19.1 C
Bhubaneswar
Friday, November 22, 2024
Homeଓଡିଶାଲ୍ୟାଣ୍ଡଫଲ ପୂର୍ବରୁ ବାତ୍ୟା ଦୁର୍ବଳ ହେବା ସମ୍ଭାବନା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବାକୁ ପରାମର୍ଶ

ଲ୍ୟାଣ୍ଡଫଲ ପୂର୍ବରୁ ବାତ୍ୟା ଦୁର୍ବଳ ହେବା ସମ୍ଭାବନା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବାକୁ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ ରୂପ ନେବା ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାତ୍ୟା ନେଇ ପ୍ରାଥମିକ ଆକଳନ କରିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଥିବାବେଳେ ଆଇଏମ୍‌ଡି ଏପର୍ଯ୍ୟନ୍ତ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ, ସେ ସମ୍ପର୍କରେ ଆକଳନ କରିପାରିନି । ଦକ୍ଷିଣ-ପୂର୍ବ ବଙ୍ଗୋପସଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ୮ ତାରିଖରେ ବାତ୍ୟା ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ବାତ୍ୟା ପରେ ଏହା ଓଡ଼ିଶା ଉପକୂଳକୁ ମୁହାଁଉଥିବା ଚିତ୍ର ଜାରି କରାଯାଇଛି । ହେଲେ ଏହା ବାତ୍ୟା ରୂପରେ ସ୍ଥଳଭଗ ଛୁଇଁବ ନାଁ ଦୁର୍ବଳ ହୋଇପାରେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନି । ଶନିବାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ବେଲି ଶ୍ରୀ ମହାପାତ୍ର କହିଛନ୍ତି ।

ଆଇଏମ୍‌ଡି ଆକଳନ ଅନୁସାରେ, ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇପାରେ । ଶନିବାର ସନ୍ଧ୍ୟା ସୁଦ୍ଧା ଏହା ଡିପ୍ରେସନ୍ ବା ଅବପାତରେ ପରିଣତ ହେବ । ତା’ପର ୨୪ ଘଣ୍ଟା ସୁଦ୍ଧା ଅର୍ଥାତ୍ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ଏହା ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ଆସନ୍ତା ୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଞ୍ଚଳରେ(ସମୁଦ୍ରରେ) ପବନର ବେଗ ଘଣ୍ଟାପ୍ରତି ୬୫ ରୁ ୭୫ କିମି ସହ ଝଟ୍‌କା ବା ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୮୫ କିମି ଯାଏଁ ରହିବାର ସମ୍ଭାବନା ରହିଛି । ଏହି ପବନ କ୍ରମଶଃ ବୃଦ୍ଧି ପାଇ ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅଞ୍ଚଳରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ସହ ସର୍ବାଧିକ ୯୦ କିମି ଯାଏ ରହିବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୧୦ ଓ ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାତ୍ୟା ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ଆସୁଥିବାରୁ ୧୦ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରୁ ସ୍ଥଳଭାଗକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ, ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ବି ଏହା ବାତ୍ୟାର ରୂପ ନେବକି ନାହିଁ ସେନେଇ ଚିତ୍ର ଏବେ ବି ଅସ୍ପଷ୍ଟ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ।

ତେବେ ଅଧିକାଂଶ ସମୟରେ ସୃଷ୍ଟି ହେଉଥିବା ଲଘୁଚାପ ସମୁଦ୍ରରେ ଦୁର୍ବଳ ହୋଇଯାଇଥାଏ । ଯାହା ବାତ୍ୟାର ରୂପ ନେଇପାରେ ନାହିଁ। ତେଣୁ ଏଥର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ କି ତାହା ଆଗାମୀ ୪୮ ଘଣ୍ଟା ଭିତରେ ଚିତ୍ର ସ୍ପଷ୍ଟ ହେବ । ସାଧାରଣତଃ ପ୍ରାକ୍ ମୌସୁମୀ ଓ ମୌସୁମୀ ଋତୁ ପରେ ବାତ୍ୟା ସୃଷ୍ଟି ହୋଇଥାଏ । ସମୁଦ୍ର ଉପରି ଭାଗ ୨୬ ଦଶମିକ ୫ ଡିଗ୍ରି ସେଲସିୟସ ଉତ୍ତପ୍ତ ହେଲେ ବାତ୍ୟା ଅନୁକୂଳ ହୋଇଥାଏ । ଏଥର ମଧ୍ୟ ବାତ୍ୟା ପାଇଁ ସ୍ଥିତି ଅନୁକୂଳ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking