29.1 C
Bhubaneswar
Monday, November 18, 2024
Homeଖେଳଚତୁର୍ଥ ଆଶେସ୍ ଟେଷ୍ଟ : ଅଷ୍ଟ୍ରେଲୀୟ ବୋଲର୍‌ଙ୍କ ଜବରଦସ୍ତ ପ୍ରଦର୍ଶନ

ଚତୁର୍ଥ ଆଶେସ୍ ଟେଷ୍ଟ : ଅଷ୍ଟ୍ରେଲୀୟ ବୋଲର୍‌ଙ୍କ ଜବରଦସ୍ତ ପ୍ରଦର୍ଶନ

ସିଡ୍‌ନୀ: ଅଷ୍ଟ୍ରେଲିଆ ଫାଷ୍ଟ ବୋଲିଂ ଆକ୍ରମଣ ଆଗରେ ପୁଣିଥରେ ଇଂଲଣ୍ଡ ବ୍ୟାଟିଂର ଦୁର୍ବଳତା ଦେଖିବାକୁ ମିଳିଛି । ଫଳରେ ଏଠାରେ ଚାଲିଥିବା ଚତୁର୍ଥ ଆଶେସ୍ ଟେଷ୍ଟର ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନ ଲଞ୍ଚ୍ ସୁଦ୍ଧା ଟିମ୍ ମାତ୍ର ୩୬ ରନ୍‌ରେ ୪ଟି ୱିକେଟ୍ ହରାଇଥିଲା । ଗତକାଲିର ସ୍କୋର୍ ବିନା ୱିକେଟ୍‌ରେ ୧୩ ରନ୍‌ରୁ ଆଗକୁ ଖେଳିଥିବା ଇଂଲଣ୍ଡ ଲଗାତାର ୱିକେଟ୍ ହରାଇଥିଲା । ଅବଶ୍ୟ ଏହାପରେ ଜନ୍ନି ବେୟାର୍‌ଷ୍ଟୋଙ୍କ ଅପରାଜିତ ଶତକ ଏବଂ ବେନ୍ ଷ୍ଟୋକ୍ସ(୬୬)ଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସହାତୟାରେ ଦିନର ଖେଳ ଶେଷ ବେଳକୁ ଟିମ୍ ୭ ୱିକେଟ୍ ହରାଇ ୨୫୮ ରନ୍ କରି ନେଇଥିଲା ।

ଫଳରେ ୪୧୬/୮ରେ ଇନିଂସ୍ ଘୋଷଣା କରିଥିବା ଅଷ୍ଟ୍ରେଲିଆ ଇଂଲଣ୍ଡଠାରୁ ଏବେ ବି ୧୫୮ ରନ୍‌ରେ ଆଗୁଆ ରହିଛି । ଷ୍ଟମ୍ପ୍ସ ବେଳକୁ ବେୟାର୍‌ଷ୍ଟୋ ୧୦୩ ଓ ଜ୍ୟାକ୍ ଲିଚ୍ ୪ ରନ୍ କରି ଅପରାଜିତ ଥିଲେ । ସୂଚନାଯୋଗ୍ୟ, ବର୍ଷା କାରଣରୁ ତୃତୀୟ ଦିନର ଖେଳ ୯୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା ଏବଂ ମିଚେଲ୍ ଷ୍ଟାର୍କ ଓ ସ୍କଟ୍ ବୋଲାଣ୍ଡ୍ ଇଂଲଣ୍ଡ ଇନିଂସ୍‌ର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଲଞ୍ଚ୍‌ର ଠିକ୍ ପୂର୍ବରୁ ଡେଭିଡ୍ ମାଲାନ୍‌ଙ୍କୁ କାମେରନ୍ ଗ୍ରୀନ୍ ସ୍ଲିପ୍‌ରେ ଉସ୍‌ମାନ ଖୱାଜାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ । ଏହା ପୂର୍ବରୁ ହସିବ ହମିଦ୍ ୨ ରନ୍‌ରେ ବ୍ୟାଟିଂ କରୁଥିବା ବେଳେ ଷ୍ଟାର୍କଙ୍କ ବଲ୍‌ରେ ୱିକେଟ୍‌କିପର୍ ଆଲେକ୍ସ କେରୀ ତାଙ୍କୁ ଗୋଟିଏ ଜୀବନଦାନ ଦେଇଥିଲେ । ମାତ୍ର ହମିଦ୍ ଏହାର ଲାଭ ଉଠାଇପାରି ନଥିଲେ ଏବଂ ପରବର୍ତ୍ତୀ ଓଭର୍‌ରେ ହିଁ ଷ୍ଟାର୍କ ତାଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ । ଜ୍ୟାକ୍ କ୍ରଲି (୧୮)ଙ୍କୁ ବୋଲାଣ୍ଡ୍ ଆଉଟ୍ କରିଥିଲେ ଏବଂ ତାଙ୍କର ପରବର୍ତ୍ତୀ ଓଭର୍‌ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ସ୍ଲିପ୍‌ରେ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ ।

ଚତୁର୍ଥ ୱିକେଟ୍ ପତନ ପରେ ବେନ୍ ଷ୍ଟୋକ୍ସ ଓ ବେୟାର୍‌ଷ୍ଟୋ ଇନିଂସ୍ ସମ୍ଭାଳି ୧୨୮ ରନ୍‌ର ପାର୍ଟନର୍‌ଶିପ୍ କରିଥିଲେ । ନାଥନ୍ ଲିଅନ୍ ୬୬ ରନ୍‌ରେ ଷ୍ଟୋକ୍ସଙ୍କୁ ଆଉଟ୍ କରି ଏହି ପାର୍ଟନରଶିପ୍ ଭାଙ୍ଗିଥିଲେ । ଷ୍ଟୋକ୍ସଙ୍କ ୯୧ ବଲ୍‌ର ଇନିଂସ୍‌ରେ ୯ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଏହାପରେ ବ୍ୟାଟିଂ ପାଇଁ ଆସିଥିବା ଜୋସ୍ ବଟ୍‌ଲର୍ ଖାତା ଖୋଲିବା ପୂର୍ବରୁ କମିନ୍ସଙ୍କ ବଲ୍‌ରେ ଖୱାଜାଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ବଟ୍‌ଲର୍‌ଙ୍କ ଆଉଟ୍ ପରେ କ୍ରିଜ୍‌ରେ ଯୋଗ ଦେଇଥିବା ମାର୍କ ଉଡ୍ (୩୯)ଙ୍କ ସହ ବେୟାର୍‌ଷ୍ଟୋ ସପ୍ତମ ୱିକେଟ୍ ପାଇଁ ୭୨ ରନ୍‌ର ପାର୍ଟନର୍‌ଶିପ୍ କରିଥିଲେ । ଇତିମଧ୍ୟରେ ବେୟାର୍‌ଷ୍ଟୋ ଟେଷ୍ଟ କ୍ରିକେଟ୍‌ରେ କ୍ୟାରିୟର୍‌ର ସପ୍ତମ ଶତକ ହାସଲ କରିଥିଲେ । ୧୩୮ ବଲ୍‌ରୁ ୧୨ଟି ଚୌକା ଓ ୩ଟି ଛକା ସହାୟତାରେ ଏହି ଶତକ ପୂରଣ କରିଥିଲେ ।

ଚଳିତ ଆଶେସ୍ ସିରିଜ୍‌ରେ ଏହା ଇଂଲଣ୍ଡ ପକ୍ଷରୁ ପ୍ରଥମ ଶତକ ଥିଲା । ଏହି ଇନିଂସ୍ ସହ ଟେଷ୍ଟ କ୍ରିକେଟ୍‌ରେ ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ଲାଗିଆସିଥିବା ଶତକ ମରୁଡ଼ିର ମଧ୍ୟ ବେୟାର୍‌ଷ୍ଟୋ ସମାପ୍ତି କରିଥିଲେ । ଏହା ପୂର୍ବରୁ ୨୦୧୮ ନଭେମ୍ବରରେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ୧୧୦ ରନ୍‌ର ଇନିଂସ୍ ଖେଳିଥିଲେ । ଏହା ବ୍ୟତୀତ ୨୦୧୧ ପରେ ଅଷ୍ଟ୍ରେଲିଆରେ ସର୍ବାଧିକ ଶତକ ହାସଲ କରିବାରେ ବେୟାର୍‌ଷ୍ଟୋ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର୍ କୁକ୍‌ଙ୍କ ସମକକ୍ଷ ମଧ୍ୟ ହୋଇଛନ୍ତି । ବେୟାର୍‌ଷ୍ଟୋ ଓ କୁକ୍‌ଙ୍କ ନାମରେ ଅଷ୍ଟ୍ରେଲିଆରେ ୨ଟି ଲେଖାଏଁ ଶତକ ରହିଛି । ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ୍ ଓ ଅଧିନାୟକ କମିନ୍ସ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ଷ୍ଟାର୍କ, ଲିଅନ୍ ଓ ଗ୍ରୀନ୍‌ଙ୍କୁ ଗୋଟିଏ ଲେଖାଏଁ ସପଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking