25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଇସ୍ରାଏଲ ପାଇଁ ଯୁଦ୍ଧ ସମ୍ମାନର ପ୍ରଶ୍ନ ପାଲଟିଛି; ପଣବନ୍ଦୀ ବିନିମୟ ପ୍ରସ୍ତାବ ଦେଲା ହାମାସ୍‌

ଇସ୍ରାଏଲ ପାଇଁ ଯୁଦ୍ଧ ସମ୍ମାନର ପ୍ରଶ୍ନ ପାଲଟିଛି; ପଣବନ୍ଦୀ ବିନିମୟ ପ୍ରସ୍ତାବ ଦେଲା ହାମାସ୍‌

ତେଲ୍ ଆଭିଭ୍‌: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ତିନି ସପ୍ତାହ ଅତିକ୍ରାନ୍ତ ହୋଇସାରିଥିବାବେଳେ ଏହାକୁ ବନ୍ଦ କରିବାକୁ ବିଭିନ୍ନ ମହଲରେ ଉଦ୍ୟମ ଆରମ୍ଭ ହୋଇଛି । ଏପରିକି ଗାଜା ଉପତ୍ୟକାରେ ଅସ୍ତ୍ରବିରତି ପାଇଁ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏକ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇସାରିଛି । ତେବେ ଏହାର ପ୍ରଭାବ ଇସ୍ରାଏଲ ଉପରେ ପଡୁନଥିବା ଲକ୍ଷ୍ୟ କରାଯାଇଛି । ଅପରପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଏହି ଯୁଦ୍ଧ ବର୍ତ୍ତମାନ ଇସ୍ରାଏଲ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ଗାଜାରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଦୀର୍ଘ ଦିନ ଧରି ଚାଲିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି । ଇସ୍ରାଏଲୀ ସେନା ସ୍ଥଳପଥରେ ଗାଜାରେ ପ୍ରବେଶ କରିବା ପରଠାରୁ ଏହି ଯୁଦ୍ଧ ଦ୍ୱିତୀୟ ପର୍ଯ୍ୟାୟରେ ଉପନୀତ ହୋଇଛି । ଗାଜାରେ ସକ୍ରିୟ ଥିବା ହାମାସ୍ ସଂଗଠନକୁ ସମ୍ପୂର୍ଣ୍ଣଭାବେ ମୂଳପୋଛ କରିବା ପର୍ଯ୍ୟନ୍ତ ଇସ୍ରାଏଲର ଏହି ଅଭିଯାନ ଅବ୍ୟାହତ ରହିବ ବୋଲି ନେତାନ୍ୟାହୁ କହିଛନ୍ତି ।

ବିଜୟ ହାସଲ ପାଇଁ ଯେକୌଣସି ସ୍ତରକୁ ଯିବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଅପରପକ୍ଷରେ ଇସ୍ରାଏଲ ଆକ୍ରମଣରେ ଘାଇଲା ହୋଇପଡିଥିବା ହାମାସ୍ ସଂଗଠନ ବର୍ତ୍ତମାନ ବୁଝମଣା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଇସ୍ରାଏଲ ସହ ପଣବନ୍ଦୀ ବିନିମୟ ପାଇଁ ହାମାସ୍ ପ୍ରସ୍ତାବ ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଅକ୍ଟୋବର ୭ରେ ହାମାସ୍ ପକ୍ଷରୁ ପ୍ରଥମେ ଇସ୍ରାଏଲର ବିଭିନ୍ନ ସହରକୁ ଟର୍ଗେଟ କରି ୫୦୦୦ ରକେଟ ମାଡ କରାଯାଇଥିଲା । ହାମାସ୍ ଆତଙ୍କବାଦୀମାନେ ସୀମା ସଂଲଗ୍ନ ଇସ୍ରାଏଲ ଇଲାକାରେ ପ୍ରବେଶ କରିବା ସହ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିସହିତ ସେମାନେ ଇସ୍ରାଏଲୀ ସୈନ୍ୟ ଓ ନାଗରିକଙ୍କୁ ଅପହରଣ କରି ପଣବନ୍ଦୀ କରିଥିଲେ । ବର୍ତ୍ତମାନ ସୁଦ୍ଧା ଇସ୍ରାଏଲର ପ୍ରାୟ ୨୩୦ ସୈନ୍ୟ ଓ ନାଗରିକ ପଣବନ୍ଦୀ ରହିଛନ୍ତି । ଅପରପକ୍ଷରେ ଇସ୍ରାଏଲୀ ସେନା ମଧ୍ୟ ଗାଜା ଉପତ୍ୟକାରୁ ହାମାସ୍ ଆତଙ୍କବାଦୀ ଓ ପାଲେଷ୍ଟାଇନ ନାଗରିକଙ୍କୁ ପଣବନ୍ଦୀ କରିଛି ।

ଇସ୍ରାଏଲ ଆକ୍ରମଣରେ ୫୦ ପଣବନ୍ଦୀ ପ୍ରାଣ ହରାଇଛନ୍ତି ବୋଲି ହାମାସ୍ ଦାବି କରିଛି । ତେବେ ଇସ୍ରାଏଲ ଏହାକୁ ଅସ୍ୱୀକାର କରିଛି । ପଣବନ୍ଦୀ ରହିଥିବା ସମସ୍ତ ଇସ୍ରାଏଲୀ ସୈନ୍ୟ ଓ ନାଗରିକଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି । ହାମାସ୍ ନେତା ୟାହିହା ସିନ୍‌ୱାର କହିଛନ୍ତି ଯେ ପଣବନ୍ଦୀ ବିନିମୟ ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ତେବେ ଇସ୍ରାଏଲ ଯଦି ଏହି ପ୍ରସ୍ତାବରେ ରାଜି ହୁଏ, ତେବେ ଏହା କାର୍ଯ୍ୟକାରୀ ହୋଇପାରିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ଗାଜା ନରସଂହାର ପାଇଁ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଦାୟୀ ବୋଲି ତୁର୍କୀ ରାଷ୍ଟ୍ରପତି ରିସେପ୍ ତାୟିପ୍ ଏର୍ଡୋଗାନ୍ କହିଛନ୍ତି । ଏର୍ଡୋଗାନ୍‌ଙ୍କ ଏତାଦୃଶ ମନ୍ତବ୍ୟ ପରେ ଇସ୍ରାଏଲ ବର୍ତ୍ତମାନ ତୁର୍କୀରୁ ନିଜର କୂଟନୀତିଜ୍ଞଙ୍କୁ ଫେରାଇ ଆଣିଛି । ଇସ୍ରାଏଲ ଆକ୍ରମଣରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଥିବା ଗାଜା ଉପତ୍ୟକାରେ ଇଣ୍ଟରନେଟ୍ ବ୍ୟବସ୍ଥା ପୁଣି କାର୍ଯ୍ୟକାରୀ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking