24.1 C
Bhubaneswar
Sunday, October 20, 2024
Homeଓଡିଶାଆଜିଠୁ ସ୍କୁଲ ଓ ଅଙ୍ଗନବାଡ଼ିରେ ଖରାଛୁଟି; ଜିଲାସ୍ତରରେ ରହିବ ହେଲ୍ଫଡେସ୍କ

ଆଜିଠୁ ସ୍କୁଲ ଓ ଅଙ୍ଗନବାଡ଼ିରେ ଖରାଛୁଟି; ଜିଲାସ୍ତରରେ ରହିବ ହେଲ୍ଫଡେସ୍କ

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକରେ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ଆଜିଠୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ର ଖରାଛୁଟି ଯୋଗୁଁ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିବର୍ଷ ମେ’ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ଖରାଛୁଟି ଆରମ୍ଭ ହୋଇଥାଏ ଏବଂ ରଜ ପରେ ବିଦ୍ୟାଳୟଗୁଡ଼ିକ ଖୋଲିଥାଏ । କିନ୍ତୁ ଚଳିତବର୍ଷ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରୁ ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ତେଣୁ ଶୁକ୍ରବାର ଠାରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ବିଦ୍ୟାଳୟ ଖୋଲାଯିବ ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି । ରାଜ୍ୟର କେତେକ ସହରର ତାପମାତ୍ରା ଦେଶର ସର୍ବାଧିକ ତାପମାତ୍ରା ରହୁଥିବା ସହର ତାଲିକାରେ ରହୁଛି । ତେଣୁ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟରେ ଏବେ ତାପମାତ୍ରା ବୃଦ୍ଧି ସହିତ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଚଳିତ ମାସରେ ରାଜ୍ୟ ସରକାର ଦୁଇ ଦୁଇଥର ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରିଥିଲେ । ପ୍ରଥମେ ଚଳିତମାସ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଥିଲା । ଏହାପରେ ବିଦ୍ୟାଳୟ ଖୋଲିବା ସହିତ ପାଠପଢ଼ା ସମୟକୁ ସକାଳ ୬ଟା ୩୦ରୁ ୧୧ଟା ମଧ୍ୟରେ ସୀମିତ ରଖାଯାଇଥିଲା । ହେଲେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ପୁଣି ୧୯ ଓ ୨୦ତାରିଖ ଦୁଇଦିନ ପାଇଁ ଛୁଟି ଘୋଷଣା କରିଥିଲେ । କିନ୍ତୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଆସନ୍ତାକାଲିଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଖରାଛୁଟି ଘୋଷଣା କରିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଚଳିତବର୍ଷ ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା କାର୍ଯ୍ୟରେ ନିୟୋଜିତ ରଖିବାକୁ ପ୍ରଥମ ଥର ପାଇଁ ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତରର ପିଲାମାନଙ୍କ ନିମନ୍ତେ ‘ଅବକାଶ ଗୃହକାର୍ଯ୍ୟ’ ଆରମ୍ଭ ହେବ । ଗ୍ରୀଷ୍ମ ଅବକାଶରେ ପିଲାମାନେ ସେମାନଙ୍କର ଅଭିଭାବକମାନଙ୍କର ସହାୟତାରେ ଏହି ଗୃହକାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିବେ । ଅଭିଭାବକ ହିସାବରେ ପିଲାମାନଙ୍କୁ ଏହି ‘ଅବକାଶ ଗୃହ କାର୍ଯ୍ୟ’ ସମ୍ପାଦନ କରିବାକୁ ପ୍ରୋତ୍ସାହିତ କରିବେ ।

ଯାହାଫଳରେ ପିଲାମାନେ ଖରାଛୁଟିକୁ ଉପଭୋଗ କରିବା ସହ ପାଠ୍ୟପୁସ୍ତକ ସହ ସଂଯୁକ୍ତ ହୋଇ ରହିବେ । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲାସ୍ତରରେ ହେଲ୍ଫ୍ପ ଡେସ୍କ ତଥା କଲ୍ ସେଣ୍ଟର ପ୍ରଚଳନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହା ଜିଲାସ୍ତରରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ । ଛାତ୍ରଛାତ୍ରୀ ‘ଅବକାଶ ଗୃହକାର୍ଯ୍ୟ’ ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ, ସେମାନେ ସଂପୃକ୍ତ ହେଲ୍ପ ଡେସ୍କ ତଥା କଲ୍ ସେଣ୍ଟରକୁ ଫୋନ କରି ସହାୟତା ନେଇ ପାରିବେ । ତାଙ୍କର ସମସ୍ତ ସମସ୍ୟାକୁ ଦକ୍ଷ ଓ ବିଷୟଭତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସମାଧାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking