ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟର୍ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ମଙ୍ଗଳବାର ବିସିସିଆଇ ସମ୍ପାଦକ ଜୟ ଶାହ ଆଧିକାରିକ ଭାବେ ଏହି ସୂଚନା ଦେଇଛନ୍ତି । ସେ ଏବେ ରାହୁଲ ଦ୍ରାବିଡ୍ଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ । ତେବେ ଗମ୍ଭୀର ଏପର୍ଯ୍ୟନ୍ତ କୋଚ୍ଙ୍କ ସାଲାରୀ କଣ୍ଟ୍ରାକ୍ଟରେ ସ୍ୱାକ୍ଷର କରିନାହାନ୍ତି । ବିସିସିଆଇର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ‘ଗମ୍ଭୀରଙ୍କ ପାଇଁ ଦାୟିତ୍ୱ ସମ୍ଭାଳିବା ଅଧିକ ମହତ୍ତ୍ୱପୂର୍ଣ୍ଣ ଥିଲା ।
ସାଲାରୀ ଏବଂ ଅନ୍ୟ ବିଷୟ ଉପରେ କାମ ଚାଲିଛି । ଏହା ୨୦୧୪ରେ ଡଙ୍କନ୍ ଫ୍ଲେଚର୍ଙ୍କ ସ୍ଥାନରେ ପ୍ରଥମ ଥର ରବି ଶାସ୍ତ୍ରୀଙ୍କୁ କ୍ରିକେଟ୍ ନିର୍ଦ୍ଦେଶକ ନିଯୁକ୍ତ କରିବା ଭଳି ମାମଲା ହୋଇଛି । ଯେଉଁଦିନ ଶାସ୍ତ୍ରୀ ଦାୟିତ୍ୱ ନେଲେ, ତାଙ୍କ ନିକଟରେ କଣ୍ଟ୍ରାକ୍ଟ ନଥିଲା ଏବଂ ପରେ ଏସବୁ ଔପଚାରିକତା ପୂରଣ କରାଯାଇଥିଲା । ଗମ୍ଭୀରଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି ଏବଂ ତାଙ୍କ ସାଲାରୀ ଏବଂ ଅନ୍ୟାନ୍ୟ ବିଷୟ ଉପରେ କାମ ଚାଲିଛି । ତେବେ ତାଙ୍କ ସାଲାରୀ ଦ୍ରାବିଡ୍ଙ୍କ ସାଲାରୀ ସମକକ୍ଷ ହେବ ।’ ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ୍ ଶେଷ ସହିତ ଦ୍ରାବିଡ୍ଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି । ନୂତନ ଭାବେ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଥିବା ଗମ୍ଭୀରଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ରହିବ ।