ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାମପୁର ଥାନା ଅଞ୍ଚଳର ସେଫନିରେ ମାଆ ଓ ଝିଅଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଚୋରିକୁ ବିରୋଧ କରିବାରୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରାଯାଇଛି । ପିଡୀତ ପ୍ରଥମେ ଥାନାରେ ଚୋରିର ଏତଲା ଦେଇଥିଲେ । ଏହାପରେ ସ୍ତ୍ରୀ ଓ ନାବାଳିକା ଝିଅ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ବି ଅଭିଯୋଗ କରିଛନ୍ତି । ଉଭୟ ପିଡୀତାଙ୍କୁ ମେଡିକାଲ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଲିସ ପଠାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଗତ ଶନିବାର ଦିନ ରାମପୁର ସେଫନି ଥାନା ଅଞ୍ଚଳର ଏକ ଗାଁରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ କିଛି ଦୁର୍ବୁତ୍ତ ୫୦୦୦ ଟଙ୍କା ଓ ଫୋନ ଚୋରି କରି ନେଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ପରେ ସେ କହିଥିଲେ ଯେ ୩ଜଣ ଦୁର୍ବୁତ୍ତ ତାଙ୍କ ପତ୍ନୀ ଏବଂ ନାବାଳିକା ଝିଅ ସହ ମଧ୍ୟ ଦୁଷ୍କର୍ମ କରିଥିଲେ । ରାମପୁରରେ ମା ଓ ଝିଅକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ପରେ ପୋଲିସ ଅଧୀକ୍ଷକ ଅଶୋକ କୁମାର ଶୁକ୍ଲା ପହଞ୍ଚି ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ । ଏନେଇ ଏସ୍ପି ଶୁକ୍ଳା କହିଛନ୍ତି ଯେ, ଏହି ମାମଲା ସନ୍ଦେହଜନକ ରହିଛି । ସେ ଯେଉଁମାନଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ସେମାନଙ୍କ ସହ ପୂର୍ବରୁ ତାଙ୍କର ବିବାଦ ରହିଥିଲା ।
ଏସପି ଅଶୋକ କୁମାର ଶୁକ୍ଲା ଆହୁରି ମଧ୍ୟ କହିଛନ୍ତି, ଏହି ମାମଲାରେ ପୀଡିତାଙ୍କ ପରିବାର ଗୋଟିଏ ଥରରେ ସମ୍ପୂର୍ଣ୍ଣ ସୂଚନା ଦେଇ ନାହାଁନ୍ତି । ଅନେକ ରାଉଣ୍ଡ ପଚରାଉଚରା ବେଳେ ପୀଡ଼ିତା ଓ ତାଙ୍କ ପରିବାର ପୋଲିସକୁ ପ୍ରତ୍ୟେକ ଥର ନୂଆ କଥା କହିଥିଲେ । ସେଥିପାଇଁ ପୋଲିସ ଏବେ ଅନେକ ଦିଗ ଉପରେ ଅନୁସନ୍ଧାନ କରୁଛି । ଅନ୍ୟପଟେ ପୀଡ଼ିତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ଗତ ଶନିବାର ରାତିରେ ୩ଜଣ ଦୁଷ୍କର୍ମକାରୀ ତାଙ୍କ ଘରେ ପ୍ରବେଶ କରି ଲୁଟ୍ କରିଥିଲେ । ତାହାକୁ ପ୍ରତିବାଦ କରିବାରୁ ତାଙ୍କୁ ଖଟରେ ବାନ୍ଧି ଦେଇ ତାଙ୍କ ଆଖି ସାମ୍ନାରେ ପତ୍ନୀ ଏବଂ ଝିଅ ସହ ଗଣଦୁଷ୍କର୍ମ କରିଥିଲେ । କିନ୍ତୁ ଶନିବାର ରାତିରେ ଅଭିଯୋଗକାରୀ କେବଳ ଚୋରି ବିଷୟରେ ପୋଲିସକୁ ସୂଚନା ଦେଇଥିବା କହିଛନ୍ତି ରାମପୁର ଏସପି । ଏନେଇ ସେହି ଆଧାରରେ ସେଫନି ପୋଲିସ ଏକ ମାମଲା ରୁଜୁ ମଧ୍ୟ କରିଥିଲା । କିନ୍ତୁ ତାପର ଦିନ ଗଣଦୁଷ୍କର୍ମ ଅଭିଯୋଗ ନେଇ ପୋଲିସ ଦ୍ୱନ୍ଦ୍ୱରେ ପଡିବା ସହ ତଦନ୍ତ ଜାରି ରଖିଛି ।