18.1 C
Bhubaneswar
Saturday, November 23, 2024
Homeଅପରାଧଶହେକୋଟି ଠକେଇ ମାମଲା : ଦୀପକ କିଣ୍ଡୋଙ୍କ ୧୭କୋଟି ଅଚଳ

ଶହେକୋଟି ଠକେଇ ମାମଲା : ଦୀପକ କିଣ୍ଡୋଙ୍କ ୧୭କୋଟି ଅଚଳ

ଭୁବନେଶ୍ୱର : ଶହେ କୋଟି ଟଙ୍କା ଠକେଇ ମାମଲାରେ ଫେରାର୍ ଥିବା ସମ୍ବନ୍ଧ ଫିନ୍‌ସର୍ଭର ଏମ୍‌ଡି ଦୀପକ କିଣ୍ଡୋଙ୍କ ୪୭ଟି ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଅଚଳ କରିଦେଇଛି । ଏଥିରେ ୧୭କୋଟି ୧୦ଲକ୍ଷ ୬୬ହଜାର ୮୬୨ଟଙ୍କା ରହିଥିବା ନେଇ ସୂଚନା ମିଳିଛି । ଦୀପକ କିଣ୍ଡୋ ଏବେ ଫେରାର୍ ଥିବାରୁ ତାଙ୍କୁ ୱାଣ୍ଟେଡ୍ ଘୋଷଣା କରାଯାଇଛି । ଏଥିସହ ତାଙ୍କ ସମ୍ପର୍କରେ ସୂଚନା ଦେଲେ,  ପୁରସ୍କାର ମିଳିବ ବୋଲି ଇଓଡବ୍ଲୁ କହିଛି । ସୂଚନା ଅନୁଯାୟୀ, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଋଣ ଦେବା ନାଁରେ ଜାଲ କାଗଜପତ୍ର ଦେଇ ବିଭିନ୍ନ ବ୍ୟାଙ୍କରୁ ଦୀପକ କିଣ୍ଡୋ ଓ ତାଙ୍କ ପତ୍ନୀ ଅମ୍ରିତା କିଣ୍ଡୋ ଋଣ ଆଣିଥିଲେ । ହେଲେ କୌଣସି ଋଣ ପ୍ରଦାନ ନକରି ସେହି ଟଙ୍କାକୁ ନିଜେ ଆତ୍ମସାତ କରୁଥିଲେ ।

ଏହିକ୍ରମରେ ସେମାନେ ଅନ୍ନପୂର୍ଣ୍ଣା ଫାଇନାନ୍ସରୁ ୫କୋଟି ଟଙ୍କା ଋଣ ଆଣିଥିଲେ । ଏଭଳି ଭାବେ ବିଭିନ୍ନ ବ୍ୟାଙ୍କରୁ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକିଛନ୍ତି । ଠକେଇ ସମ୍ପର୍କରେ ଜଣାପଡ଼ିବାରୁ ଅନପୂର୍ଣ୍ଣା ଫାଇନାନ୍ସ ଇଓଡବ୍ଲୁରେ ଅଭିଯୋଗ କରିଥିଲା । ଏହି ଘଟଣାରେ ଇଓଡବ୍ଲୁ ଦିଭ୍ୟା ଡେଆରି ଏଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡର ଏମ୍‌ଡି ତଥା ଦୀପକଙ୍କ ପତ୍ନୀ ଅମ୍ରିତା କିଣ୍ଡୋଙ୍କୁ ପୂର୍ବରୁ ଗିରଫ କରିଛି । ଏହି ମାମଲାରେ ଦୀପକ ମୁଖ୍ୟଅଭିଯୁକ୍ତ ଥିବାରୁ ତାଙ୍କୁ ଧରିବାକୁ ଇଓଡବ୍ଲୁ ଚେଷ୍ଟା ଚଳାଇଛି । ପୂର୍ବରୁ ଏହି ଦମ୍ପତ୍ତି ହାଇଦ୍ରାବାଦ, କର୍ଣ୍ଣାଟକର ବିଭିନ୍ନ ବ୍ୟାଙ୍କରୁ ଋଣ ଠକେଇ କରିଛନ୍ତି । ଗତବର୍ଷ ଦୀପକଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ ମଧ୍ୟ କରିଥିଲା । ଏଥିସହ କର୍ଣ୍ଣାଟକ ପୁଲିସର ବିଭିନ୍ନ ଥାନାରେ ଏମାନଙ୍କ ବିରୋଧରେ ଏକାଧିକ ମାମଲା ରହିଛି ।

ଅନ୍ୟପକ୍ଷେ ଦୀପକ ଦେଶ ଛାଡ଼ିଯିବାର ସମ୍ଭାବନା ଥିବାରୁ ସମସ୍ତ ଚେକ୍ ପୋଷ୍ଟ, ବନ୍ଦର, ଏୟାରପୋର୍ଟକୁ ଆଲର୍ଟ କରାଯାଇଛି । ତାଙ୍କ ନାଁରେ ଏକ ଲୁକ୍ ଆଉଟ ସର୍କୁଲାର ନୋଟିସ ସମସ୍ତଙ୍କ ପାଖକୁ ପଠାଇ ଦିଆଯାଇଛି । ଦୀପକଙ୍କୁ ଦେଖିବା ମାତ୍ରକେ ଗିରଫ କରିବାକୁ ପୁଲିସ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ କୁହାଯାଇଛି । ଅନ୍ୟପକ୍ଷେ କେହି ଯଦି ଦୀପକଙ୍କୁ ଦେଖନ୍ତି, ତା’ହେଲେ ତାଙ୍କ ସମ୍ପର୍କରେ ଏହି ନମ୍ବରରେ – ୯୪୩୭୪୪୪୮୭୦ ସୂଚନା ଦେଇପାରିବେ । ଯିଏ ସୂଚନା ଦେବ ତାଙ୍କ ନାମକୁ ଗୋପନ ରଖାଯିବ । ଏଥିସହ ସମ୍ପୃକ୍ତ ସୂଚନାଦାତାଙ୍କୁ ଉଚିତ୍ ପୁରସ୍କାର ଦିଆଯିବ ବୋଲି ଇଓଡବ୍ଲୁ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking