17.1 C
Bhubaneswar
Tuesday, November 19, 2024
Homeଓଡିଶାଏନ୍‌ଜିଟି ନିର୍ଦ୍ଦେଶରେ ଜବରଦଖଲ ଉଛେଦ, ଉତ୍ତେଜନା

ଏନ୍‌ଜିଟି ନିର୍ଦ୍ଦେଶରେ ଜବରଦଖଲ ଉଛେଦ, ଉତ୍ତେଜନା

ଗଞ୍ଜାମ : ବ୍ରହ୍ମପୁର ସହରର ସମସ୍ତ ପୁଷ୍କରିଣୀ ଗୁଡିକର ହିଡ ଉପରେ ରହିଥିବା ଜବରଦଖଲ ଉଛେଦ କରିବା ନେଇ “ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ’ ନିର୍ଦ୍ଦେଶ ଦେଇଛି । ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆଜି ପୁଣି ଏକ ମୁକ୍ତେଶ୍ୱର ବନ୍ଧ ହୁଡା ଠାରେ ଘର କରି ରହିଥିବା ୫୫ଟି ପରିବାରକୁ ଉଛେଦ କରାଯାଇଛି । ସଂପୃକ୍ତ ଲୋକମାନଙ୍କୁ ଆଗୁଆ ନୋଟିସ ଦେଇ ଘର ଛାଡ଼ିବାକୁ କୁହାଯାଇଥିଲା, କିନ୍ତୁ ସେମାନେ ସେଠାରୁ ହଟିନଥିବାରୁ ବଳପୁର୍ବକ ସେମାନଙ୍କୁ ହଟାଇ ଦିଆଯାଇଥିବା କୁହାଯାଇଛି । ତେବେ ବହୁ ବର୍ଷ ଧରି ଏଠାରେ ଘର କରି ରହି ଆସୁଥିବା ଆଜି ସେଠାରୁ ନହଟିବା ପାଇଁ ଜିଦ ଧରିବାରୁ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି ।

ପ୍ରଶାସନ ପକ୍ଷରୁ ଆଗ୍ରୁଆ ପ୍ରସ୍ତୁତି ହୋଇଥିଲା । ବିଏମସିର ଡେପୁଟି କମିଶନର ଆଶୁତୋଷ ସାମଲ, ଏନଫୋର୍ସମେଣ୍ଟ ଅଧିକାରୀ ତରୁଣ କୁମାର, ଗୋଷ୍ଠୀ ସଂଯୋଜିକା ଅଧିକାରିଣୀ ସ୍ମିତା ଦାସଙ୍କ ସମେତ ୩ ପ୍ଳାଟୁନ ପୁଲିସ, ପୁଲିସ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରୁ କେତେକ ମହିଳା ଜାଗା ଛାଡି ନଥିବା ବେଳେ ମହିଳା ପୁଲିସଙ୍କ ସହାୟତାରେ ସେମାନଙ୍କୁ ହଟାଇ ଥିବା ପରିଲକ୍ଷିତ ହୋଇଛି । ଉଲ୍ଳେଖଯୋଗ୍ୟ ଯେ ବିଏମସି କର୍ତ୍ତୁପକ୍ଷଙ୍କ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ଆଜି ଉଛେଦ ହୋଇଥିବା ପରିବାର ମାନଙ୍କୁ ନେହରୁନଗର ସ୍ଥିତ ରାଜୀବ ଆବାସ ଯୋଜନା ଗୃହ ସମୁହ ଠାରେ ଘର ଯୋଗାଣ ହୋଇଛି ।

ଏହା ସତ୍ତ୍ୱେ ସେମାନେ ସଂପୃକ୍ତ ଘରକୁ ଯାଇନଥିବାରୁ ସମସ୍ୟା ଉପୁଜିଥିବା କୁହାଯାଇଛି । ଏଭଳି ସ୍ଥିତି ସହରର ଅନେକ ଅଞ୍ଚଳରେ ରହିଛି । ରାଜୀବ ଆବାସ ଘର ମିଳିଲେ ବି କେତେକ ପରିବାର ବିଭିନ୍ନ ଆଳ ଦେଖାଇ ନିଜ ଅଞ୍ଚଳ ଛାଡ଼ିବାକୁ ନାରାଜ ହେଉଛନ୍ତି । ଅନ୍ୟପକ୍ଷରେ ବହୁ ଦଶନ୍ଧି ଧରି ରହିଥିବା ସ୍ଥାନକୁ ଛାଡିଲେ ସମସ୍ୟା ସୃ୍‌ଷ୍ଟି ହେବ ବୋଲି କହୁଥିବା ବେଳେ କେତେକ ଲୋକ ସେଠାରେ ନିଜ ଘର ଅନ୍ୟକୁ ଭଡ଼ାରେ ଦେଇଥିବା ଜଣାପଡ଼ିଛି । ଆଜି ଉଛେଦ ବେଳେ ଜନୈକ ମହିଳା ଗଣମାଧ୍ୟମକୁ କହିଛନ୍ତି ଯେ ସେ ତାଙ୍କ ମା’ଙ୍କ ଘରେ ଭଡା ରହୁଛନ୍ତି, ମା ନେହରୁ ନଗର ଚାଲିଗଲେ, ଜବରଦଖଲରେ ଘର ଭଙ୍ଗାଗଲା ।

ସିଏ ଏବେ ହଠାତ ଯିବେ କୁଆଡେ ବୋଲି ପ୍ରଶ୍ନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ବିଏମସି ଅଞ୍ଚଳରେ ରହିଥିବା ଅନ୍ୟ କେତେକ ପୁଷ୍ନରିଣୀ କଡରେ ଜବରଦଖଲ ଏବେ ବି ରହିଛି । ସେଗୁଡିକୁ ଉଛେଦ କରାଗଲେ ଏଭଳି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ତୃଣମୂଳସ୍ତରକୁ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking