ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପ୍ରଦର୍ଶନ ପରେ ଦଳରେ ମାନସ ମନ୍ଥନ ଆରମ୍ଭ ହୋଇଛି । ଏଥିପାଇଁ ରବିବାର ସ୍ଥାନୀୟ କଂଗ୍ରେସ ମୁଖ୍ୟାଳୟରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର (ସିଡବ୍ଲ୍ୟୁସି) ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇ ବିପର୍ଯ୍ୟୟର କାରଣ ଏବଂ ଏହାର ନିରାକରଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଛି । ବୈଠକରେ କଂଗ୍ରେସ ପାଇଁ ବିରୋଧୀ ସାଜିଥିବା ୨୩ ଜଣ ପୁରୁଖା ନେତା (ଜି-୨୩ ନାମରେ ପରିଚିତ) ସେମାନଙ୍କର ମତାମତ ମଧ୍ୟ ରଖିଛନ୍ତି । ଏମାନଙ୍କ କହିବା ଅନୁଯାୟୀ ସେମାନେ ହେଉଛନ୍ତି ଆଜୀବନ କଂଗ୍ରେସ କର୍ମୀ । କିନ୍ତୁ ଦଳରେ ସ୍ଥାନ ଜମାଇଥିବା ନାରଦ ଚରିତ୍ରର କର୍ମୀଙ୍କୁ ଉଚିତ ଶିକ୍ଷା ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି । ପୌରାଣିକ ମତବାଦ ଅନୁଯାୟୀ ହିନ୍ଦୁ ଧର୍ମଶାସ୍ତ୍ରରେ ନାରନ ମୁନିଙ୍କୁ କଳିହୁଡା ଭାବେ ଚିତ୍ରିତ କରାଯାଇଛି । ଦଳକୁ ଶକ୍ତିଶାଳୀ କରିବାକୁ ବିଭ୍ରାନ୍ତକାରୀ ଗୋଷ୍ଠୀ ହାଇକମାଣ୍ଡଙ୍କୁ ଯେଉଁ ପରାମର୍ଶ ଦେଉଛନ୍ତି, ତଦ୍ୱାରା ଦଳ ଆହୁରି ନିମ୍ନଗାମୀ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏକଦା କଂଗ୍ରେସର ଦୁର୍ଗ କୁହାଯାଉଥିବା ଉତ୍ତର ଭାରତ ବର୍ତ୍ତମାନ ସେମାନଙ୍କ କବ୍ଜାରୁ ଖସିଗଲାଣି । ତେଣୁ ଉତ୍ତର ଭାରତରେ ନିଜର ପୂର୍ବ ସ୍ଥିତି ଫେରାଇ ଆଣିବାକୁୁ କଂଗ୍ରେସ ନିଜର ପୁରୁଣା ଚିନ୍ତାଧାରାକୁ ପୁଣି କାର୍ଯ୍ୟକାରୀ କରୁ ବୋଲି ସେମାନେ କହିଛନ୍ତି । ଜି-୨୩ ଗୋଷ୍ଠୀ ମଧ୍ୟରୁ କେବଳ ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା ଓ ମୁକୁଲ ୱାସ୍ନିକ୍ ଉକ୍ତ ବୈଠକରେ ଯୋଗଦେଇଥିଲେ ।