ଖାର୍କିଭ୍ : ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ମାସେ ବିତି ସାରିଥିବା ବେଳେ ପୁଟିନ୍ ସେନା ଆକ୍ରମଣକୁ ଆହୁରି ତୀବ୍ର କରିଛି । ଶୁକ୍ରବାର ସକାଳେ ୟୁକ୍ରେନ୍ର ଦ୍ୱିତୀୟ ବୃହତ୍ ସହର ଖାର୍କିଭ୍ର ଏକ ମେଡିକାଲ୍ ସେଣ୍ଟର୍ ଉପରେ ରୁଷ୍ର ରକେଟ୍ ମାଡ଼ରେ ଚାରିଜଣ ନାଗରିକ ପ୍ରାଣ ହରାଇଥିବା ବେଳେ ବହୁ ବ୍ୟକ୍ତି ଆହତ ହୋଇଥିବା ୟୁକ୍ରେନ୍ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ଖାର୍କିଭ୍ର ଓସ୍ନୋଭ୍ୟାନ୍ସ୍କି ଜିଲ୍ଲାରେ ଥିବା ଏହି ମେଡିକାଲ୍ ସେଣ୍ଟର୍ ଉପରେ ରୁଷ୍ ସେନା ପକ୍ଷରୁ ଘନ ଘନ ରକେଟ୍ ମାଡ଼ କରାଯାଇଥିଲା ବୋଲି ଜିଲ୍ଲା ପୁଲିସ୍ ପକ୍ଷରୁ କୁହାଯାଇଛି । ରକେଟ୍ ମାଡ଼ ବେଳେ ସେଣ୍ଟର୍ରେ ରିସର୍ଚ୍ଚର୍ମାନେ କାର୍ଯ୍ୟ କରୁଥିଲେ । ପୁଲିସ୍ ଏହାକୁ ୟୁକ୍ରେନ୍ବାସୀଙ୍କ ବିରୋଧରେ ଅପରାଧ ଭାବେ ଅଭିହିତ କରିବା ସହ ସମସ୍ତ ପ୍ରମାଣ ଏକାଠି କରାଯାଉଛି ବୋଲି କହିଛି । ରୁଷ୍ ସୀମାରେ ଥିବା ଖାର୍କିଭ୍ ସହରରେ ଉଭୟ ସେନା ମଧ୍ୟରେ ଯୁଦ୍ଧର ପ୍ରଥମ ଦିନରୁ ହିଁ ଘମାଘୋଟ ଲଢ଼େଇ ଚାଲିଛି । ଏହି ଲଢ଼େଇରେ ସହର ଏବେ ଧ୍ୱଂସସ୍ତୂପରେ ପରିଣତ ହୋଇସାରିଛି । ଅନ୍ୟପକ୍ଷରେ ରୁଷ୍ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରୁଛି ବୋଲି ୟୁକ୍ରେନ୍ ପକ୍ଷରୁ ଅଭିଯୋଗ କରାଯାଇଛି ।