ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରୁ ଅର୍ପଣ ରଥ ମାଧ୍ୟମରେ ଅରୁଆ ଚାଉଳ, ଗୁଆ, ନଡ଼ିଆ ସଂଗ୍ରହ କରାଯାଇଥିଲା । ଭକ୍ତଙ୍କଠାରୁ ସଂଗୃହୀତ ଚାଉଳ, ଗୁଆ ଓ ନଡ଼ିଆ ସମ୍ମାନର ସହ ଗ୍ରହଣ କରାଯିବ ବୋଲି ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯିବା ପରେ ଆରମ୍ଭ ହୋଇଛି ଚାଉଳ ଗ୍ରହଣ ପ୍ରକ୍ରିୟା । ବୁଧବାର ଦେବଗଡ଼ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ପୁରୀକୁ ଆସିଛି ଅର୍ପଣ ଚାଉଳ ।
ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦ୍ୱାରା ଦିଆଯାଇଥିବା ଏହି ଭକ୍ତିଅର୍ଘ୍ୟକୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଉଥିବାବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏହାକୁ ଗ୍ରହଣ କରୁଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଏହାକୁ ଶୁଦ୍ଧ ଓ ଭକ୍ତିର ସହ ଗ୍ରହଣ କରାଯାଇଛି । ଆସନ୍ତା ଫେବୃୟାରୀ ୧୯ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରୁ ଟ୍ରକ୍ ଯୋଗେ ଆସିଥିବା ଚାଉଳ ଗ୍ରହଣ କରି ଗୁଣ୍ଡିଚା ମନ୍ଦିର ଭିତରେ ସଂରକ୍ଷିତ କରି ରଖାଯିବ ।
ପରେ ଏହା ସୁଆର ମହାସୁଆର ନିଯୋଗକୁ ହସ୍ତାନ୍ତର କରାଯିବ । ପ୍ରତିଦିନ ୭୦୦ରୁ ୮୦୦ କ୍ୱିଣ୍ଟାଲ୍ ଚାଉଳ ଗ୍ରହଣ ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦିନରେ ଦେବଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ୬୦୦- ୭୦୦ କ୍ୱିଣ୍ଟାଲ୍ ଅରୁଆ ଚାଉଳ ସହ ଗୁଆ ଓ ନଡ଼ିଆ ଆସିଥିବା ସୂଚନା ମିଳିଥିଲା ।