ରତିଷ୍ଠିତ ଖେଳାଳି ହେବା ପାଇଁ ମୁଁ ଲକ୍ଷ୍ୟ ରଖିଛି ।
ସେଥିସକାଶେ ବ୍ୟାଟ୍ ହେଉ କି ବଲ୍, ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ଉଦ୍ୟମ କରିଆସିଛି ଓ ଆଗାମୀ ଦିନରେ ଏହି ଧାରା ଜାରି ରଖିବା ନେଇ ଆଶାବାଦୀ ଅଛନ୍ତି ବୋଲି ଗାର୍ଡନର କହିଛନ୍ତି । ଗତ ବର୍ଷକ ମଧ୍ୟରେ ଷ୍ଟାର୍କ ସମୁଦାୟ ୪୩ଟି ୱିକେଟ୍ ନେଇ ଅଲ୍ରାଉଣ୍ଡର୍ ମିଚେଲ୍ ମାର୍ଶଙ୍କୁ ଆଲାନ୍ ବର୍ଡର୍ ପୁରସ୍କାର ପାଇଁ ହୋଇଥିବା ଭୋଟିଂ ପ୍ରକ୍ରିୟାରେ ପଛରେ ପକାଇଦେଇଥିଲେ । ସେହିପରି ଗାର୍ଡନର୍ ମଧ୍ୟ ଭୋଟିଂ ପିରିଅଡ୍ ମଧ୍ୟରେ ଅଷ୍ଟ୍ରେଲିଆ ପକ୍ଷରୁ ତୃତୀୟ ସର୍ବାଧିକ ସ୍କୋରର୍ ରହିଥିଲେ । ଏହାଛଡ଼ା ସେ ପଞ୍ଚମ ସର୍ବାଧିକ ୱିକେଟ୍ ହାସଲ କରିଥିବା ବୋଲର୍ ମଧ୍ୟ ଥିଲେ । ସେ ୨୮୧ ରନ୍ କରିବା ସହ ଏଥିରେ ୪ଟି ଅର୍ଦ୍ଧଶତକ ରହିଛି ଓ ସେ ୯ଟି ୱିକେଟ୍ ନେଇଛନ୍ତି । ସିଏ\’ର ଶୀର୍ଷ ଆୱାର୍ଡ ପାଇବା ସକାଶେ ହୋଇଥିବା ଭୋଟିଂ ପ୍ରକ୍ରିୟାରେ ତାଙ୍କୁ ୫୪ଟି ଭୋଟ୍ ମିଳିଥିବା ବେଳେ ୪୭ଟି ଭୋଟ୍ ସହ ବେଥ୍ ମୂନୀ ଓ ୩୯ଟି ଭୋଟ୍ ସହ ଆଲିସା ହିଲୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ ।
ଏହାଛଡ଼ା କ୍ଲାର୍କଙ୍କ ପତ୍ନୀ ଆଲିସା ତୃତୀୟ ଥର ପାଇଁ ବର୍ଷର ଶ୍ରେଷ୍ଠ ଦିନିକିଆ ମହିଳା ଖେଳାଳି ହୋଇପାରିଛନ୍ତି । ଗତ ବର୍ଷର ଟି-୨୦ ବିଶ୍ୱକପ୍ ଫାଇନାଲ୍ରେ ଜବରଦସ୍ତ ଇନିଂସ ଖେଳି ଦଳକୁ ପ୍ରଥମ ଥର ପାଇଁ ଚାମ୍ପିଅନ୍ କରାଇପାରିଥିବା ମାର୍ଶ ଏହି ଫର୍ମାଟ୍ରେ ବର୍ଷର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଗତ ବର୍ଷକ ଭିତରେ ମାର୍ଶ ୨୧ଟି ଟି-୨୦ ମ୍ୟାଚ୍ରେ ୬ଟି ଅର୍ଦ୍ଧଶତକ ସହ ୬୨୭ ରନ୍ କରିଛନ୍ତି । ଏହି ପୁରସ୍କାର ସକାଶେ ତାଙ୍କୁ ୫୩ଟି ଭୋଟ୍ ମିଳିଥିବା ବେଳେ ପେସର୍ ଜୋଶ୍ ହେଜଲଉଡ୍ଙ୍କୁ ୨୯ଟି ଓ ସ୍ପିନର୍ ଆଷ୍ଟନ୍ ଆଗର୍ଙ୍କୁ ୨୬ଟି ଭୋଟ୍ ମିଳିଛି । ସେହିପରି ମୂନୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ଫର୍ମାଟ୍ରେ ଶ୍ରେଷ୍ଠ ମହିଳା ଖେଳାଳି ହୋଇଛନ୍ତି । ତାଙ୍କୁ ୧୩ଟି ଭୋଟ୍ ମିଳିଥିବା ବେଳେ ତାଙ୍କ ପଛରେ ୧୦ଟି ଭୋଟ୍ ସହ ତାହିଲା ମ୍ୟାକ୍ଗ୍ରାଥ୍ ଦ୍ୱିତୀୟରେ ଓ ୬ଟି ଭୋଟ୍ ସହ ଗାର୍ଡନର୍ ତୃତୀୟ ସ୍ଥାନରେ ରହିଥିଲେ । ଏହାଛଡ଼ା ଟ୍ରେଭିସ୍ ହେଡ୍ ଟେଷ୍ଟ୍ ଫର୍ମାଟ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ସେ ଗତ ଆଶେସ୍ ସିରିଜ୍ରେ ୨ଟି ମ୍ୟାଚ୍ ବିଜୟୀ ଶତକ ହାସଲ କରିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।