ଭିଲାଇ: ହାଇଦ୍ରାବାଦରେ ଭେଟେରିନାରି ଡାକ୍ତରଙ୍କ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ନିର୍ଭୟା ଦୁଷ୍କର୍ମକାରୀଙ୍କ ରାଜକ୍ଷମା ଆବେଦନକୁ ଖାରଜ କରି ତାଙ୍କୁ ପାସୀଦଣ୍ଡ ଦିଆଯିବ ବୋଲି ସ୍ପଷ୍ଟ ହୋଇଛି | ଏହି ପରିସ୍ଥିତିରେ ଛତିଶଗଡ ଭିଲାଇରେ ଆଉ ଏକ ଦୁଷ୍କର୍ମ ଘଟଣା ଏବେ ସାମ୍ନାକୁ ଆସିଛି । ମୁମ୍ବାଇର ଜଣେ ଡ୍ୟାନ୍ସରଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ କିଛି ବନ୍ଧୁଙ୍କ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିବା ପରେ ଯୁବତୀଙ୍କଠାରୁ ୫୦ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇଥିବା ବେଳେ ଟ୍ୟାକ୍ସିରେ ରାୟପୁର ପଠାଇଦେଇଥିଲେ ।
ଯୁବତୀ ଜଣଙ୍କ ଆଜାଦ ଚୌକ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି । ଇଭେଣ୍ଟ ମ୍ୟାନେଜର ସୋନୁ, ତାଙ୍କ ବନ୍ଧୁ କବିର, ରାଜ୍ ଏବଂ କମଳେଶଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା । ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଛି । ପୋଲିସର ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ୨୨ ବର୍ଷ ବୟସ୍କା ଡ୍ୟାନ୍ସରଙ୍କୁ ଇଭେଣ୍ଟ ମ୍ୟାନେଜର ସୋନୁ ତାଙ୍କୁ ଡକାଇଥିଲା । ସୁପେଲା ସ୍ଥିତ ଏକ ହୋଟେଲରେ ଯୁବତୀ ଜଣଙ୍କ ରହିଥିଲେ । ମ୍ୟାନେଜରଙ୍କ କହିବା ଅନୁଯାୟୀ ଚାରି ଦିନ ଧରି ଇଭେଣ୍ଟରେ ଡ୍ୟାନ୍ସ କରିଥିଲେ । ବୁଧବାର ଦିନ ମ୍ୟାନେଜର ତାଙ୍କୁ ଫୋନ୍ କରି କହିଥିଲେ ଯେ, ରାୟପୁରରେ ଇଭେଣ୍ଟ ଅଛି ସେଠାକୁ ଯିବାକୁ ପଡିବ । ତେବେ ମ୍ୟାନେଜରଙ୍କ ସାଙ୍ଗ ଏକ ଟ୍ୟାକ୍ସି ନେଇ ଆସିଥିଲେ । ତାପରେ ସମସ୍ତେ ରାୟପୁର ଅଭିମୁଖେ ବାହାରି ଯାଇଥିଲେ । ରାସ୍ତାରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବାର ସୂଚନା ମିଳିଛି ।