ଲୌସେନ୍: ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପକ୍ଷରୁ ଅଭିନବ ଉଦ୍ୟମ କ୍ରମେ ୫ଏସ୍ ଟୁର୍ଣ୍ଣାମେଣ୍ଟ୍ର ଆୟୋଜନ କରାଯାଇଛି। କ୍ରିକେଟ୍ରେ ଟି-୨୦ ପରି, ରଗ୍ବୀରେ ୭ଏସ୍ ପରି ଓ ବାସ୍କେଟବଲ୍ରେ ୩ଗୁଣା ୩ ପରି ହକିର ଏହି ଛୋଟ ଫର୍ମାଟ୍କୁ ହକି ପ୍ରେମୀଙ୍କ ନିକଟରେ ଲୋକପ୍ରିୟ କରାଇବା ସକାଶେ ଏଫ୍ଆଇଏଚ୍ ପକ୍ଷରୁ ଏପରି ଏକ ଉଦ୍ୟମ ଆରମ୍ଭ ହୋଇଛି । ଏଥିରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ମ୍ୟାଚ୍ ଖେଳାଯିବ । ଏହି ଉଦ୍ଘାଟନୀ ସଂସ୍କରଣରେ ଭାରତ ଉଭୟ ବିଭଗରେ ଭାଗ ନେଉଥିବା ବେଳେ ପୁରୁଷ ଟିମ୍ ଆୟୋଜକ ସ୍ୱିଜରଲାଣ୍ଡ୍ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ସେହିପରି ଦିନର ଦ୍ୱିତୀୟ ମ୍ୟାଚ୍ରେ ଦଳ ପାକିସ୍ତାନକୁ ଭେଟିବ । ପରେ ପ୍ରତିଯୋଗିତାର ଦ୍ୱିତୀୟ ତଥା ଅନ୍ତିମ ଦିନରେ ଦଳର ମୁକାବିଲା ମାଲେସିଆ ଓ ପୋଲାଣ୍ଡ୍ ସହ ହେବ ।
ଅନ୍ୟପକ୍ଷରେ ରଜନୀ ଏତିମାର୍ପୁଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଟିମ୍ ଉରୁଗୁଏ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିବ । ଉକ୍ତ ଦିନ ଦଳ ତା’ର ଦ୍ୱିତୀୟ ମୁକାବିଲାରେ ପୋଲାଣ୍ଡ୍କୁ ଭେଟିବାକୁ ଥିବା ବେଳେ ରବିବାର ଉଦ୍ଯାପନୀ ଦିବସରେ ଆୟୋଜକ ସ୍ୱିଜରଲାଣ୍ଡ୍ ଓ ସାଉଥ୍ ଆଫ୍ରିକା ବିପକ୍ଷରେ ମଧ୍ୟ ଲଢ଼େଇ କରିବ । ଟୁର୍ଣ୍ଣାମେଣ୍ଟ୍ ସମ୍ପର୍କରେ ଏତିମାର୍ପୁ କହିଛନ୍ତି ଯେ ଏହି ଟୁର୍ଣ୍ଣାମେଣ୍ଟ୍ରେ ସବୁ ଟିମ୍ ପ୍ରଥମ ଥର ପାଇଁ ନୂଆ ଅଭିଜ୍ଞତା ହାସଲ କରିବାକୁ ଯାଉଛନ୍ତି । ତେଣୁ ପ୍ରଥମରୁ ସବୁ ଟିମ୍ ସମାନ ସ୍ଥିତିରେ ରହିବେ ।
କିନ୍ତୁ ଆମେ ଆମ ଦକ୍ଷତାର ଉତ୍ତମ ପରିଚୟ ଦେଇ ସମ୍ପୂର୍ଣ୍ଣ ଭାବେ ଫର୍ମାଟ୍ର ମଜା ଉଠାଇ ବିଜୟୀ ହେବାକୁ ଭରପୂର ଉଦ୍ୟମ କରିବୁ ବୋଲି ଏତିମାର୍ପୁ କହିଛନ୍ତି । ଅନ୍ୟପକ୍ଷରେ ଏହି ଫର୍ମାଟ୍ ମାଧ୍ୟମରେ ଚାପଗ୍ରସ୍ତ ପରିସ୍ଥିତିର ମୁକାବିଲା କରିବାର ତରିକା ଆମ ଖେଳାଳିମାନେ ହାସଲ କରିପାରିବେ ବୋଲି ଉପଅଧିନାୟିକା ମହିମା ଚୌଧୁରୀ ମତ ଦେଇଛନ୍ତି । ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେଉଥିବା ଗୁରିନ୍ଦର ସିଂହ ନୂଆ ଫର୍ମାଟ୍ରେ ପଡ଼ିଆକୁ ଓହ୍ଲାଇବାକୁ ତାଙ୍କ ସାଥୀ ଖେଳାଳିମାନେ ବେଶ୍ ବ୍ୟଗ୍ର ବୋଲି କହିଛନ୍ତି । ଟୁର୍ଣ୍ଣାମେଣ୍ଟ୍ ପାଇଁ ସମସ୍ତେ ଉତ୍ତମ ପ୍ରସ୍ତୁତି କରିଛନ୍ତି । ତେବେ ଫର୍ମାଟ୍ ନୂଆ ଥିବାରୁ ଏହା ସମସ୍ତଙ୍କ ସକାଶେ ଚାଲେଞ୍ଜ୍ପୂର୍ଣ୍ଣ ହେବ । କିନ୍ତୁ ପରିସ୍ଥିତି ସହ ଖାପ ଖୁଆଇପାରିଲେ ଆମେ ନିଶ୍ଚିତ ସଫଳ ହେବୁ ବୋଲି ଗୁରିନ୍ଦର କହିଛନ୍ତି ।