ନୂଆଦିଲ୍ଲୀ: ଝାଡଖଣ୍ଡର ଦେବଘର ଅନ୍ତର୍ଗତ ଠଢିଆର ଗ୍ରାମରେ ଲକ ଡାଉନ ସମୟରେ ଘରୁ ବାହାରିଥିବା ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଛି । ତାଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି ଅଭିଯୁକ୍ତ । ତାଙ୍କ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ପୀଡିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ତିନି ଜଣ ଅଭିଯୁକ୍ତଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । ପୋଲିସର ସୂଚନା ଅନୁସାରେ, ନାବାଳିକା ଜଣକ ଏପ୍ରିଲ ୮ରେ ଅପରାହ୍ନ ସମୟରେ କପଡା ସିଲେଇ କରିବାକୁ ସାଇକେଲ ନେଇ ପାଖ ଗାଁକୁ ଯାଇଥିଲେ । ମାତ୍ର ଏହାପରେ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଅନେକ ଖାଜାଖୋଜି କରିବା ପରେ ବି ନାବାଳିକା ଜଣକର କୌଣସି ପତା ମିଳିନଥିଲା । ଏହାପରେ ବାଧ୍ୟ ହୋଇ ପରିବାର ପକ୍ଷରୁ ଗୁରୁବାର ମୋହନପୁର ଥାନାରେ ଏତଲା ଦିଆଯାଇଥିଲା । ପରେ ଶୁକ୍ରବାର ନିକଟ ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତ ଦେହକୁ ଉଦ୍ଧାର କରିଥିଲା ପୋଲିସ ।