ଭୁବନେଶ୍ୱର: ଓମିକ୍ରନକୁ ନେଇ ସାରା ଦେଶ ଛାନିଆ । ବର୍ତ୍ତମାନ ସୁଦ୍ଧା ଭାରତରେ ୩୭ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ରବିବାର ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶା ପାଇଁ ଅଡ଼ୁଆ ବଢ଼ିଛି । ଏଣେ ରାଜ୍ୟ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବଢିବାକୁ ନେଇ ଆଶଙ୍କାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଓଡ଼ିଶାରେ ଏଯାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ତା’ସତ୍ତ୍ୱେ ଏହି ଭୂତାଣୁ ଡେଲଟା ଠାରୁ ୬ ଗୁଣ ବେଗରେ ସଂକ୍ରମିତ ହେଉଥିବା ଜଣାପଡ଼ିବା ପରେ ବଢ଼ିଛି ଡର । ପିଲାଙ୍କୁ ସ୍କୁଲ ପଠାଇବା ଲାଗି ଅମଙ୍ଗ ହେଉଛନ୍ତି ଅଭିଭାବକ । ପୂର୍ବରୁ କେବଳ ଦଶମର ଅଫ୍ଲାଇନ କ୍ଲାସ ହେଉଥିଲା । ସାମାଜିକ ଦୂରତ୍ୱ ସାଙ୍ଗକୁ କରୋନା କଟକଣା ମାନି ଚାଲିଥିଲା ପାଠପଢ଼ା । ପର୍ଯ୍ୟାୟକ୍ରମେ ୬ଷ୍ଠ ପର୍ଯ୍ୟନ୍ତ କ୍ଲାସ ଆରମ୍ଭ ହେବା ପରେ ସ୍କୁଲରେ ବଢିଥିଲା ଉପସ୍ଥାନ । ପୁଣି ଚଳଚଞ୍ଚଳ ହୋଇଥିଲା ସ୍କୁଲ ପରିବେଶ । ମାତ୍ର ଓମିକ୍ରନ ଭୟକୁ ନେଇ କ୍ଲାସରୁମ୍ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି । ତେବେ ଅନଲାଇନ୍ ପଢାରେ ଅସୁବିଧା ଓ ଦଶମ ଶ୍ରେଣୀ ପରୀକ୍ଷା ନିକଟତର ହେଉଥିବାରୁ ସ୍କୁଲ ଯିବାକୁ ବାଧ୍ୟ ହେଉଥିବା ଛାତ୍ରଛାତ୍ରୀ କହିଛନ୍ତି । କରୋନାର ତୃତୀୟ ଲହର ଆସିବ ନା ନାହିଁ ସେନେଇ କାହାରି ପାଖରେ ନାହିଁ ସ୍ପଷ୍ଟ ଉତ୍ତର । ତେବେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । କେତେବେଳେ ଯେ ଓମିକ୍ରନ ପଶିନଆସିବ ସେ ଭରସା କେହି ବି ଦେଇପାରିବେ ନାହିଁ । ତେଣୁ ତତ୍ପର ହୋଇଛି ଗଣଶିକ୍ଷା ବିଭାଗ । ସ୍କୁଲରେ ଭିଡ଼ କମାଇବା ଲାଗି କ୍ଲାସ ଟାଇମରେ ପରିବର୍ତ୍ତନ ଲାଗି ବିଚାର କରାଯାଉଛି । ଏବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କର ୯ଟା ୩୦ରୁ ଗୋଟାଏ ପର୍ଯ୍ୟନ୍ତ କ୍ଲାସ ହେଉଥିବା ବେଳେ ଅଷ୍ଟମ ଓ ନବମ ପିଲାଙ୍କର ସକାଳ ୯ଟାରୁ ଦିନ ସାଢେ ୧୨ ଏବଂ ଦଶମ ଶ୍ରେଣୀ ପିଲାଙ୍କର ୧୦ଟାରୁ ସାଢେ ଗୋଟାଏ ଯାଏଁ ପାଠପଢା ହେଉଛି । ଅର୍ଥାତ୍ ଏସମସ୍ତ ଶ୍ରେଣୀର ଅଧିକାଂଶ ପିଲା ଏକ ସମୟରେ ସ୍କୁଲରେ ଉପସ୍ଥିତ ରହୁଛନ୍ତି । ତେଣୁ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ କ୍ଲାସ ସମୟରେ ପରିବର୍ତ୍ତନ ଲାଗି ଚିନ୍ତା କରାଯାଉଥିବା ସୂଚନା ମିଳିଛି ।
ଓମିକ୍ରନ ସଂକ୍ରମଣ ରୋକିବାକୁ ହେଲେ କୋଭିଡ୍ ନିୟମର କଡ଼ାକଡି ପାଳନ କରିବାକୁ ପଡ଼ିବ । ସେହିପରି ଓମିକ୍ରନ ଯେଭଳି ତୃତୀୟ ଲହରର କାରଣ ନହେବ ସେଥିଲାଗି ସତର୍କ ରହିବାକୁ ପଡ଼ିବ । ତେଣୁ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ରୋକିବାକୁ ବିଶେଷ ପଦକ୍ଷେପ ନିଆଯିବା ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଗୁରୁତ୍ୱ ଦେଉଛନ୍ତି ।
ଅନ୍ୟପଟରେ ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟର ୨୦ ଜିଲ୍ଲାରୁ ଆଉ ୧୬୦ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୨୦ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ୧୦ଜିଲ୍ଲାରୁ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୧ ହଜାର ୫୭୪କୁ ବୃଦ୍ଧିପାଇଛି ।