19.1 C
Bhubaneswar
Friday, November 22, 2024
Homeଅପରାଧପୁଲିସକର୍ମଚାରୀଙ୍କୁ ଟଙ୍କା ଠକେଇ : ୪ ଅଭିଯୁକ୍ତ ଗିରଫ

ପୁଲିସକର୍ମଚାରୀଙ୍କୁ ଟଙ୍କା ଠକେଇ : ୪ ଅଭିଯୁକ୍ତ ଗିରଫ

କଟକ: ବିଭିନ୍ନ ଲୋଭ ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ଏକ ଗ୍ୟାଙ୍ଗ ୪ ଜଣଙ୍କୁ ମଙ୍ଗଳାବାଗ ପୁଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଜିଲା ବିରିଡ଼ି ଥାନା ଅନ୍ତର୍ଗତ ବୁଦ୍ଧପଡ଼ା ଗ୍ରାମର ଇଟୁ ଓରଫ ମନୋଜ ପଟ୍ଟନାୟକ(୩୮),ଯାଜପୁର ଜିଲା ବଳି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କେଙ୍କରଡ଼ା ଗ୍ରାମର ସରୋଜ ଓରଫ ସରୋଜ କାନ୍ତ ଜେନା(୪୫),କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ ଜୋହାନପୁରର ରାଜେଶ କୁମାର ଖୁଣ୍ଟିଅ,(୩୦) ଓ ସୁଶାନ୍ତ କୁମାର ସେଠୀ(୩୭) ।

ଅଭିଯୁକ୍ତମାନଙ୍କଠାରୁ ୧,୩୦,୦୦୦ ଟଙ୍କା, ହୁଣ୍ଡାଇ କାର ଓ ୨ଟି ସୁନାହାର ପୁଲିସ ଜବତ କରିଛି । ଠକାମୀର ଶିକାର ହୋଇଥିବା ବ୍ୟକ୍ତିଦ୍ୱୟ ହେଲେ କଟକ ଷଷ୍ଠ ବାଟାଲିୟନ୍‌ରେ କାର୍ଯ୍ୟରତ ୨ ପୁଲିସ କର୍ମଚାରୀ । ମଙ୍ଗଳାବାଗ ଥାନାରେ ଦଫା ୪୨୦ ଓ ୩୪ ଆଇପିସିରେ କେସ୍ ନଂ ୨୨୦/୨୦୨୩ ରୁଜୁ ହୋଇଛି । ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି ଯେ ଅଭିଯୁକ୍ତ ରଘୁନାଥପୁରର ସ୍ୱାଧୀନ ପ୍ରଧାନ ଓ ଜୋହାନପୁରର ସୁଶାନ୍ତ କୁମାର ସେଠୀ କଟକ ଷଷ୍ଠ ବାଟାଲିୟନ୍‌ରେ କାର୍ଯ୍ୟରତ ମାନସ କୁମାର ବାରିକଙ୍କୁ ଫସାଇବାରେ ସକ୍ଷମ ହୋଇଥିଲେ ।

ସେମାନେ ତାଙ୍କୁ କହିଥିଲେ ଯେ ୫ ଶହ ଟଙ୍କିଆ ନୋଟ ଆକାରରେ ଟଙ୍କା ଦେଲେ ମୂଳ ସହ ୨୦% ଅଧିକା ଟଙ୍କା ସେମାନେ ତାଙ୍କୁ ଦେବେ । ମାନସ ଓ ଷଷ୍ଠବାଟାଲିୟନ୍‌ରେ କାର୍ଯ୍ୟରତ ତାଙ୍କ ସାଙ୍ଗ ସରୋଜ ଅଧିକ ଟଙ୍କା ପାଇବା ଲୋଭରେ ଅଭିଯୁକ୍ତମାନଙ୍କୁ ୯.୮ ଲକ୍ଷ ଟଙ୍କା ଦେଇଥିଲେ । ଅପରପକ୍ଷରେ ଅଭିଯୁକ୍ତମାନେ ଦୁହିଁଙ୍କୁ ସାଦା କାଗଜର ବିଡ଼ା ନୋଟ ଆକୃତି ସଦୃଶ ବ୍ୟାଗ୍‌ଭର୍ତ୍ତି କରିଦେଇଥିଲେ । ଠକାମୀର ଶିକାର ହୋଇଥିବା ଜାଣିବା ପରେ ସେମାନେ ମଙ୍ଗଳାବାଗ ଥାନାରେ ଗତ ୨ ତାରିଖରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ଅଭିଯୁକ୍ତମାନଙ୍କ ସମ୍ପର୍କରେ କେତେକ ଠୋସ୍ ତଥ୍ୟ ପୁଲିସକୁ ହସ୍ତଗତ ହୋଇଛି । ସେମାନେ ଢେଙ୍କାନାଳ, ପାହାଳ, ଖୋର୍ଦ୍ଧା, ନୟାପଲ୍ଲି, ସୁନ୍ଦରଗଡ଼ ଆଦି ଅଞ୍ଚଳରେ ଲୋକମାନଙ୍କୁ ଅଧିକ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଠକେଇ କରିଥିବା ପୁଲିସ ଜାଣିବାକୁ ପାଇଛି । ତେବେ ବର୍ତ୍ତମାନ ତଦନ୍ତ ଚାଲିଛ ଏହି କାରବାର ସହ ଆଉ କେଉଁମାନେ ଜଡ଼ିତ ତାହା ଜଣାପଡ଼ିବ ବୋଲି ଅତିରିକ୍ତ ଡିସିପି ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking