21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଜୀବନ ହାରିଲେ ପରିବାରର ୪ ସଦସ୍ୟ

ଜୀବନ ହାରିଲେ ପରିବାରର ୪ ସଦସ୍ୟ

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଖୁରାଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ଏଠାରେ ଗୋଟିଏ ପରିବାରର ୪ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଗତ ଶୁକ୍ରବାର ଏହି ଅଘଟଣ ଘଟିଥିଲେ ମଧ୍ୟ ଆଜି ଏସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ମନୋହର ଲୋଧି (୪୫), ତାଙ୍କ ବୃଦ୍ଧା ମାଆ ଫୁଲରାଣୀ ଲୋଧି (୭୦), ଝିଅ ଶିବାନୀ (୧୮) ଓ ପୁଅ ଅଙ୍କିତ୍ (୧୬)ଙ୍କୁ ମୃତ ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଛି । ଏତଦ୍‌ବ୍ୟତୀତ ସେମାନେ ଲେଖିଯାଇଥିବା ସୁଇସାଇଡାଲ୍ ନୋଟ୍‌କୁ ମଧ୍ୟ ପୁଲିସ୍ ଜବତ କରିଛି । ଏଥିରେ ଜମି ଏବଂ ସମ୍ପତ୍ତିର ବିଭାଜନ ଯୋଗୁ ସେମାନେ ଏପରି ପଦକ୍ଷେପ ଗ୍ରହଣ କରୁଥିବା ଉଲ୍ଲେଖ ରହିଛି । ତେବେ ସୁଇସାଇଡ୍ ନୋଟ୍‌ରେ ମନୋହର ନିଜ ପତ୍ନୀ ଦ୍ରୌପଦୀଙ୍କୁ ସମ୍ପତ୍ତିରୁ କିଛି ବି ନଦିଆଯିବା ପାଇଁ ଲେଖିଯାଇଛନ୍ତି । ଦ୍ରୌପଦୀଙ୍କୁ ଯାହା ମିଳିବା କଥା ସେସବୁ ମିଳିସାରିଥିବା ଏବଂ ତାଙ୍କ ପୈତୃକ ସମ୍ପତ୍ତି କେବଳ ତାଙ୍କର ତିନି ଭାଇଙ୍କ ମଧ୍ୟରେ ବାଣ୍ଟି ଦିଆଯାଉ ବୋଲି ମନୋହର ଉଲ୍ଲେଖ କରିଛନ୍ତି । ଏହି ଘଟଣା ପୁରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ଦ୍ରୌପଦୀ ମଧ୍ୟ ନିଜ ବାପା ଘରୁ ଫେରିଆସିଛନ୍ତି । ଦୁଇ ପିଲା, ଶାଶୁ ଏବଂ ସ୍ୱାମୀ ଆତ୍ମହତ୍ୟା କରିବା ସମୟରେ ସେ ନିଜ ବାପା ଘରକୁ ଯାଇଥିଲେ ବୋଲି ଜଣାପଡିଛି ।

ଦ୍ରୌପଦୀ ଆସିବା ପରେ କିନ୍ତୁ ପୁଲିସ୍‌କୁ ଯେଉଁ ବୟାନ୍ ଦେଇଛନ୍ତି ସେସବୁ ଘଟଣାକୁ ଏକ ନୂଆମୋଡ଼ ଦେଇଛି । ଦ୍ରୌପଦୀ ତାଙ୍କ ଅନ୍ୟତମ ଦିଅର ସୁରେନ୍ଦ୍ରଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ଶୋଷଣ ଭଳି ଅଭିଯୋଗ କରିଛନ୍ତି । ଦ୍ରୌପଦୀଙ୍କ କହିବାନୁସାରେ ଗତ ୨ବର୍ଷ ଧରି ସୁରେନ୍ଦ୍ର ତାଙ୍କ ପାଖକୁ ଆସୁଥିଲେ ଏବଂ ବଳପୂର୍ବକ ଶାରୀରିକ ଶୋଷଣ କରୁଥିଲେ । ଏସମ୍ପର୍କରେ ମୁହଁ ଖୋଲିଲେ ସମଗ୍ର ପରିବାରକୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଉଥିଲେ । ଏହି କାରଣରୁ ସେ ସବୁବେଳେ ଭୟରେ ରହୁଥିଲେ । ମାନସିକ ଚାପର ପରିଣାମ ସ୍ୱରୂପ ଆଜି ତାଙ୍କ ସମଗ୍ର ପରିବାର ଶେଷ ହୋଇଯାଇଛି । ପୁଲିସ୍ ଦ୍ରୌପଦୀଙ୍କ ଅଭିଯୋଗ ଆଧାରରେ ମଧ୍ୟ ତଦନ୍ତ ଜାରି ରଖିଛି । କିନ୍ତୁ ଦ୍ରୌପଦୀ ଯାହା କହୁଛନ୍ତି ଯଦି ସେସବୁ ସତ ତେବେ ମନୋହର ନିଜ ଚିଠିରେ ଦ୍ରୌପଦୀଙ୍କୁ କିଛି ବି ସମ୍ପତ୍ତି ନଦେବା ପାଇଁ କାହିଁକି ଲେଖିଲେ? ଏଭଳି ପ୍ରଶ୍ନ ପୁଲିସ୍‌କୁ ଦ୍ରୌପଦୀଙ୍କ ଉପରେ ସନ୍ଦେହ କରିବାକୁ ବାଧ୍ୟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking