ପ୍ୟାରିସ: ଚଳିତ ଫ୍ରେଞ୍ଚ୍ ଓପନ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି ବିଶ୍ୱର ଦୁଇ ନମ୍ବର ଖେଳାଳି ଆରିନା ସାବାଲେଙ୍କା ଓ କ୍ୟାରୋଲିନା ମୁଚୋଭା । ମଙ୍ଗଳବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସର ପ୍ରଥମ କ୍ୱାର୍ଟର୍ ଫାଇନାଲ୍ରେ ବେଲାରୁଷ୍ର ସାବାଲେଙ୍କା ୬-୪, ୬-୪ ସିଧାସଳଖ ସେଟ୍ରେ ୟୁକ୍ରେନ୍ର ଏଲିନା ସ୍ୱିତୋଲିନାଙ୍କୁ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍ରେ ଯଦିଓ ସାବାଲେଙ୍କା ୩୭ଟି ଅନ୍ଫୋର୍ସଡ ଏରର୍ କରିଥିଲେ, ତଥାପି ଦୃଢ଼ ପ୍ରଦର୍ଶନ ମାଧ୍ୟମରେ ସେ ବିଜୟୀ ହୋଇଥିଲେ ।
ସ୍ୱିତୋଲିନା ୧୨ଟି ଅନ୍ଫୋର୍ସଡ ଏରର୍ କରିଥିଲେ । ଏହି ବିଜୟ ସହ ଏଠାରେ ଚାମ୍ପିଅନ୍ ହୋଇ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିବା ଦିଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି । ତେବେ ମ୍ୟାଚ୍ ଶେଷ ହେବା ପରେ ନେଟ୍ ପାଖରେ ସ୍ୱିତୋଲିନାଙ୍କ ସହ କରମର୍ଦ୍ଦନ ପାଇଁ ସାବାଲେଙ୍କା ଅପେକ୍ଷା କରିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା ।
ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ କୌଣସି ୟୁକ୍ରେନ୍ ଖେଳାଳି ରୁଷିଆ ଖେଳାଳିଙ୍କ ସହ କରମର୍ଦ୍ଦନ କରିବାକୁ ଆଦୌ ଆଗ୍ରହୀ ନ ଥିବା ପୂର୍ବରୁ ସ୍ପଷ୍ଟ କରିସାରିଥିବା ବେଳେ ସେମାନଙ୍କ ମଧ୍ୟରେ ସ୍ୱିତୋଲିନା ମଧ୍ୟ ସାମିଲ୍ ଥିଲେ । କିନ୍ତୁ ସେ କରମର୍ଦ୍ଦନ କରିବେ ନାହିଁ ବୋଲି ଘୋଷଣା କରିବା ସତ୍ତ୍ୱେ ସାବାଲେଙ୍କା ନେଟ୍ ପାଖରେ ତାଙ୍କୁ ଅପେକ୍ଷା କରିବା ଦୁର୍ଭାଗ୍ୟଜନକ ବୋଲି ୨୮ ବର୍ଷୀୟା ସ୍ୱିତୋଲିନା କହିଛନ୍ତି । ଅନ୍ୟପକ୍ଷରେ ପ୍ୟାରିସ୍ ସମର୍ଥନ ତାଙ୍କୁ ସମର୍ଥନ କରି ନ ଥିଲେ ମଧ୍ୟ ଫ୍ରାନ୍ସର ଗେଲ୍ ମୋନଫିଲ୍ସଙ୍କୁ ବିବାହ କରିବା ପରେ ଦେଶବାସୀ ତାଙ୍କୁ ହୃଦୟରେ ସ୍ଥାନ ଦେଇଥିବା କହିଛନ୍ତି ।
ସେହିପରି ପୁରୁଷ ସିଙ୍ଗଲ୍ସରେ ସର୍ବିୟାର ନୋଭାକ୍ ଜୋକୋଭିଚ୍ ରୁଷିଆର ଏକାଦଶ ସିଡ୍ ଖେଳାଳି କାରେନ୍ ଖାଚାନୋଭ୍ଙ୍କୁ ୪-୬,୭-୬(୭/୦), ୬-୨ରେ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି । ଏଥିସହ ଏଠାରେ ରେକର୍ଡ ୨୩ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବା ଦିଗରେ ବିଶ୍ୱର ଏହି ୩ ନମ୍ବର ଖେଳାଳି ଆଉ ପାଦେ ଆଗେଇଛନ୍ତି ।