ଭୁବନେଶ୍ୱର: ଆଗାମୀ ୩ ଦିନ ପାଇଁ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । ଏହା ପର ଠାରୁ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବନା ଅଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ହାଲୁକା ଶୀତ ଅନୁଭବ ହେବାକୁ ଥିବା ବେଳେ ଘନ କୁହୁଡି କଲବଲ କରିବ। କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଦୃଶ୍ୟମାନ ହେବ। ଏଥିପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସମ୍ପୃକ୍ତ ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼।
ସେହିପରି ଆସନ୍ତାକାଲି ଝାରସୁଗୁଡା, କଳାହାଣ୍ଡି, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ସମ୍ବଲପୁର,ଗଞ୍ଜାମ, ଗଜପତି ଓ ପୁରୀରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ଭାବରେ ଜି. ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ କଟକ ଓ ଫୁଲବାଣୀରେ ମଧ୍ୟମ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ତାଳଚେର ଓ ଭୁବନେଶ୍ୱରରେ ଘନ କୁହୁଡି ଦୃଶ୍ୟମାନ ହୋଇଛି।