ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଆଉଟର ନର୍ଥ ଅଞ୍ଚଳରେ ଗୋଟିଏ ପରିବାରର ୪ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଛି। ଚନ୍ଦନ ପାର୍କ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜର ପତ୍ନୀ ସହ ୩ ଝିଅଙ୍କୁ ଗଳା କାଟି ହତ୍ୟା କରିବା ପରେ ଫେରାର ହୋଇ ଯାଇଛି। ବୁଧବାର ସକାଳେ ଏକ ଛାତିଥରା ଘଟଣା ଦେଖିବାକୁମିଳିଛି। ସର୍ବୋଦୟ ବିଦ୍ୟାଳୟ ନିକଟ ଏକ ଘରୁ ଗୋଟିଏ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତକମାନେ ହେଲେ ଅନିତା (ପତ୍ନୀ) ଏବଂ ତାଙ୍କ ତିନି ଜଣ ନାବାଳିକା ଝିଅ ବୋଲି ଚିହ୍ନଟ କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ରୁମ୍ ଭିତରେ ୪ଟି ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ପାଇଥିଲା।ଦିଲ୍ଲୀ ପୁଲିସର କହିବା ଅନୁଯାୟୀ ଏହି ଗଣହତ୍ୟାର ସନ୍ଦିଗ୍ଧ ବ୍ୟକ୍ତି ହେଉଛନ୍ତି ଘରର ମୁଖ୍ୟ ଏବଂ ମୃତ ମହିଳାଙ୍କ ସ୍ୱାମୀ ମୁଞ୍ଚନ କେୱାଟ। ବୁଧବାର ସକାଳଠାରୁ ମୁଞ୍ଚନ ନିଖୋଜ ଅଛନ୍ତି ଏବଂ ତାଙ୍କ ଫୋନ୍ ବନ୍ଦ ଅଛି। ମୃତକଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେତେବେଳେ ସେ ଘର ଭିତରକୁ ଆସି ଦେଖିଲେ,ମୃତଦେହ ପଡ଼ି ରହିଥିଲା ଏବଂ ସମସ୍ତଙ୍କ ବେକ କଟାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପରିବାରରେ ସେଭଳି କୌଣସି ବିବାଦ ନଥିଲା। ସାଧାରଣ ଏବଂ ଖୁସିରେ ଥିବା ପରିବାର ଥିଲା। ପୁଲିସ ହତ୍ୟାକାଣ୍ଡର କାରଣ ଖୋଜୁଛି। ତଦନ୍ତ ଆର୍ôଥକ ଅସୁବିଧା, ପାରିବାରିକ କଳହ କିମ୍ବା ମାନସିକ ଅସ୍ଥିରତା ତାହା ଜାଣିବାକୁ ପୁଲିସ ପ୍ରତ୍ୟେକ ଦିଗରୁ ତଦନ୍ତ କରୁଛି। ଅଭିଯୁକ୍ତ ମୁଞ୍ଚନକୁ ଗିରଫ କରିବା ପାଇଁ ପୁଲିସ ସ୍ୱତନ୍ତ୍ର ଦଳ ଗଠନ କରିଛି। ପୁଲିସ ଆଖପାଖ ଅଞ୍ଚଳରୁ ସିସିଟିଭି ଫୁଟେଜକୁ ସ୍କାନ କରୁଛି ଏବଂ ଅଭିଯୁକ୍ତଙ୍କ ସମ୍ଭାବ୍ୟ ଆଡ୍ଡାରେ ଚଢାଉ କରୁଛି। ଏହା ସହ ମୋବାଇଲ ଲୋଟ୍ରାକ୍ କରିବାକୁ ମଧ୍ୟ ଚେଷ୍ଟା କରାଯାଉଛି।










