ଲକ୍ଷ୍ନୌ: ବିପର୍ଯ୍ୟସ୍ତ ଆଇନ ଶୃଙ୍ଗଳା ଓ ନାରୀ ସୁରକ୍ଷା ଦିଗରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶରେ ପୁଣି ଦେଖିବାକୁ ମିଳିଛି ଜଘନ୍ୟ କାଣ୍ଡ । ମେଳା ଦେଖିବାକୁ ଯାଇଥିବା ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସେହିିପରି ଅନ୍ୟ ୫ ନାବାଳିକାଙ୍କୁ ଅପହରଣ କରିବା ପାଇଁ ଅଭିଯୁକ୍ତମାନେ ଉଦ୍ୟମ କରିଛନ୍ତି । ଉତ୍ତର ପ୍ରଦେଶ ଫତେହପୁର ଅଞ୍ଚଳରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣା ନେଇ ଥାନାରେ ଅଭିଯୋଗ କରାଯିବା ପରେ ସ୍ଥାନୀୟ ପୋଲିସ ଘଟଣାକୁ ରୂପ ଦେଇଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରୁଛି । ଅଭିଯୋଗ ଅନୁସାରେ ପୀଡିତା ଦୁଇ ନାବାଳିକାଙ୍କର ଡାକ୍ତରୀମାଇନା ମଧ୍ୟ କରାଯାଇଛି ।
ବରିଷ୍ଠ ଅଧିକାରୀଙ୍କ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହ ଦୁଇ ନାବାଳିକା ପୀଡିତାଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି । ସେହିପରି ଗ୍ରାମରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି । ଅଭିଯୋଗ ଅନୁସାରେ ଫତେହପୁର ଜିଲ୍ଲାରେ ମେଳା ଦେଖିବାକୁ ଯାଇଥିବା ନାବାଳିକାଙ୍କୁ ସଙ୍ଘବଦ୍ଧ ଭାବେ କିଛି ଯୁବକ ଆକ୍ରମଣ କରିଥଲେ । ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ ଅନ୍ୟ ୫ ଜଣ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ହେଲେ କୌଣସି ପ୍ରକାରେ ୫ ଜଣ ନାବାଳିକା ଅଭିଯୁକ୍ତଙ୍କ କବଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପରେ ସେମାନେ ଗ୍ରାମରେ ଏକଥା ଜଣାଇବା ପରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଏଥିରେ ସମ୍ପୃକ୍ତ ୬ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଆଜି ସକାଳେ ପୀଡିତା ପରିବାର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ସମସ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି ।