28.1 C
Bhubaneswar
Friday, November 22, 2024
Homeଓଡିଶାରେଳବାଇରେ ଚାକିରି କରାଇଦେବା ନାଁରେ ଠକେଇ, ଯୁବତୀ ଗିରଫ, ଜାଲ୍ କାଗଜପତ୍ର ଜବତ

ରେଳବାଇରେ ଚାକିରି କରାଇଦେବା ନାଁରେ ଠକେଇ, ଯୁବତୀ ଗିରଫ, ଜାଲ୍ କାଗଜପତ୍ର ଜବତ

ବ୍ରହ୍ମପୁର: ରେଳବାଇରେ ଚାକିରୀ କରାଇ କରାଇ ଦେବାକୁ କହି ଜଣେ ଯୁବକଙ୍କଠାରୁ ୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ ଜଣେ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜଗତସିଂହପୁରର ଜେଏମ୍‌ଏସ୍‌. ପ୍ରଭା (୨୮) ନାମ୍ନୀ ଜଣେ ଯୁବତୀ ସୋରଡ଼ା ଥାନା ଅନ୍ତର୍ଗତ ଗୋବିନ୍ଦପୁରର ଏସ୍‌.ହିତେଶ ପାତ୍ରଙ୍କଠାରୁ ୭ ଲକ୍ଷ ଟଙ୍କା ନେଇ ରେଳବାଇରେ ଚାକିରୀ କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି ମୁତାବକ ସେ ଚାକିରୀ କରାଇ ପାରିନଥିଲେ କିମ୍ବା ଟଙ୍କା ଫେରାଇ ନଥିଲେ । ତେଣୁ ହିତେଶ ଆଜି ଏ ସଂପର୍କରେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଯୁବତୀଙ୍କୁ ଆଜି ଟାଉନ ଥାନା ପୁଲିସ କୌଶଳକ୍ରମେ ପୁଲିସ ଇଂଜିନିୟରିଂ ସ୍କୁଲ ଛକରୁ କାବୁ କରିଛି । ଜେଏମ୍‌ଏସ୍‌. ପ୍ରଭା ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ଶରଧାବାଲିରେ ରହୁଥିବା ପୁଲିସ କହିଛି ।

ତାଙ୍କ ନିକଟରୁ ଅନେକ ଜାଲ୍ କାଗଜପତ୍ର ଜବତ କରିବା ସହ ମୋବାଇଲ୍‌, ସ୍କୁଟି ସହ ତିନିଟି ଡାଏରୀ ଜବତ କରାଯାଇଥିବା ବେଳେ ଠକ ଯୁବତୀଙ୍କୁ କୋର୍ଟଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ ହିତେଶ ପାତ୍ର ରେଳବାଇରେ ଚାକିରି ପାଇଁ ଇଛୁକ ଥିଲେ । ଏନେଇ ଗତ ଜୁନ୍ ମାସରେ ସାଙ୍ଗ କାର୍ତ୍ତିକ ସାହୁଙ୍କ ଜରିଆରେ ଅଭିଯୁକ୍ତ ମହିଳାଙ୍କ ସହ ଫୋନ୍ ଯୋଗେ ହିତେଶ ପ୍ରଥମେ କଥା ହୋଇଥିଲେ । ରେଳବାଇର ଗ୍ରୁପ୍‌-ସି ଚାକିରି ପାଇଁ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଯୁବତୀ ଜଣଙ୍କ ତାଙ୍କୁ କହିଥିଲେ । ଏଥିସହ ପ୍ରଥମେ ଅଢ଼େଇ ଲକ୍ଷ ଟଙ୍କା ଆଣି ଦେବାକୁ କହିଥିଲେ । ତାଙ୍କ କହିବା ମୁତାବକ ହିତେଶ ବ୍ରହ୍ମପୁର ଆସି ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ସାଇ କମ୍ପେ୍ଲକ୍ସ ନିକଟରେ ଅଭିଯୁକ୍ତ ଯୁବତୀଙ୍କୁ ଭେଟି ପ୍ରଥମେ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ ।

ପରବର୍ତ୍ତୀ ସମୟରେ ଆଉ ଦୁଇ ଥର ଅନ୍‌ଲାଇନ୍ ମାଧ୍ୟମରେ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଏଭଳି ମୋଟ୍ ୭ ଲକ୍ଷ ଟଙ୍କା ହିତେଶ ସଂପୃକ୍ତ ଯୁବତୀଙ୍କୁ ଦେଇଥିଲେ । ଏହାର କିଛି ଦିନ ପରେ ଅଭିଯୁକ୍ତ ଯୁବତୀ ହିତେଶଙ୍କୁ ଜାଲ୍ ଅଫର୍‌ଲେଟର୍‌, ଆଇଡି କାର୍ଡ, ଆପଏଣ୍ଟମେଣ୍ଟ ଲେଟର୍‌, ଆଟେଣ୍ଡାନ୍ସ କାର୍ଡ ଆଦି ଦେଇ ବଳକା ସାଢ଼େ ତିନିଲକ୍ଷ ଟଙ୍କା ମାଗିଥିଲେ । ତେବେ ହିତେଶ୍ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଏ ନେଇ ବ୍ରହ୍ମପୁର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବଳକା ଟଙ୍କା ଦେବା ପାଇଁ କୌଶଳକ୍ରମେ ପୁଲିସ ହିତେଶଙ୍କ ଜରିଆରେ ଯୁବତୀ ପ୍ରଭାଙ୍କୁ ଡକାଇଥିଲେ । ଏହା ପରେ ଯୁବତୀ ଜଣଙ୍କ ଇଂଜିନିୟରିଂ ସ୍କୁଲ ଛକକୁ ଟଙ୍କା ନେବାକୁ ଆସିଥିଲେ । ଏହି ସମୟରେ ପୁଲିସ ତାଙ୍କୁ କାବୁ କରି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ । ଗିରଫ ଯୁବତୀଙ୍କ ନିକଟରୁ ଜବତ ଡାଏରୀରେ ଚାକିରି ଦେବାପାଇଁ କାହା ଠାରୁ କେତେ ଟଙ୍କା ଆଦାୟ ହୋଇଛି ତାହା ଲେଖାଯାଇଥିବା ନେଇ ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking