କ୍ରେମ୍ଲିନ୍ : ୟୁକ୍ରେନ୍ ଯୁଦ୍ଧରେ ରୁଷ୍ କେମିକାଲ୍ ଓ ବାୟୋଲଜିକାଲ୍ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ଦାବି କରୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଶୁକ୍ରବାର କ୍ରେମ୍ଲିନ୍ ଭର୍ତ୍ସନା କରିଛି । କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ ଅଭିଯୋଗ କରିଛନ୍ତି ଯେ ୟୁକ୍ରେନ୍ ସମେତ ବିଭିନ୍ନ ଦେଶରେ ଆମେରିକା ଚଳାଇଥିବା କେମିକାଲ୍ ଓ ବାୟୋଲଜିକାଲ୍ ଅସ୍ତ୍ର କାର୍ଯ୍ୟକ୍ରମରୁ ଧ୍ୟାନ ହଟାଇବା ପାଇଁ ବାଇଡେନ୍ ଏପରି କହୁଛନ୍ତି । ଗୁରୁବାର ବାଇଡେନ୍ ଚେତାବନୀ ଦେଇଥିଲେ ଯେ ଯଦି ୟୁକ୍ରେନ୍ ଉପରେ ରୁଷ୍ କେମିକାଲ୍ ଅସ୍ତ୍ର ବ୍ୟବହାର କରେ, ତେବେ ଆମେରିକା ତାହାର ଜବାବ ଦେବ ।
ବ୍ରସେଲ୍ସରେ ଏକ ପ୍ରେସ୍ କନ୍ଫରେନ୍ସରେ ବାଇଡେନ୍ ଏହା କହିଥିଲେ । ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣର ସବୁଠୁ ବଡ଼ ବିରୋଧୀ ଆମେରିକା ହଜାର ହଜାର ଡଲାର୍ ମୂଲ୍ୟର ଆଣ୍ଟି ଏୟାର୍କ୍ରାଫ୍ଟ ଓ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ ପଠାଉଛି । ଏହା ସହିତ ରୁଷ୍ ଉପରେ ଆମେରିକାର ଅଭୂତପୂର୍ବ କଟକଣା ମଧ୍ୟ ଜାରି କରିସାରିଛି । ତେବେ ୟୁକ୍ରେନ୍ରେ ଆମେରିକା ସେନା ଯୁଦ୍ଧ ଲଢ଼ିବେ ନାହିଁ ବୋଲି ଆମେରିକା ନିଜ ଷ୍ଟାଣ୍ଡ୍କୁ ଦୋହରାଇଛି । ପୂର୍ବରୁ ବାଇଡେନ୍ କହିଥିଲେ ଯେ, ନାଟୋ ଏବଂ ରୁଷ୍ ମଧ୍ୟରେ ସିଧାସଳଖ ଲଢ଼େଇ ହେଲେ ଏହା ତୃତୀୟ ବିଶ୍ୱଯୁଦ୍ଧକୁ ଆହ୍ୱାନ କରିବ, ଯାହା ଆମେ ରୋକିବାକୁ ଚାହୁଁଛୁ ।